ଭୁବନେଶ୍ବର: ଶିମିଳିପାଳରେ ସାବାଡ ହେବେ ଜଙ୍ଗଲ ମାଫିଆ । କାଠ ମାଫିଆ ଓ ଶିକାରୀଙ୍କୁ ଜଗିବାକୁ ଶିମିଳିପାଳ ବ୍ୟାଘ୍ର ଅଭୟାରଣ୍ୟ ସୁରକ୍ଷାରେ ମୁତୟନ ହେବ ୧୪ କଷ୍ଟମାଇଜଡ ଅଲ୍ ୱେଦର ଅଲ୍ ରୋଡ ବୋଲେରୋ କ୍ୟାମ୍ପର । ଅଲିଭ ଗ୍ରୀନ ରଙ୍ଗର ଏସବୁ ଗାଡ଼ିକୁ ସ୍ଵତନ୍ତ୍ର ଭାବେ ଶିମିଳିପାଳ ପାଇଁ ଡିଜାଇନ କରାଯାଇଛି । ଏଥିରେ ରିମୋଟ କଣ୍ଟ୍ରୋଲ ସର୍ଚ୍ଚ ଲାଇଟ ଖଞ୍ଜାଯାଇଛି, ଯାହାକି ରାତି ସମୟରେ ସବୁ ଦିଗକୁ ଦେଖିପାରିବ । ଏମିତିକି ଏସବୁ ଯାନରେ ଥିବା ୱିଞ୍ଚ ବର୍ଷା ଋତୁରେ ରେସ୍କ୍ୟୁ ଅପରେସନରେ ବେଶ ସହାୟକ ହେବ । ଏହାଦ୍ବାରା ଆଗାମୀ ଦିନରେ ଶିମିଳିପାଳର ସବୁ ଅଞ୍ଚଳକୁ କାଠ ମାଫିଆ ଓ ଶିକାରୀଙ୍କ କବଳରୁ ଅଧିକ ସୁରକ୍ଷିତ କରାଯାଇପାରିବ ବୋଲି କହିଛନ୍ତି ବନ୍ୟପ୍ରାଣୀ ପିସିସିଏଫ୍ ସୁଶାନ୍ତ ନନ୍ଦ ।
ଶୁକ୍ରବାର ନନ୍ଦନକାନନର ପ୍ରତିଷ୍ଠା ଦିବସ ଅବସରରେ ଶୁଭାରମ୍ଭ ହୋଇଛି କଷ୍ଟମାଇଜଡ ଅଲ୍ ୱେଦର ଅଲ୍ ରୋଡ ବୋଲେରୋ କ୍ୟାମ୍ପର । ଜଙ୍ଗଲ ମନ୍ତ୍ରୀ ପ୍ରଦୀପ ଅମାତ ଏସବୁ ଗାଡ଼ିର ଶୁଭାରମ୍ଭ କରିଛନ୍ତି । ଶିମିଳିପାଳ ବ୍ୟାଘ୍ର ଅଭୟାରଣ୍ୟ ସୁରକ୍ଷାରେ ମୁତୟନ ହେବ ୧୪ କଷ୍ଟମାଇଜଡ ଅଲ୍ ୱେଦର ଅଲ୍ ରୋଡ ବୋଲେରୋ କ୍ୟାମ୍ପର । ଏହି ଗାଡିଗୁଡିକ ଆଜିଠାରୁ ଶିମିଳିପାଳରେ ମୁତୟନ ହେବାର ସୂଚନା ରହିଛି । ଏପଟେ ଦକ୍ଷିଣ ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପର ଉ ନିର୍ଦ୍ଦେଶକ ସମ୍ରାଟ ଗୌଡା କହିଛନ୍ତି, ''ଏହିସବୁ ଗାଡ଼ି ସବୁ ପ୍ରକାର ପାଣିପାଗରେ ଗଡି ପାରିବ । ବର୍ଷା ହେଉ କିମ୍ବା ଶୀତ ସବୁ ସମୟରେ ଏହି ଗାଡ଼ି ଚାଲିବ । ଜଙ୍ଗଲରେ ଯଦି କୌଣସି ସ୍ଥାନରେ କିଛି ଅସୁବିଧା ଦେଖାଯାଏ ତେବେ ଗାଡ଼ିରେ ଲାଗିଥିବା ୩୬୦ ଡିଗ୍ରୀ ଲାଇଟ ଦ୍ଵାରା ଯାଞ୍ଚ କରାଯାଇ ପାରିବ ।''
ଏହା ମଧ୍ୟ ପଢ଼ନ୍ତୁ...ନୂଆବର୍ଷରେ ନନ୍ଦନକାନନକୁ ଆସିବେ ନୂଆ ଅତିଥି ଚିତା ବାଘ