ଭୁବନେଶ୍ବର: ଓଡ଼ିଶା ସରକାରଙ୍କର ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗ ପକ୍ଷରୁ ରାଜଧାନୀ ଜନତା ମଇଦାନରେ ଆରମ୍ଭ ହୋଇଛି ସପ୍ତଦଶ ତୋଷାଳି ଜାତୀୟ ହସ୍ତଶିଳ୍ପ ମେଳା । ଫେବୃଆରୀ 1 ତାରିଖରୁ ଆରମ୍ଭ ହେଇଥିବା ଏହି ତୋଷାଳି ମେଳା ଆସନ୍ତା 12 ତାରିଖ ପର୍ଯ୍ୟନ୍ତ ଚାଲିବ । ମଧ୍ୟାହ୍ନ 12ଟା 30ରୁ ରାତି 9ଟ 30ଯାଏ ଖୋଲା ରହିବ । ଏହି ମେଳାରେ ଦେଶର କୋଣ ଅନୁକୋଣରୁ ବିଭିନ୍ନ କାରିଗର ଓ ବୁଣାକାର ଅଂଶଗ୍ରହଣ କରିଛନ୍ତି ।
ସେମାନେ ପାରମ୍ପରିକ ତଥା ସମସାମୟିକ ହସ୍ତଶିଳ୍ପ ଉତ୍ପାଦ ପ୍ରଦର୍ଶନ କରିଛନ୍ତି । ହସ୍ତତନ୍ତ ଓ ବୟନ ଶିଳ୍ପ ମନ୍ତ୍ରୀ ରୀତା ସାହୁ ଓ କୃଷି ବିଭାଗ ପ୍ରମୁଖ ଶାସନ ସଚିବ ଅରବିନ୍ଦ ପାଢୀ ଯୋଗ ଦେଇ ମେଳାର ଉଦଘାଟନ କରିଛନ୍ତି । ଏହା ସହିତ ଉଦଘାଟନୀ ଉତ୍ସବରେ ମନ୍ତ୍ରୀ ଅଶୋକ ପଣ୍ଡା, ବିଧାୟକ ଅନନ୍ତ ନାରାୟଣ ଜେନା, ବିଧାୟକ ସୁଶାନ୍ତ କୁମାର ରାଉତ ପ୍ରମୁଖ ଉପସ୍ଥିତ ଥିଲେ ।
ଏହି ମେଳାର ଲକ୍ଷ୍ୟ ହେଉଛି, ରାଜ୍ୟ ଶିଳ୍ପୀ, କାରିଗର, ବୁଣାକାରମାନଙ୍କ ମଧ୍ୟରେ ଭାବର ଆଦାନପ୍ରଦାନ ସହ ବ୍ୟବସାୟର ସୁଯୋଗ ସୃଷ୍ଟି କରିବା । ତୋଷାଳି ମେଳାରେ ପ୍ରଥମ ଦିନରେ ବହୁ ପ୍ରତିଭା ସମ୍ପନ୍ନ ବ୍ୟକ୍ତି ବିଶେଷଙ୍କୁ ପୁରସ୍କୃତ କରାଯାଇଥିଲା । ଦେଶର ବିଭିନ୍ନ ରାଜ୍ୟରୁ ଚଳିତ ବର୍ଷ ଏହି ମେଳାରେ ୫୬୦ ଜଣ ବୁଣାକାର ଓ କାରିଗର ଅଂଶ ଗ୍ରହଣ କରିଛନ୍ତି । ସେହିଭଳି ରାଜଧାନୀବାସୀ ଓଡ଼ିଶାର ପାରମ୍ପାରିକ ହାତ ତିଆରି ଖାଦ୍ୟ ଖାଇବାର ମଜା ନେଇଛନ୍ତି । ମେଳାରେ ୨୫ଟି ଖାଦ୍ୟ ଷ୍ଟଲ ରହିଛି । ପ୍ରତ୍ୟେକ ଦିନ ୨.୩୦ ରୁ ରାତି ୯.୩୦ ଯାଏ ଏହି ମେଳା ଖୋଲା ରହିବ । ଫେବୃଆରୀ ୧ରୁ ଏହା ଉଦଘାଟିତ ହୋଇଥିବା ବେଳେ ଏହା ୧୨ ଯାଏ ଏହା ଚାଲିବ । ହସ୍ତତନ୍ତର ପ୍ରଚାର ପ୍ରସାର ପାଇଁ ଏକ ସ୍ବତନ୍ତ୍ର ଷ୍ଟଲ କରାଯାଇଛି ।