ଭୁବନେଶ୍ବର: ସରକାରୀ ସ୍କିମ ଆଢ଼ୁଆଳରେ ଲୋନ ଜାଲିଆତି । ନିରୀହ ଲୋକଙ୍କ ନାଁରେ ଲୋନ ନେଇ ଠକେଇ । ବ୍ୟାଙ୍କ ଜାଲିଆତି ପଛରେ ବ୍ୟାଙ୍କ କର୍ମଚାରୀଙ୍କ ହାତ । ସେଣ୍ଟ୍ରାଲ ବ୍ୟାଙ୍କ ଅଫ୍ ଇଣ୍ଡିଆ ଲୋନ ଜାଲିଆତିରେ ଦୁଇ ଜଣ ବ୍ୟାଙ୍କ କର୍ମଚାରୀଙ୍କୁ ଗିରଫ କରିଛି ଇଓଡବ୍ଲୁ । ଜଣେ ପୂର୍ବତନ ବ୍ରାଞ୍ଚ ମ୍ୟାନେଜର ଡମ୍ବୁରୁଧର ନାୟକ ଥିବା ବେଳେ ଆଉ ଜଣେ ବ୍ୟାଙ୍କ କର୍ମଚାରୀ ତଥା ଏଗ୍ରିକଲଚର ଫାଇନାନ୍ସିଆଲ୍ ଅଫିସର ଦେବିଦତ୍ତ ପାଣିଗ୍ରାହୀ ରହିଛନ୍ତି ।
ସୂଚନା ମୁତାବକ, ଲୋନ ଠକେଇ ନେଇ ସେଣ୍ଟ୍ରାଲ ବ୍ୟାଙ୍କ ଅଫ୍ ଇଣ୍ଡିଆର ରିଜିଓନାଲ ମୁଖ୍ୟଙ୍କ ଅଭିଯୋଗ ଆଧାରରେ ଇଓଡବ୍ଲୁରେ ଅଭିଯୋଗ ହୋଇଥିଲା । 2015 ରୁ 2018 ମସିହା ଭିତରେ କଟକ ଭଦ୍ରେଶ୍ବର ବ୍ରାଞ୍ଚରୁ ବିଭିନ୍ନ ସରକାରୀ ସ୍କିମରେ ଚାଷୀ ଓ କ୍ଷୁଦ୍ର ଏବଂ ମଧ୍ୟମ ଧରଣର ନିବେଶକଙ୍କ ନାରେ ବିଭିନ୍ନ ସବସିଡି ହାତେଇବା ପାଇଁ 3 କୋଟି 33 ଲକ୍ଷ ଟଙ୍କାର ବ୍ୟାଙ୍କ ଦୁର୍ନୀତି ହୋଇଛି । ଏପରିକି କିଛି ଲୋନ ନେଇଥିବା ଲୋକଙ୍କ ଅଜାଣତରେ ଲୋନ ନିଆଯାଇଛି । କିଛି ବୋଗସ ଲୋକଙ୍କ ନାଁରେ ଲୋନ ନେଇ ଟଙ୍କା ଚଳୁ କରାଯାଇଛି । ଏହି ଘଟଣା ବ୍ୟାଙ୍କର ଇଣ୍ଟରନାଲ ଇନକ୍ବାରି ବେଳେ ଜଣାପଡିଥିଲା । ଏହା ପଛରେ ତତ୍କାଳୀନ ବ୍ରାଞ୍ଚ ମ୍ୟାନେଜର ସହ ଏଗ୍ରିକଲଚର ଫାଇନାନ୍ସିଆଲ ଅଫିସର ରହିଛନ୍ତି ।
ତେବେ ଏନେଇ ଇଓଡବ୍ଲୁ ଅଭିଯୋଗ ହେବା ପରେ ଜଣାପଡିଥିଲା ସେଣ୍ଟ୍ରାଲ କିଷାନ କ୍ରେଡିଟ୍ କାର୍ଡ ନାଁରେ, ଟର୍ମ ଲୋନ ଭଳି ଅନେକ ଲୋନ ହୋଇଛି । ଯାହାକି ବିଶେଷ କରି ଲୋକମାନେ ଅବଗତ ନଥାନ୍ତି । ସେସବୁ ସ୍କିମ ଆଳରେ ବିଭିନ୍ନ ସ୍କିମରେ ବ୍ୟାଙ୍କ କର୍ମଚାରୀ ଭାବେ ନିଜର ପଦର ଅପବ୍ୟବହାର କରି ଦୁର୍ନୀତି କରିଥିଲେ । ବେଆଇନ ଭାବେ ନକଲି ହିତାଧିକାରୀଙ୍କୁ ଲୋନ ନେଇଥିବା ଦର୍ଶାଇ ଟଙ୍କା ଚଳୁ କରିଥିଲେ ବ୍ୟାଙ୍କ କର୍ମଚାରୀ । ସରକାରୀ ସବସିଡ଼ିକୁ ମଧ୍ୟ ହଡ଼ପ କରି ୩ କୋଟି ୩୩ ଲକ୍ଷ ଟଙ୍କାର ଜାଲିଆତି କରିଥିଲେ । ଏନେଇ ଦୁଇ ଜଣଙ୍କୁ ଗିରଫ କରିଛି କ୍ରାଇମବ୍ରାଞ୍ଚ EOW । ସେଣ୍ଟ୍ରାଲ ବ୍ୟାଙ୍କ ଅଫ ଇଣ୍ଡିଆର ପୂର୍ବତନ ବ୍ରାଞ୍ଚ ମ୍ୟାନେଜର ଡମ୍ବୁରୁଧର ନାୟକଙ୍କୁ ଏଭଳି ଜାଲିଆତି ପାଇଁ ବ୍ୟାଙ୍କରୁ ବହିଷ୍କାର କରାଯାଇଛି ।