ଭୁବନେଶ୍ବର:ଲୋକସେବା ଭବନ କନଭେନ୍ସନ ସେଣ୍ଟରରେ ଆୟୋଜିତ ହୋଇଛି ସୁଧ ରିହାତି କାର୍ଯ୍ୟକ୍ରମ । କାର୍ଯ୍ୟକ୍ରମରେ ୨୦୨୨-୨୩ ବର୍ଷ ପାଇଁ ଦ୍ୱିତୀୟ ପର୍ଯ୍ୟାୟରେ ରାଜ୍ୟର ୩୫ ଲକ୍ଷ ଚଷୀଙ୍କୁ ୪୪୧.୭୬ କୋଟି ଟଙ୍କାର ସୁଧ ରିହାତି ପ୍ରଦାନ କରିଛନ୍ତି ମୁଖ୍ୟମନ୍ତ୍ରୀ । ରାଜ୍ୟର ସମସ୍ତ ସମବାୟ ବ୍ୟାଙ୍କ ଓ ୨୪୦୯ଟି ପ୍ରାଥମିକ କୃଷି ସମବାୟ ସମିତିକୁ ଏହି ରିହାତି ପରିମାଣ ପ୍ରଦାନ କରାଯାଇଛି । ପ୍ରଥମ ପର୍ଯ୍ୟାୟରେ ୪୧୫.୧୭ କୋଟି ଟଙ୍କାର ସୁଧ ରିହାତି ଦିଆଯାଇଥିଲା । ଏହି ପରି ୨୦୨୨-୨୩ ବର୍ଷରେ ଚାଷୀମାନେ ସମୁଦାୟ ୮୫୬.୯୯ କୋଟି ଟଙ୍କା ସୁଧ ରିହାତି ପାଇଛନ୍ତି । ଏକ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଫସଲ ଋଣ ପାଇଁ ଚାଷୀମାନଙ୍କୁ କୌଣସି ସୁଧ ଦେବାକୁ ପଡୁନାହିଁ । ୩୫ ଲକ୍ଷ ଚାଷୀଙ୍କ ମଧ୍ୟରୁ ୩୦ ଲକ୍ଷ ହେଉଛନ୍ତି କ୍ଷୁଦ୍ର ଓ ନାମମାତ୍ର ଚାଷୀ ।
ଏନେଇ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଚାଷ ହେଉଛନ୍ତି ଅର୍ଥନୀତିର ଆତ୍ମା । ନୂଆ ଓଡିଶା ବିକାଶର ଆଧାର । ସଶକ୍ତ ଓଡିଶାର ସାରଥି । ଚାଷୀକୁ ସଶକ୍ତ କରିବା ପାଇଁ ସ୍ୱତନ୍ତ୍ର ବଜେଟ କରାଯାଇଛି । ବିନା ସୁଧରେ ଏକ ଲକ୍ଷ ଟଙ୍କା ପର୍ଯ୍ୟନ୍ତ କୃଷି ଋଣ ଦିଆଯାଉଛି । ଚାଷୀ ପରିବାରର କଲ୍ୟାଣ ପାଇଁ କାଳିଆ ଶିକ୍ଷା ବୃତ୍ତି ବ୍ୟବସ୍ଥା ମଧ୍ୟ କରାଯାଇଛି ।
ଗଞ୍ଜାମର ଚାଷୀ ପରିବାରର କିରଣ ସାହୁ କାଳିଆ ଶିକ୍ଷା ବୃତ୍ତି ପାଇ ବ୍ରହ୍ମପୁର ମେଡ଼ିକାଲ କଲେଜରେ ପଢୁଛନ୍ତି । ଏହା ଖୁସିର କଥା । ଚାଷୀକୁ ବିନା ସୁଧରେ ଋଣ ଦେବାରେ ଓଡିଶା ପ୍ରଥମ ରାଜ୍ୟ ଓ କାଳିଆ ପରି କଲ୍ୟାଣ ଯୋଜନା କରିବାରେ ମଧ୍ୟ ଓଡିଶା ପ୍ରଥମ ରାଜ୍ୟ । ଆଜିର ସୁଧ ରିହାତି ଯୋଗୁ ଚାଷୀ ଭାଇମାନଙ୍କୁ ଟଙ୍କାଟିଏ ବି ସୁଧ ଦେବାକୁ ପଡିଲା ନାହିଁ । ଆମର ସମବାୟ ଆନ୍ଦୋଳନ ଆଜି ଶକ୍ତିଶାଳୀ ହୋଇଛି । ଫସଲ ଋଣର ୬୦ ପ୍ରତିଶତ କେବଳ ସମବାୟ କ୍ଷେତ୍ର ହିଁ ଯୋଗାଉଛି । ଚାଷୀ ଭାଇ ଆମର ଗର୍ବ ।