ଭୁବନେଶ୍ବର:ଓଡ଼ିଶାର କଳା ସଂସ୍କୃତି ଓ ପରମ୍ପରାକୁ ବିଶ୍ୱ ଦରବାରରେ ପହଞ୍ଚାଇବାର ଲକ୍ଷ୍ୟ ନେଇ ଭୁବନେଶ୍ବରରେ ଆରମ୍ଭ ହୋଇଛି ପ୍ରଥମ ପ୍ରବାସୀ ନୃତ୍ୟ ସଙ୍ଗମ । ଓଡ଼ିଶା ପରିବାର ଓ ଆମେରିକା ସ୍ଥିତ ନୃତ୍ୟ ସାଧନା, ଗୁରୁ କେଳୁଚରଣ ମହାପାତ୍ର ଓଡ଼ିଶୀ ଗବେଷଣା କେନ୍ଦ୍ର ସହଯୋଗରେ ଆୟୋଜିତ ହୋଇଯାଇଛି ପ୍ରଥମ ପ୍ରବାସୀ ନୁତ୍ୟ ସଙ୍ଗମ । ଓଡ଼ିଶାର ପରିଚୟ ଓଡିଶୀ ନୃତ୍ୟର ପ୍ରଚାର ପ୍ରସାର ସହ ବିଭିନ୍ନ ଲୋକକଳା ମାଧ୍ୟମରେ ଆମେରିକା ସହ ଏକ ସେତୁ ବନ୍ଧର ସ୍ଥାପନା କରିବା ଏହି ନୃତ୍ୟ ସଙ୍ଗମର ମୂଳ ଲକ୍ଷ୍ୟ । ଗତ ଶନିବାର ସନ୍ଧ୍ୟାରେ ରବୀନ୍ଦ୍ର ମଣ୍ଡପରେ ନୃତ୍ୟ ସଙ୍ଗମର ନୃତ୍ୟ ପ୍ରଦର୍ଶନକୁ ଦର୍ଶକ ଉପଭୋଗ କରିଥିଲେ । ସୁଦୂର ଆମେରିକାରୁ ଆସି ରାଜଧାନୀ ଭୁବନେଶ୍ଵରରେ ୧୬ ଜଣ ପ୍ରବାସୀ ଓଡ଼ିଆ ଓଡ଼ିଶୀ ନୃତ୍ୟ ପ୍ରଦର୍ଶିତ କରିଛନ୍ତି ।
ପ୍ରତିଟି ଗୀତ ନୃତ୍ୟ ଏତେ ଚିତାକର୍ଷକ ଥିଲା ଯେ ଉପସ୍ଥିତ ଦର୍ଶକଙ୍କ କରତାଳିରେ ପ୍ରକମ୍ପିତ ହୋଇଥିଲା ରବୀନ୍ଦ୍ର ମଣ୍ଡପ । ଏହି ଅବସରରେ ପଦ୍ମଶ୍ରୀ ଓଡ଼ିଶୀ ନୃତ୍ୟଗୁରୁ କୁମକୁମ୍ ମହାନ୍ତିଙ୍କୁ ପ୍ରଥମ ପ୍ରବାସୀ ନୁତ୍ୟ ସଙ୍ଗମ ଜୀବନ ବ୍ୟାପୀ ଉପାଧି ପ୍ରଦାନ କରାଯାଇଛି । ଗୁରୁ ଶ୍ରୀମତୀ ଅରୁଣା ମହାନ୍ତିଙ୍କୁ ଇଣ୍ଟରନ୍ୟାସନାଲ ଡାନ୍ସ ଆଇକନିକ ଆୱାର୍ଡ ପ୍ରଦାନ କରାଯାଇଛି । ଏଥିସହ ପ୍ରବାସୀ ନୃତ୍ୟଗୁରୁ ଆୱାର୍ଡ ଗୁରୁ ଜ୍ୟୋତି ରାଉତଙ୍କୁ ଦିଆଯାଇଥିବା ବେଳେ ଯୁବ ପ୍ରତିଭା ସମ୍ମାନ ତପସ୍ୟା ରାଏ ଏବଂ ପ୍ରିତିଶା ମହାପାତ୍ରଙ୍କୁ ପ୍ରଦାନ କରାଯାଇଥିଲା । ଏହି ଉଦଘାଟନ ଅବସରରେ ମୁଖ୍ୟ ଅତିଥି ଭାବେ ଓଡ଼ିଶା ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗର ଶାସନ ସଚିବ ସୁଜାତା ରାଉତ କାର୍ତ୍ତିକେୟନଙ୍କ ସମେତ ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନା ଉପସ୍ଥିତ ଥିଲେ ।