ଭୁବନେଶ୍ବର:୩ ସାରସ୍ବତ ସାଧକଙ୍କୁ ମିଳିଲା ସର୍ବୋଚ୍ଚ ସାରସ୍ଵତ ସମ୍ମାନ 'ଅତିବଡ଼ି ଜଗନ୍ନାଥ ଦାସ ପୁରସ୍କାର' ଓ ୪୪ ବରିଷ୍ଠ ସାହିତ୍ୟକଙ୍କୁ ସାରସ୍ବତ ସାଧକ ଓ ସାଧିକା ସମ୍ମାନ । ଓଡ଼ିଶା ସାହିତ୍ୟ ଏକାଡେମୀ ପକ୍ଷରୁ ସର୍ବୋଚ୍ଚ ସାରସ୍ଵତ ସମ୍ମାନ ଅତିବଡ଼ି ଜଗନ୍ନାଥ ଦାସ ପୁରସ୍କାର ଦିଆଯାଇଛି । ରବୀନ୍ଦ୍ର ମଣ୍ଡପରେ ଏକ ଭବ୍ୟ କାର୍ଯ୍ୟକ୍ରମରେସାହିତ୍ୟର ପୂଜାରୀମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଛି । ୨୦୨୩ ପାଇଁ ବିଶିଷ୍ଟ ସାହିତ୍ୟିକ ଓ ଅନୁବାଦକ ପଦ୍ମଶ୍ରୀ ଡ. ଶ୍ରୀନିବାସ ଉଦ୍ଗାଦା ‘ଅତିବଡ଼ୀ ଜଗନ୍ନାଥ ଦାସ ପୁରସ୍କାର’ ଗ୍ରହଣ କରିଛନ୍ତି ।
ଏହି ଉତ୍ସବ ୩ବର୍ଷ ବ୍ୟବଧାନ ପରେ ଚଳିତ ବର୍ଷ ହେଉଥିବା ବେଳେ ୨୦୨୧, ମସିହା ପାଇଁ ସୁନାମଧନ୍ୟା କଥାକାର ଓ ଔପନ୍ୟାସିକା ପଦ୍ମଭୂଷଣ ଡ. ପ୍ରତିଭା ରାୟ, ୨୦୨୨ ପାଇଁ ପ୍ରଖ୍ୟାତ କବି ଓ ସାହିତ୍ୟ ସମାଲୋଚକ ପଦ୍ମଵିଭୂଷଣ ଡ. ସୀତାକାନ୍ତ ମହାପାତ୍ର ଓ ୨୦୨୩ ବିଶିଷ୍ଟ ସାହିତ୍ୟିକ ଓ ଅନୁବାଦକ ପଦ୍ମଶ୍ରୀ ଡ. ଶ୍ରୀନିବାସ ଉଦ୍ଗାଦା ‘ଅତିବଡ଼ୀ ଜଗନ୍ନାଥ ଦାସ ପୁରସ୍କାର’ ଗ୍ରହଣ କରିଛନ୍ତି । ପୁରସ୍କାର ସ୍ବରୂପ ପ୍ରତ୍ୟେକଙ୍କୁ ୫ ଲକ୍ଷ ଟଙ୍କା ଲେଖାଏଁ ଅର୍ଥରାଶି ଚେକ, ମାନପତ୍ର, ପୁଷ୍ପଗୁଛ ଓ ଉପଢୌକନ ପ୍ରଦାନ କରାଯାଇଥିଲା । ସେହିପରି ସମ୍ବର୍ଦ୍ଧନା ସ୍ବରୂପ ବୟୋଜ୍ୟେଷ୍ଠ ସାରସ୍ବତ ସାଧକ-ସାଧିକାଙ୍କୁ ୧ ଲକ୍ଷ ଟଙ୍କା ଲେଖାଏଁ ଅର୍ଥରାଶି ଚେକ, ମାନପତ୍ର, ପୁଷ୍ପଗୁଚ୍ଛ ଓ ଉପଢୌକନ ପ୍ରଦାନ କରାଯାଇଥିଲା ।
ଅନ୍ୟପଟେ ପର୍ଯ୍ୟଟନ ଓ ସଂସ୍କୃତି ମନ୍ତ୍ରୀ ଅଶ୍ବିନୀ କୁମାର ପାତ୍ର ଉଦଘାଟକ ଭାବେ ଯୋଗଦେଇ ପୁରସ୍କାର ପ୍ରଦାନ କରିଥିଲେ । ଏକାଡେମୀ ସଭାପତି ଡ. ହୃଷୀକେଶ ମଲ୍ଲିକଙ୍କ ସଭାପତିତ୍ବରେ ବିଭାଗୀୟ ଅତିରିକ୍ତ ମୁଖ୍ୟ ଶାସନ ସଚିବ ସତ୍ୟବ୍ରତ ସାହୁ ମୁଖ୍ୟ ଅତିଥି, ନିର୍ଦ୍ଦେଶକ ଦିଲ୍ଲୀପ ରାଉତରାଏ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ । ଅନ୍ୟ ଅତିଥି ଭିତରେ ଏକାଡେମୀ ସଚିବ ପ୍ରବୋଧ ରାଉତ ଡ. ସଂଗ୍ରାମ ଜେନା । ସମସ୍ତ ଅତିଥିବୃନ୍ଦ ପୁରସ୍କୃତ ଓ ସମ୍ବର୍ଦ୍ଧିତ ପ୍ରତିଭାଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇବା ସହିତ ଓଡ଼ିଆ ସାହିତ୍ୟର ଉଜ୍ଜଳ କାମନା କରିଥିଲେ। ଅତିଥିମାନଙ୍କୁ ଏକାଡେମୀ ପକ୍ଷରୁ ଉପଢୌକନ ଓ ପୁସ୍ତକ ଉପହାର ଦେଇ ସଭାକୁ ସ୍ବାଗତ କରାଯାଇଥିଲା ।