ଭୁବନେଶ୍ବର: ୧୫ ତାରିଖରୁ ଆରମ୍ଭ ହୋଇଥିବା ସିଟି ଫେଷ୍ଟିଭାଲ୍ ‘ଡଟ୍ ଫେଷ୍ଟ’ ସଫଳତାର ସହ ତୃତୀୟ ସନ୍ଧ୍ୟା ଶେଷ ହୋଇଛି । ତୃତୀୟ ସନ୍ଧ୍ୟାରେ ୧୦ ହଜାରରୁ ଊର୍ଦ୍ଧ୍ବ ଲୋକଙ୍କ ଭିଡ଼ ପରିଲିକ୍ଷିତ ହୋଇଛି । ଦର୍ଶକଙ୍କ ମନୋରଞ୍ଜନ ପାଇଁ ପୁଣିଥରେ ଏକ ନୂଆ ଓ ଆକର୍ଷଣୀୟ ଅବତାରରେ ଅତୁଳନୀୟ ପ୍ରଦର୍ଶନଗୁଡିକୁ ଦେଖିବାକୁ ମିଳିଥିଲା । ଯେଉଁଠାରେ ପ୍ରଚ୍ଛଦପଟ ଗାୟକ ଦିବ୍ୟ କୁମାର, ନୀତି ମୋହନ ନିଜର ସଙ୍ଗୀତ ମାଧ୍ୟମରେ ଦର୍ଶକଙ୍କୁ ବାନ୍ଧି ରଖିଥିଲେ । ଲୋକପ୍ରିୟ ଓଡିଆ ଗାୟକ ପ୍ରଜ୍ଞା ହୋତାଙ୍କ ସୁୁମଧୁର ସ୍ବର ଦର୍ଶକଙ୍କ ମନ ଜିଣିଥିଲେ ।
୨୪ ରାଜ୍ୟର ଆଞ୍ଚଳିକ ଖାଦ୍ୟ ସମେତ ହକି ବିଶ୍ବକପ୍ରେ ଅଂଶଗ୍ରହଣ କରିଥିବା ୧୬ ଦେଶର ସ୍ୱାଦିଷ୍ଟ ଖାଦ୍ୟର ମଜା ଉଠାଇଲେ ଦର୍ଶକ । ଓଡିଶାର ପାରମ୍ପରିକ ଓ ଲୋକପ୍ରିୟ ଖାଦ୍ୟର ମଧ୍ୟ ସ୍ୱାଦ ଚାଖିଥିଲେ। ଡଟ୍ ଫେଷ୍ଟରେ ଅନ୍ୟ ଏକ ଆକର୍ଷଣ ନାଇଟ୍ ବଜାର । ସ୍ଥାନୀୟ କଳାକାର, ଷ୍ଟାର୍ଟଅପ୍, ପ୍ରଦର୍ଶନକାରୀ, କାରିଗର ଓ ଉଦ୍ଭାବକଙ୍କୁ ନିଜ ସାମଗ୍ରୀ ପ୍ରଦର୍ଶିତ କରିବା ପାଇଁ ଏକ ବଡ ମଞ୍ଚ ପ୍ରଦାନ କରିବା ସହ ଭୁବନେଶ୍ବରର ଶୀତୁଆ ରାତିକୁ ଆହୁରି ଜୀବନ୍ତ କରିଥିଲା । ଡଟ୍ ଫେଷ୍ଟର ଦ୍ବିତୀୟ ସନ୍ଧ୍ୟା ପରି ତୃତୀୟ ସନ୍ଧ୍ୟା ମଧ୍ୟ ଓଡିଆ କଳାକାରଙ୍କ ପ୍ରଦର୍ଶନରୁ ଆରମ୍ଭ ହୋଇଥିଲା ।
ନିର୍ଦ୍ଧାରିତ ସମୟ ପୂର୍ବରୁ ଆରମ୍ଭ ହୋଇଥବା ଏହି କାର୍ଯ୍ୟକ୍ରମରେ ଓଡ଼ିଆ ଚୁଲବୁଲି ସଙ୍ଗତକାର ପ୍ରଜ୍ଞା ହୋତାଙ୍କୁ ଦେଖିବାକୁ ମିଳିଥିଲା । ପ୍ରଜ୍ଞା ‘ପ୍ୟାର୍ ୱାଲା ହିଚ୍କି’, ‘ଓ ସୁନୟନା’, ‘ମତେ ତୁ ତୋ ପ୍ରେମର ମିଠା ମିଠା’, ‘ତୁ ମୋ ଡାର୍ଲିଂ’, ‘ରାମା ରାମା ରାମା ଏଇ ଝିଅଟା’ ଭଳି ଗୀତରେ ଦର୍ଶକଙ୍କୁ ବାନ୍ଧି ରଖିଥିଲେ । ପରେ ସେ ଝୁରାବେଣୀ, ଗୁଆଘିଅ ଭଳି ଓଡ଼ିଆ ଆଇଟମ୍ ଗୀତ ଗାଇ ଦର୍ଶକଙ୍କୁ ନଚାଇଥିଲେ । ଅନ୍ୟପଟେ ଡଟ୍ ଫେଷ୍ଟର ତୃତୀୟ ସନ୍ଧ୍ୟାର ମୁଖ୍ୟ ଆକର୍ଷଣ ଥିଲେ ବଲିଉଡ ଲୋକପ୍ରିୟ ଗାୟିକା ନୀତି ମୋହନ। ସେ ତାଙ୍କ ସଙ୍ଗୀତରେ ଦର୍ଶକଙ୍କ ଯେତିକି ମନ ଜିଣିଥିଲେ । ଆକ୍ଟ ମଝିରେ ନୀତି ଦର୍ଶକଙ୍କ ସହ ଓଡ଼ିଆରେ କଥା ହୋଇଥିଲେ । ‘ମୋ ତରଫରୁ ଆପଣଙ୍କୁ ନମସ୍କାର । ଆପଣମାନେ ଭଲ ଅଛନ୍ତି ତ? ଖାଇ ପିଇ ଆସିଛନ୍ତି ତ? ଆପଣମାନେ ଖୁସି ତ? ଓଡ଼ିଶାକୁ ମୁଁ ଆସି ବହୁତ ଖୁସି' ବୋଲି କହିଥିଲେ । ନୀତିଙ୍କ ଏହି ବାର୍ତ୍ତାଳାପ ସମୟରେ ଦର୍ଶକ ମଧ୍ୟ ତାଙ୍କୁ ଭଲପାଇବା ଦେଇଥିଲେ ।
ନୀତି ମୋହନ ନିଜ କଣ୍ଠର ଯାଦୁ ଖେଳାଇବା ସହ ଓଡ଼ିଶାର ବହୁ ପ୍ରଶଂସା କରିଛନ୍ତି । ଓଡ଼ିଶା କଳା, ସଂସ୍କୃତି ଓ ସଙ୍ଗୀତରେ ଧୁନ କଥା କହି ଓଡ଼ିଆ ଗୀତ ରଙ୍ଗବତୀର ବହୁ ପ୍ରଶଂସା କରିଥିଲେ। "ଓଡ଼ିଶା ମାଟିକୁ ନମସ୍କାର କରିବାକୁ ଚାହୁଁଛି । ସଙ୍ଗୀତ, କଳା ଓ ସଂସ୍କୃତିରେ ଓଡ଼ିଶା ବହୁତ ଧନୀ ।" ମୁଁ ସବୁବେଳେ ଓଡ଼ିଶା ଆସି ବହୁତ ଖୁସି ବୋଲି ପ୍ରକାଶ କରିଥିଲେ । ରାଜ୍ୟ ସଙ୍ଗୀତ 'ବନ୍ଦେ ଉତ୍କଳ ଜନନୀ' ଗାଇ ସମସ୍ତଙ୍କ ହୃଦୟକୁ ଛୁଇଁବା ସହ ଉପସ୍ଥିତ ଦର୍ଶକଙ୍କୁ ଛିଡା କରିବାକୁ ବାଧ୍ୟ କରିଥିଲେ ।