ଓଡିଶା

odisha

ETV Bharat / state

ଚାକିରି ଦେବା ନାମରେ ଠକେଇ, 2 ଜଣଙ୍କୁ ଗିରଫ କଲା ଇଓଡବ୍ଲ୍ୟୁ - ଭୁବନେଶ୍ବରରେ ଠକେଇ ରାକେଟର ପର୍ଦ୍ଦାଫାଶ

ଚାକିରି ନାଁରେ ବେକାର ଯୁବକ ଯୁବତୀଙ୍କ ଠାରୁ ଟଙ୍କା ଲୁଟୁଥିବା ଏକ ଗ୍ୟାଙ୍ଗକୁ ଧରିଛି ଭୁବନେଶ୍ୱର ଅର୍ଥନୈତିକ ଅପରାଧ ଶାଖା । ଏହି ଗ୍ୟାଙ୍ଗର ୨ ଜଣଙ୍କୁ ଗିରଫ କରିଛି ଇଓଡବ୍ଲ୍ୟୁ । ଅଧିକ ପଢନ୍ତୁ

ଚାକିରି ଦେବା ନାମରେ ଠକେଇ
ଚାକିରି ଦେବା ନାମରେ ଠକେଇ

By

Published : Apr 4, 2023, 12:04 PM IST

ଚାକିରି ଦେବା ନାମରେ ଠକେଇ

ଭୁବନେଶ୍ବର:ପୁଣି ଠକେଇ ରାକେଟର ପର୍ଦ୍ଦାଫାସ କରିଛି କ୍ରାଇମବ୍ରାଞ୍ଚ ଅର୍ଥନୈତିକ ଅପରାଧ ଶାଖା । ଚାକିରି ନାଁରେ ବେକାର ଯୁବକ ଯୁବତୀଙ୍କ ଠାରୁ ଟଙ୍କା ଲୁଟୁଥିବା ଗ୍ୟାଙ୍ଗକୁ ଧରିଛି ଇଓଡବ୍ଲ୍ୟ । ଏହି ଗ୍ୟାଙ୍ଗର ୨ ଜଣଙ୍କୁ ସୋମବାର ଗିରଫ କରିଛି ଇଓଡବ୍ଲ୍ୟୁ । ଏହି ଗ୍ୟାଙ୍ଗ ବିଭିନ୍ନ ସରକାରୀ ଅଫିସରେ ଚାକିରି ଯୋଗାଇ ଦେବାର ପ୍ରତିଶ୍ରୁତି ଦେଇ ପ୍ରାୟ ୨୦୦ରୁ ଅଧିକ ଆଶାୟୀଙ୍କ ଠାରୁ ଲକ୍ଷାଧିକ ଟଙ୍କା ଲୁଟି ନେଇଥିଲେ । ତେବେ ଗିରଫ ହୋଇଥିବା ଦୁଇ ଅଭିଯୁକ୍ତ ହେଲେ ବାଲେଶ୍ୱରର ରାଜକିଶୋର ପଟ୍ଟନାୟକ ଏବଂ ଭୁବନେଶ୍ୱରର ଅରୁଣ ମହାନ୍ତି ।

ଇଓଡବ୍ଲ୍ୟୁ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ଏହି ଗ୍ୟାଙ୍ଗ ରାଜଭବନ ସମେତ ବିଭିନ୍ନ ସରକାରୀ କାର୍ଯ୍ୟାଳୟରେ ପିଅନ, କିରାଣି ଚାକିରି ଦେବାକୁ ପ୍ରତିଶ୍ରୁତି ଦେଇ ଲୋକଙ୍କ ଠାରୁ ଟଙ୍କା ଲୁଟୁଥିଲେ । ସେମାନଙ୍କୁ ଗିରଫ କରାଯାଇ ଗତକାଲି(ସୋମବାର) ଭୁବନେଶ୍ୱର ଏସଡିଜେଏମ କୋର୍ଟରେ ହାଜର କରାଯାଇଛି । ତେବେ ଠକେଇର ଶିକାର ହୋଇଥିବା ଭୁବନେଶ୍ୱରର କୁମୁଦିନୀ ସାହୁଙ୍କ ଅଭିଯୋଗକୁ ଭିତ୍ତି କରି ତଦନ୍ତ ହୋଇଥିଲା ।

ତାଙ୍କୁ ନକଲି ସରକାରୀ ଚାକିରି ନିଯୁକ୍ତିପତ୍ର ଧରାଇ ରାଜକିଶୋର ପଟ୍ଟନାୟକ, ଅରୁଣ ମହାନ୍ତି ଓ ଭବାନୀ ଶଙ୍କର ଦାସ ପ୍ରାୟ ୮.୧୫ ଲକ୍ଷ ଟଙ୍କା ଠକି ନେଇଥିବା ଅଭିଯୋଗ କରିଥିଲେ । ମାସିକ ୩୪ ହଜାର ଟଙ୍କା ଦରମାରେ କୁମୁଦିନୀଙ୍କୁ ରାଜ ଭବନରେ କିରାଣି ଚାକିରି ଦେବାକୁ ରାଜକିଶୋର ପ୍ରତିଶ୍ରୁତି ଦେଇ ୬ ଲକ୍ଷ ଟଙ୍କା ମାଗିଥିଲେ । ଚାକିରି ପାଇବା ଲୋଭରେ କୁମୁଦିନୀ ୨ ଲକ୍ଷ ଟଙ୍କା ଅଗ୍ରୀମ ରାଜକିଶୋରଙ୍କୁ ଦେଇଥିଲେ । ହେଲେ ଟଙ୍କା ପାଇବା ପରେ ରାଜକିଶୋର ଆଉ ଧରାଛୁଆ ଦେଉ ନଥିଲେ । ଏହାପରେ ଅରୁଣ ମହାନ୍ତି ଓ ଭବାନୀ ଶଙ୍କର ଦାସଙ୍କ ସଂସ୍ପର୍ଶରେ ଆସିଥିଲେ କୁମୁଦିନୀ । ଅରୁଣ ୭ ଦିନ ଭିତରେ ସରକାରୀ ଚାକିରି ଯୋଗାଡ଼ କରିଦେବାର ପ୍ରତିଶ୍ରୁତି ଦେଇ କୁମୁଦିନୀଙ୍କୁ ୭ ଲକ୍ଷ ଟଙ୍କା ଦେବାକୁ କହିଥିଲେ । ଭରସା କରି କୁମୁଦିନୀ ୭ ଲକ୍ଷ ଟଙ୍କା ଦେଇଥିଲେ । ମାତ୍ର କୌଣସି ପ୍ରକାର ଚାକିରି ପାଇ ନଥିଲେ ।

ଅଭିଯୁକ୍ତମାନେ ନିଜକୁ ସାମ୍ବାଦିକ ବୋଲି ପରିଚୟ ଦେଇଥିଲେ । ସେମାନେ ପୂର୍ବରୁ ସୁଶାନ୍ତ କୁମାର ମୁଦୁଲି ନାମକ ଜଣେ ଯୁବକଙ୍କୁ ସ୍କୁଲ ପିଅନ ଚାକିରି ଦେବାକୁ ଭରସା ଦେଇ ୧.୦୫ ଲକ୍ଷ ଟଙ୍କା, ଦୀପକ କୁମାର ନାୟକ ନାମକ ଜଣେ ଯୁବକଙ୍କୁ ଖୋର୍ଦ୍ଧା ଜିଲ୍ଲାପାଳଙ୍କ ଅଫିସ୍‌ରେ ପିଅନ ନିଯୁକ୍ତି ଦେବାକୁ କହି ୪.୫୦ ଲକ୍ଷ ଟଙ୍କା, ଦୀପୁ ବିଶ୍ୱାଳ ନାମକ ଜଣେ ଯୁବକଙ୍କୁ ଭୁବନେଶ୍ୱର ରାଜଭବନରେ ପିଅନ ଚାକିରି ଦେବାକୁ ଭରସା ଦେଇ ୨ ଲକ୍ଷ ଟଙ୍କା ଠକି ନେଇଥିଲେ । ତଦନ୍ତ ବେଳେ ଏହି ଠକମାନେ ଶତାଧିକ ଲୋକଙ୍କୁ ଏଭଳି ଭାବେ ଠକେଇ କରିଥିବା ଜଣାପଡ଼ିଥିଲା । କାହାକୁ ଜାଲ ନିଯୁକ୍ତିପତ୍ର ଦେଇ ଠକିଛନ୍ତି ତ କାହାକୁ ନକଲି ସରକାରୀ ସିଲେକ୍ସନ ଲିଷ୍ଟ ଦେଖାଇ କିମ୍ବା କୌଶଳରେ କଥା କହି ଟଙ୍କା ଠକି ନେଇଛନ୍ତି ।

ତେବେ ଅଭିଯୁକ୍ତମାନଙ୍କ ଠାରୁ ବିପୁଳ ପରିମାଣର ନକଲି ସରକାରୀ ନିଯୁକ୍ତି ପତ୍ର, ଜଏନିଂ ଲେଟର, ସିଲେକ୍ସନ ଲିଷ୍ଟ, ସିଲ୍‌, ଲୋଗୋ ସମେତ ଶତାଧିକ ଲୋକଙ୍କ ବାୟୋଡାଟା, ଆବେଦନପତ୍ର, ପ୍ରଭୃତି ଜବତ ହୋଇଛି । ରାଜଭବନ, ଶିକ୍ଷା ବିଭାଗ, ଶକ୍ତି ବିଭାଗ, ସଚିବାଳୟ, ଟ୍ରାଫିକ ପୋଲିସ, ଅବକାରୀ ବିଭାଗ, କେନ୍ଦ୍ରୀୟ ବିଦ୍ୟାଳୟ, ଇନ୍‌କମ୍ ଟ୍ୟାକ୍ସ ବିଭାଗରେ ଚାକିରି ଦେବାକୁ କହି ଏମାନେ ଠକେଇ କରୁଥିବାର ପ୍ରମାଣ ମିଳିଛି । ଏହି ଘଟଣାର ଅଧିକ ତଦନ୍ତ ଚାଲିଥିବା ଇଓଡବ୍ଲୁ ପକ୍ଷରୁ କୁହାଯାଇଛି ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details