ଭୁବନେଶ୍ବର:ଗୁରୁ ଦେବ ପ୍ରସାଦ ଦାସ ପରିବାର ପକ୍ଷରୁ ୨୧ ତମ ନୃତ୍ୟ ଆସର ଅନୁଷ୍ଠିତ ହୋଇଯାଇଛି । ରାଜ୍ୟର କୋଣ ଅନୁକୋଣର ବିଭିନ୍ନ ବର୍ଗର ନୃତ୍ୟଶିଳ୍ପୀ ମାନେ ଏହି ଆସରରେ ସାମିଲ ହୋଇ ନୃତ୍ୟ ପରିବେଷଣ କରିଛନ୍ତି । ଭୁବନେଶ୍ୱର ବୁଧ ମନ୍ଦିର ପରିସରରେ ପରିବେଷିତ ହୋଇଛି ଗୁରୁ ଦେବପ୍ରସାଦ ଦାସ ୨୧ ତମ ନୃତ୍ୟ ଆସର । ଏହି ଆସରକୁ ବିଶିଷ୍ଟ ଗୀତିକାର ଗୌରହରୀ ଦଳେଇ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଅନୁଷ୍ଠାନିକ ଭାବେ ଉଦଘାଟନ କରିଛନ୍ତି । ତେବେ ଏହି ଆସରରେ ରାଜ୍ୟର ବିଭିନ୍ନ ଜିଲ୍ଲାର ୧୭ ଜଣ ଓଡିଶୀ ନୃତ୍ୟ ଶିଳ୍ପୀ ସେମାନଙ୍କ ପ୍ରତିଭାକୁ ନୃତ୍ୟ ଆକାରରେ ପର୍ଯ୍ୟବେଷିତ କରିଥିଲେ ।
ଅନ୍ୟପଟେ ଏହି ଆସରରେ ବ୍ରହ୍ମପୁରର ଗୁରୁ ଦେବ ପ୍ରସାଦ ଦାସଙ୍କ ଶିଷ୍ୟ ତଥା ନୃତ୍ୟଗୁରୁ ଶିବରାମ ବାରିକଙ୍କ ୪ ଜଣ ଶିଷ୍ୟା ଯୋଗ ଦେଇ ନୃତ୍ୟ ପରିବେଷଣ କରିଥିଲେ । ୬ ବର୍ଷ ଛାତ୍ରୀ ଆହନା ରାଜଗୁରୁଙ୍କ ନୃତ୍ୟଭିନୟ "କେଡେ ଛନ୍ଦ ଜାଣେ ଲୋ ସଖୀ, ନନ୍ଦ ରାଜାର ଟିକି ପିଲାଟି" ବେଶ ଆକର୍ଷିତ କରିଥିଲା ଉପସ୍ଥିତ ଦର୍ଶକଙ୍କୁ । ତେବେ ଏହି ନୃତ୍ୟ ଆସର ଗୁରୁ ଦେବ ପ୍ରସାଦ ଦାସଙ୍କ ନୃତ୍ୟ ଶୈଳୀକୁ ବଞ୍ଚାଇ ରଖିବା ଉଦ୍ଦେଶ୍ୟରେ ତାଙ୍କର ଶିଷ୍ୟମାନେ କରିଥାନ୍ତି । ସେହିପରି ଏହି କାର୍ଯ୍ୟକ୍ରମ ଆଗାମୀ ପିଢ଼ି ପାଇଁ ବେଶ ଉପାଦେୟ ହୋଇ ପାରିବ ବୋଲି ଗୁରୁ ଦେବ ପ୍ରସାଦ ଦାସ ଙ୍କ ଶିଷ୍ୟ ତଥା ନୃତ୍ୟ ଗୁରୁ ସୂଚନା ଦେଇ କହିଛନ୍ତି ।