ଭୁବନେଶ୍ବର:୧୭୦ତମ ରାଜ୍ୟସ୍ତରୀୟ ବ୍ୟାଙ୍କର୍ସ କମିଟି ବୈଠକ ଅନୁଷ୍ଠିତ ହୋଇଛି । ବୈଠକର ଅଧ୍ୟକ୍ଷତା କରିଛନ୍ତି ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ଅନୁଗର୍ଗ । ରାଜ୍ୟର ଆର୍ଥିକ ଅଭିବୃଦ୍ଧି ନିମନ୍ତେ ବ୍ୟାଙ୍କଗୁଡ଼ିକ ସବୁ କ୍ଷେତ୍ରକୁ ଋଣ ପ୍ରଦାନ କରିବା ପାଇଁ ସେ ବୈଠକରେ ମତବ୍ୟକ୍ତ କରିଛନ୍ତି । ବ୍ୟାଙ୍କର୍ସ କମିଟି ବୈଠକରେ ବାର୍ଷିକ ଋଣ ଯୋଜନା, ନଗଦ ଜମା ଅନୁପାତ, ଆର୍ଥିକ ଅନ୍ତର୍ଭୁକ୍ତିକରଣ, ଆର୍ଥିକ ସାକ୍ଷରତା, ବ୍ୟାଙ୍କିଙ୍ଗ ଭିତ୍ତିଭୂମି, କୃଷି, ଏମଏସଏମଇ, ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ ଋଣ ପ୍ରଦାନ ସମ୍ବନ୍ଧରେ ଆଲୋଚନା ହୋଇଛି । ଓଡ଼ିଶା ୭୮.୮୧ ଶତକଡ଼ା ନଗଦ ଜମା ହାସଲ କରି ଏକ ସୁସ୍ଥ ଅନୁପାତ ବଜାୟ ରଖିପାରିଛି । ନଗଦ ଜମା ଅନୁପାତ ପ୍ରତ୍ୟେକ ବ୍ୟାଙ୍କ ପାଇଁ ମୁଖ୍ୟ ସୂଚକ ହୋଇଥିବାବେଳେ ରାଜ୍ୟରେ ପ୍ରତି ବ୍ୟାଙ୍କର ନଗଦ ଜମା ଅନୁପାତରେ ଉଲ୍ଲେଖନୀୟ ଉନ୍ନତି ହୋଇଛି ।
ବାର୍ଷିକ ଋଣ ଯୋଜନାରେ ୩୧ ଡିସେମ୍ବର ୨୦୨୨ ସୁଦ୍ଧା ୧୩ ହଜାର କୋଟିରୁ ଅଧିକ ଟଙ୍କାର ଋଣ ପ୍ରଦାନର ଲକ୍ଷ୍ୟ ରଖାଯାଇଛି । ବ୍ୟାଙ୍କମାନଙ୍କ ଦ୍ୱାରା ୯ କୋଟି ଅଧିକ ଟଙ୍କାର ଋଣ ପ୍ରଦାନ କରାଯାଇଛି । ଯାହା ଧାର୍ଯ୍ୟ ଲକ୍ଷ୍ୟର ୭୨.୩୩ ପ୍ରତିଶତ । ସେହିପରି କୃଷି ଋଣ କ୍ଷେତ୍ରରେ ୫ କୋଟି ଟଙ୍କାର ଲକ୍ଷ୍ୟ ରଖାଯାଇଥିବା ବେଳେ ୪୧୦୬୬ କୋଟି ଟଙ୍କାର ଋଣ ପ୍ରଦାନ କରି ବ୍ୟାଙ୍କ ଗୁଡ଼ିକ ଧାର୍ଯ୍ୟ ଲକ୍ଷ୍ୟର ୭୮.୨୮ ପ୍ରତିଶତ ହାସଲ କରିଛନ୍ତି ।
ଏମଏସଏମଇ କ୍ଷେତ୍ରରେ ଶତକଡ଼ା ୭୭.୨୮ ଲକ୍ଷ୍ୟ ହାସଲ ହୋଇଛି । ବ୍ୟାଙ୍କମାନଙ୍କ ଦ୍ୱାରା ଏମଏସଏମଇ କ୍ଷେତ୍ରକୁ ୫୯ ହଜାର ୪୪୯ କୋଟି ଟଙ୍କାର ଋଣ ପ୍ରଦାନର ଲକ୍ଷ୍ୟ ରଖାଯାଇଥିବା ବେଳେ ୪୫ ହଜାର ୯୪୦ କୋଟି ଟଙ୍କାର ଋଣ ପ୍ରଦାନ କରାଯାଇଛି । ସେହିପରି ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ ଋଣ ପ୍ରଦାନ ନିମନ୍ତେ ୮ ହଜାର ୬୫୦ କୋଟି ଟଙ୍କାର ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି। ବ୍ୟାଙ୍କଗୁଡ଼ିକ ଦ୍ୱାରା ୭ ହଜାର ୮୬୩ କୋଟି ଟଙ୍କାର ଋଣ ପ୍ରଦାନ କରିଛନ୍ତି । ସ୍ୱୟଂ ସହାୟକ କ୍ଷେତ୍ରରେ ଧାର୍ଯ୍ୟ ଲକ୍ଷ୍ୟର ୯୦ ପ୍ରତିଶତ ହାସଲ ହୋଇଛି । ଋଣ ପରିମାଣ ବର୍ତ୍ତମାନ ୨ ଲକ୍ଷ ୮୫ ହଜାର ଟଙ୍କା ଥିବାବେଳେ ପରବର୍ତ୍ତୀ ସମୟରେ ୫-‘ଟି’ ଅଧିନରେ ଏହାକୁ ୫ ଲକ୍ଷ ଟଙ୍କା କରିବାକୁ ଲକ୍ଷ୍ୟ ରଖାଯାଇଛି । ସାମାଜିକ ସୁରକ୍ଷା ଯୋଜନା ଅଧିନରେ ବ୍ୟାଙ୍କଗୁଡ଼ିକ ଭଲ ପ୍ରଦର୍ଶନ କରିଛନ୍ତି ।