ଓଡିଶା

odisha

ETV Bharat / state

ରାଜ୍ୟ ମହିଳା ଆୟୋଗ ପାଳିଲା ୩୦ତମ ପ୍ରତିଷ୍ଠା ଦିବସ

ରାଜ୍ୟ ମହିଳା ଆୟୋଗର ୩୦ତମ ପ୍ରତିଷ୍ଠା ଦିବସ । ୯୨ ପ୍ରତିଶତ ମାମଲାର ଆପୋଷ ସମାଧାନ କରି ଜାତୀୟ ମହିଳା କମିଶନ ଦ୍ୱାରା ପ୍ରଶଂସିତ ରାଜ୍ୟ ମହିଳା ଆୟୋଗ ।

Odisha State Commission for Women
Odisha State Commission for Women

By

Published : Mar 3, 2023, 8:54 AM IST

Odisha State Commission for Women

ଭୁବନେଶ୍ବର: ରାଜ୍ୟ ମହିଳା ଆୟୋଗର ୩୦ତମ ପ୍ରତିଷ୍ଠା ଦିବସ ଓ ‘ଆନ୍ତର୍ଜାତିକ ମହିଳା ଦିବସ’ ସପ୍ତାହ ପାଳନର ଶୁଭାରମ୍ଭ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ ଉଷା ଦେବୀ ଯୋଗ ଦେଇ ରାଜ୍ୟର ମହିଳାମାନଙ୍କୁ ସଶକ୍ତ କରିବା ନିମେନ୍ତ ରାଜ୍ୟ ସରକାର ସଙ୍କଳ୍ପବଦ୍ଧ ବୋଲି ପ୍ରକାଶ କରିଥିଲେ ।

ସେ ଆହୁରି ମଧ୍ୟ କହିଥିଲେ ଯେ,''ନାରୀ ମଧ୍ୟରେ ଅସାଧାରଣ ଦକ୍ଷତା, ଶକ୍ତି ଓ ସାମର୍ଥ୍ୟ ରହିଛି । ପ୍ରତ୍ୟେକ ନାରୀ ଏହି ଅସାଧାରଣ ଧୌର୍ଯ୍ୟ ଓ ଇଚ୍ଛାଶକ୍ତି ବଳରେ ଯେ କୌଣସି ଅସାଧ୍ୟ କାମକୁ ସହଜ ସାଧ୍ୟ କରିପାରିବେ । ସେ ଏକାଧାରରେ ଜନନୀ, ଭଗିନୀ ଓ ଜାୟା ଭୂମିକାରେ ସଫଳତାର ସହ ଅବତୀର୍ଣ୍ଣ । ସମଗ୍ର ବିଶ୍ୱରେ, ଆମ ଦେଶରେ ତଥା ରାଜ୍ୟରେ ବହୁ ନାରୀ ଯଶ ଓ ସୁନାମର ଶିଖରରେ ପହଞ୍ଚି ସମାଜ ପାଇଁ ଅନନ୍ୟ ଉଦାହରଣ ସୃଷ୍ଟି କରି ପାରିଛନ୍ତି । ମହିଳାମାନଙ୍କ ବିକାଶକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସଦାସର୍ବଦା ଗୁରୁତ୍ୱ ଦେଇ ଆସିଛନ୍ତି । ସେମାନଙ୍କ ସ୍ୱାସ୍ଥ୍ୟ, ଜୀବିକା ଓ ଦକ୍ଷତା ବିକାଶ ଦିଗରେ ବହୁବିଧ ପଦକ୍ଷେପ ନେଇ ସେମାନଙ୍କୁ ସ୍ୱାବଲମ୍ବୀ କରିବା ପାଇଁ ଉଦ୍ୟମ ଅବ୍ୟାହତ ରହିଛି । ରାଜ୍ୟ ମହିଳା ଆୟୋଗ ପ୍ରତିଷ୍ଠା ହେବାର ୩୦ ବର୍ଷ ମଧ୍ୟରେ ମହିଳାମାନଙ୍କ ସମ୍ମାନ ଓ ସ୍ୱାଭିମାନକୁ ବଢ଼ାଇବା ଦିଗରେ ମହତ୍ତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛି ବୋଲି ମନ୍ତ୍ରୀ ଉଷା ଦେବୀ ମତବ୍ୟକ୍ତ କରିଥିଲେ । ''

ସେହିଭଳି ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ପ୍ରମିଳା ମଲ୍ଲିକ ମଧ୍ୟ ଏହି କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ। କାର୍ଯ୍ୟକ୍ରମରେ ପ୍ରମିଳା ମଲ୍ଲିକ କହିଥିଲେ ଯେ, ''ଏବେ ଅଧିକରୁ ଅଧିକ ମହିଳା ନିର୍ଯାତନା ବିରୁଦ୍ଧରେ ସ୍ୱର ଉତ୍ତୋଳନ କରିବା ଆରମ୍ଭ କଲେଣି । ସେମାନେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆଇନର ଶାସନ, ପୋଲିସ ଉପରେ ଦୃଢ଼ ଆସ୍ଥା ଓ ରାଜ୍ୟ ମହିଳା ଆୟୋଗର ପ୍ରଭାବୀ କାର୍ଯ୍ୟାବଳୀ ଯୋଗୁଁ ପରିବାରର ଚାରିକାନ୍ଥରୁ ବାହାରି ଶୋଷଣ ଓ ନିର୍ଯାତନାକୁ ସହ୍ୟ ନକରି ଆୟୋଗର ଦ୍ୱାରସ୍ଥ ହେଉଛନ୍ତି । ତେଣୁ ରାଜ୍ୟ ମହିଳା ଆୟୋଗର କାର୍ଯ୍ୟ ପରିସର ବୃଦ୍ଧି ପାଇଛି । ଏହି ୩୦ ବର୍ଷ ମଧ୍ୟରେ ରାଜ୍ୟ ମହିଳା ଆୟୋଗ ବହୁ ପରିବାରକୁ ଯୋଡ଼ି ରଖିବାରେ ସଫଳ ହୋଇଛି ବୋଲି ମନ୍ତ୍ରୀ କହିଥିଲେ। ''

ସେହିପରି ମହିଳା ଓ ଶିଶୁ ବିକାଶ, ମିଶନ ଶକ୍ତି ମନ୍ତ୍ରୀ ବାସନ୍ତୀ ହେମ୍ବ୍ରମ୍‌ ସମ୍ମାନିତ ଅତିଥି ଭାବେ ଏହି କାର୍ଯ୍ୟକ୍ରମରେ ଯୋଗଦେଇ କହିଥିଲେ ଯେ, ''ମହିଳା ମାନେ ଆଜି ସମାଜର ପ୍ରତ୍ୟେକ କ୍ଷେତ୍ରରେ ସୁନାମ ଅର୍ଜନ କରିବା ସହ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଛନ୍ତି । ଦିନ ଥିଲା, ପରିବାରର ପ୍ରତ୍ୟେକ ସଦସ୍ୟଙ୍କ ପାଇଁ ଅବିରତ କାର୍ଯ୍ୟ କରୁଥିଲେ ମଧ୍ୟ ନିଜର ଦୁଃଖକୁ ସେ କାହା ଆଗରେ ପ୍ରକାଶ କରୁନଥିଲେ । ଆଜି ସେହି ପରିସ୍ଥିତିରେ ବହୁ ପରିବର୍ତ୍ତନ ଘଟିଛି । ନାରୀ ଆଜି ଉଦ୍ୟୋଗୀ ଭାବେ ଅର୍ଥ ଉପାର୍ଜନ ପାଇଁ ଅଣ୍ଟା ଭିଡ଼ିଲାଣି ।''

ରାଜ୍ୟ ମହିଳା ଆୟୋଗର ଅଧ୍ୟକ୍ଷା ଡ. ମିନତୀ ବେହେରା କହିଛନ୍ତି ଯେ,''୧୯୯୩ ମସିହାରେ ପ୍ରତିଷ୍ଠାଲାଭ କରିଥିବା ରାଜ୍ୟ ମହିଳା ଆୟୋଗ ୯୨ ପ୍ରତିଶତ କେସର ଆପୋଷ ସମାଧାନ କରି ଜାତୀୟ ମହିଳା କମିଶନ ଦ୍ୱାରା ପ୍ରଶଂସିତ ହୋଇଛି । ଓଡ଼ିଶା ହାଇକୋର୍ଟ ରାଜ୍ୟ ମହିଳା ଆୟୋଗକୁ ପ୍ରଦାନ କରିଥିବା କିଛି କେସକୁ ଆମେ ସଫଳତାର ସହ ସମାଧାନ କରି ହାଇକୋର୍ଟର ବିହିତ ରାୟ ନିମନ୍ତେ ପଠାଇ ପାରିଛୁ ବୋଲି ମହିଳା କମିଶନ କହିଥିଲେ। ଶେଷରେ ଆୟୋଗର ସଫଳତାର କାହାଣୀକୁ ନେଇ ଏକ ପୁସ୍ତିକା ‘ହସ ଫୁଟିଲା, ପରିବାର ତିଷ୍ଠିଲା’ ଉନ୍ମୋଚିତ ହୋଇଥିଲା ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details