ଓଡିଶା

odisha

ETV Bharat / state

ଶିଳ୍ପ ବିକାଶରେ ଓଡ଼ିଶାର ଅଗ୍ରଣୀ ଭୂମିକା: ୧୯ ପ୍ରକଳ୍ପକୁ ଅନୁମୋଦନ, ସୃଷ୍ଟି ହେବ ୧୩ ହଜାର ୬୬୩ ନିଯୁକ୍ତି - industrial projects in odisha

ରାଜ୍ୟସ୍ତରୀୟ ସିଙ୍ଗଲ ୱିଣ୍ଡୋ କ୍ଲିୟରାନ୍ସ ଅଥରିଟିର ୧୨୨ ତମ ବୈଠକରେ ୧୯ଟି ରୂପାନ୍ତରଣକାରୀ ପ୍ରକଳ୍ପକୁ ଅନୁମୋଦନ ଦିଆଯାଇଛି । ବିଭିନ୍ନ କ୍ଷେତ୍ରରେ ରହିଥିବା ଏହି ପ୍ରକଳ୍ପଗୁଡ଼ିକ ଓଡ଼ିଶାର ବହୁମୁଖୀ ଅଭିବୃଦ୍ଧି କରିବ ବୋଲି ଆଶା ରହିଛି। ଅଧିକ ପଢନ୍ତୁ

industrial projects in odisha
ଶିଳ୍ପ ବିକାଶରେ ଓଡ଼ିଶାର ଅଗ୍ରଣୀ ଭୂମିକା

By ETV Bharat Odisha Team

Published : Oct 1, 2023, 7:41 AM IST

ଭୁବନେଶ୍ବର: ରାଜ୍ୟସ୍ତରୀୟ ସିଙ୍ଗଲ ୱିଣ୍ଡୋ କ୍ଲିୟରାନ୍ସ ଅଥରିଟି (SLSWCA)ର ୧୨୨ ତମ ବୈଠକ ଅନୁଷ୍ଠିତ ହୋଇଛି । ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନାଙ୍କ ତତ୍ତ୍ୱାବଧାନରେ ଅନୁଷ୍ଠିତ ଏହି ବୈଠକରେ ୧୯ଟି ରୂପାନ୍ତରଣକାରୀ ପ୍ରକଳ୍ପକୁ ଅନୁମୋଦନ ଦିଆଯାଇଛି । ମୋଟ ୩ହଜାର ୬୬୩ କୋଟି ଟଙ୍କା ବିନିଯୋଗରେ ଏହି ପ୍ରକଳ୍ପଗୁଡ଼ିକ ଦ୍ୱାରା ପ୍ରାୟ ୧୩ହଜାର ୬୬୩ ନିଯୁକ୍ତି ସୃଷ୍ଟି ହେବାର ଲକ୍ଷ୍ୟ ରହିଛି । ଏହି ବୈଠକ ଭିସି ଯୋଗେ ଅନୁଷ୍ଠିତ ହୋଇଥିବାବେଳେ ଉନ୍ନୟନ କମିଶନର ଅନୁ ଗର୍ଗ ଓ ଶିଳ୍ପ ବିଭାଗର ପ୍ରମୁଖ ଶାସନ ସଚିବ ହେମନ୍ତ କୁମାର ଶର୍ମା ଉପସ୍ଥିତ ଥିଲେ ।

ଓଡ଼ିଶାର ଉତ୍ପାଦନ କ୍ଷମତାକୁ ଆହୁରି ସୁଦୃଢ଼ କରୁଥିବା ପୋଷାକ ଏବଂ ବୟନ ଶିଳ୍ପ କ୍ଷେତ୍ରକୁ ଗୁରୁତ୍ୱ ଦିଆଯାଇ ପ୍ରକଳ୍ପଗୁଡ଼ିକୁ ଅନୁମୋଦନ କରାଯାଇଛି । ଆଧୁନିକ ଉତ୍ପାଦନ ଓ ସ୍ଥାୟୀ ସାମଗ୍ରୀ ଉପରେ ରାଜ୍ୟ ସରକାର ଗୁରୁତ୍ୱ ଦେଉଥିବାବେଳେ ପ୍ଲାଷ୍ଟିକ ଶିଳ୍ପକୁ ପ୍ରୋତ୍ସାହନ ମିଳିଛି । ରାଜ୍ୟର ସମୃଦ୍ଧ ଖଣିଜ ସମ୍ପଦ ଅଞ୍ଚଳ ଏବଂ ଧାତବ ବିଜ୍ଞାନ ଦକ୍ଷତା ଉପରେ ଆଲୋକପାତ ସହ ଉଭୟ ପ୍ରାଥମିକ ଇସ୍ପାତ ଶିଳ୍ପ ଓ ଡାଉନ ଷ୍ଟ୍ରିମ୍‌ ଶିଳ୍ପ ପ୍ରକଳ୍ପର ଅନୁମୋଦନ କରାଯାଇଛି । ଏହାସହ କୃଷି ଓ ଖାଦ୍ୟ ପ୍ରକ୍ରିୟାକରଣ କ୍ଷେତ୍ରରେ ଉନ୍ନତି ପରିଲକ୍ଷିତ ହୋଇଥିବା ନେଇ ବୈଠକରେ ଆଲୋଚନା ହୋଇଛି । ବିଶେଷ କରି ଦ୍ରବ୍ୟ ପରିବହନ କ୍ଷେତ୍ରରେ ଭିତ୍ତିଭୂମି ବିକାଶ ଉପରେ ଅଧିକ ଗୁରୁତ୍ୱ ଦିଆଯାଇଛି । ପର୍ଯ୍ୟଟନ କ୍ଷେତ୍ରର ଅଭିବୃଦ୍ଧିକୁ ପ୍ରୋତ୍ସାହିତ କରାଯାଇଛି ।

ସୂଚନା ଅନୁସାରେ, ହଂକଂର ଏକ ପୋଷାକ ନିର୍ମାତା 'ଏପିକ୍‌ ଗ୍ରୁପ୍‌' ବିଶ୍ୱର କେତେକ ଅଗ୍ରଣୀ ବ୍ରାଣ୍ଡ୍‌ ଓଡ଼ିଶାରେ ପ୍ରତ୍ୟକ୍ଷ ବିଦେଶୀ ପୁଞ୍ଜିନିବେଶକୁ ପ୍ରୋତ୍ସାହିତ କରିବାକୁ ଯାଉଛି । ଏପିକ୍‌ ଗ୍ରୁପର ସହାୟକ ସଂସ୍ଥା ଟ୍ରାଇମେଟ୍ରୋ ଗାର୍ମେଣ୍ଟସ୍‌ ଇଣ୍ଡିଆ ପ୍ରାଇଭେଟ୍ ଲିମିଟେଡ୍‌ ଏହାର ପୋଷାକ ଉତ୍ପାଦନ ସୁବିଧା ପାଇଁ ୩୭୬.୮୫ କୋଟି ଟଙ୍କା ବିନିଯୋଗ କରିବାକୁ ଯୋଜନା କରୁଛି । ଯାହା ଫଳରେ ଖୋର୍ଦ୍ଧାରେ ୭,୦୫୦ ଜଣଙ୍କୁ ନିଯୁକ୍ତି ମିଳିବାର ସୁଯୋଗ ସୃଷ୍ଟି ହୋଇଛି । ଟାଇମ୍‌ ଟେକ୍ନୋପ୍ଲାଷ୍ଟ ଲିମିଟେଡ୍‌ ଏବଂ ଓରିକନ୍‌ ଏଣ୍ଟରପ୍ରାଇଜ୍‌ ଲିମିଟେଡ୍‌ ଯଥାକ୍ରମେ ୫୭ କୋଟି ଏବଂ ୯୦ କୋଟି ଟଙ୍କା ନିବେଶରେ ଖୋର୍ଦ୍ଧାରେ ସେମାନଙ୍କ ଉତ୍ପାଦନ ୟୁନିଟ୍‌ ସହିତ ପ୍ଲାଷ୍ଟିକ୍‌ କ୍ଷେତ୍ରର ଉନ୍ନତି କରିବାକୁ ଯାଉଥିବା କୁହାଯାଇଛି ।

କଳିଙ୍ଗନଗର, ଢେଙ୍କାନାଳ ଓ ସୁନ୍ଦରଗଡ଼ ଭଳି ଅଞ୍ଚଳରେ ଅଗ୍ରଣୀ କମ୍ପାନିଗୁଡ଼ିକ ସାମଗ୍ରିକ ଭାବେ ୨ ହଜାର କୋଟିରୁ ଅଧିକ ଟଙ୍କା ନିବେଶ କରିଛନ୍ତି । ନେଜୋନ ଷ୍ଟିଲ୍ ଉତ୍କଳ ଏଲଏଲପି ଏହାର ଦ୍ୱିତୀୟ ୟୁନିଟ୍‌ ପ୍ରତିଷ୍ଠା ସହିତ ଏହାର ଉତ୍ପାଦନ କ୍ଷମତା ବୃଦ୍ଧି କରିବାକୁ ଯାଉଛି । ଅକ୍ଷୟ ଶକ୍ତି କ୍ଷେତ୍ରରେ ମହାନଦୀ କୋଲ୍ ଫିଲ୍ଡସ୍ ଲିମିଟେଡ ଏବଂ ଓଡ଼ିଶା ପାୱାର ଜେନେରେସନ କର୍ପୋରେସନ୍ ଲିମିଟେଡ୍‌ ଯଥାକ୍ରମେ ୨୯୭.୬୧ କୋଟି ଏବଂ ୨୧୫ କୋଟି ଟଙ୍କା ବିନିଯୋଗରେ ସୌର ଶକ୍ତି ପ୍ଲାଣ୍ଟ୍‌ ଆରମ୍ଭ କରୁଛନ୍ତି । ଚନ୍ଦନପୁର ପ୍ରଗତି ମିଲ୍କ ପ୍ରଡକ୍ଟସ୍‌ ପ୍ରାଇଭେଟ୍‌ ଲିମିଟେଡର ଆଇସ୍କ୍ରିମ ଓ ବେକଡ ପ୍ରଡକ୍ଟ ଉତ୍ପାଦନ କାରଖାନା ଏବଂ ପାରଳାଖେମୁଣ୍ଡି କୋଷ୍ଟାଲ୍‌ ବାୟୋଟେକ ପ୍ରାଇଭେଟ୍‌ ଲିମିଟେଡ୍‌ର ଆଧୁନିକ ରାଇସ୍‌ ମିଲ୍‌ ଭଳି ଘରୋଇ କମ୍ପାନୀରୁ କୃଷି ଓ ଖାଦ୍ୟ ପ୍ରକ୍ରିୟାକରଣ କ୍ଷେତ୍ର ଉପକୃତ ହେବାକୁ ଯାଉଛି ।

ଏହା ବି ପଢନ୍ତୁ...ଶିଳ୍ପ ଜିଲ୍ଲାରେ ଶିଳ୍ପ ବିରୁଦ୍ଧରେ ସମାବେଶ, ସରକାରଙ୍କୁ ସମାଲୋଚନା


କୃପାଳୁ କୁଞ୍ଜ ପକ୍ଷରୁ ଯାଜପୁରରେ ବାର୍ଷିକ ୪୬ ହଜାର ମେଟ୍ରିକ ଟନ କ୍ଷମତା ବିଶିଷ୍ଟ କମ୍ପ୍ରେସଡ୍‌ ବାୟୋ ଗ୍ୟାସ୍‌ ଓ ଫର୍ମେଣ୍ଟେଡ୍‌ ଜୈବିକ ସାର କାରଖାନା ସ୍ଥାପନ କରାଯାଉଛି । ଯେଉଁଥିରେ ୭୩.୨୫ କୋଟି ଟଙ୍କା ବିନିଯୋଗ ଓ ୧୩୮ ନିଯୁକ୍ତି ସମ୍ଭାବନା ରହିଛି । ସେହିପରି ପାରାଦୀପରେ ମେ'ଫେୟାର ହୋଟେଲ ଆଣ୍ଡ୍‌ ରିସୋର୍ଟସ ଲିମିଟେଡ୍‌ର କନଭେନସନ ସେଣ୍ଟର ଏଠାରେ ୨୦ଟି କୋଠରୀ ପ୍ରତିଷ୍ଠା କରିବ । ଏହାର କ୍ଷମତାକୁ ସମ୍ପ୍ରସାରିତ କରାଯିବା ଫଳରେ ଏହା ଓଡ଼ିଶାର ପର୍ଯ୍ୟଟନକୁ ଉଜ୍ଜ୍ୱଳ କରିବାର ସମ୍ଭାବନା ରହିଛି । ପୋଷାକଠାରୁ ଆରମ୍ଭ କରି ଅକ୍ଷୟ ଶକ୍ତି ପର୍ଯ୍ୟନ୍ତ ବିଭିନ୍ନ କ୍ଷେତ୍ରରେ ରହିଥିବା ଏହି ପ୍ରକଳ୍ପଗୁଡ଼ିକ ଓଡ଼ିଶାର ବହୁମୁଖୀ ଅଭିବୃଦ୍ଧି କରିବ ।

ଓଡ଼ିଶା ଆଜି ଶିଳ୍ପ ପୁନରୁଦ୍ଧାରରେ ଆଗକୁ ବଢୁଛି । କେବଳ ଜାତୀୟ ଏବଂ ବୈଶ୍ୱିକ ନିବେଶକମାନଙ୍କୁ ଆକୃଷ୍ଟ କରୁନାହିଁ , ବରଂ ସାମଗ୍ରିକ ବିକାଶ ପାଇଁ ଏକ ମାନଦଣ୍ଡ ମଧ୍ୟ ସ୍ଥାପିତ କରୁଛି । ଏହି ସବୁ ପ୍ରକଳ୍ପ କାର୍ଯ୍ୟକାରୀ ହେଲେ ଏହା ନିଶ୍ଚିତ ଭାବେ ଓଡ଼ିଶା ଶିଳ୍ପ ଦକ୍ଷତା ଓ ଅର୍ଥନୈତିକ ସମୃଦ୍ଧିର କ୍ଷମତା କେନ୍ଦ୍ର ହେବା ଦିଗରେ ପ୍ରୋତ୍ସାହିତ କରିବ। ଏସବୁକୁ ଆଖି ଆଗରେ ରଖି ଓଡ଼ିଶା ସମସ୍ତଙ୍କୁ 'ଆସନ୍ତୁ...ମହାକୁମ୍ଭରେ ଯୋଗ ଦିଅନ୍ତୁ' ଆହ୍ୱାନ ଦେଇ ରାଜ୍ୟରେ ଶିଳ୍ପ ବିକାଶରେ ଅଗ୍ରଣୀ ଭୂମିକା ନିର୍ବାହ କରିଛି ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details