ଭୁବନେଶ୍ବର: ୧୨୩ତମ ରାଜ୍ୟସ୍ତରୀୟ ସିଙ୍ଗଲ ୱିଣ୍ଡୋ କ୍ଲିୟରାନ୍ସ ଅଥରିଟି ବା ଏସଏଲଏସ୍ଡବ୍ଲ୍ୟୁସିଏ ବୈଠକ ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଛି । ବୈଠକରେ ୧୨ଟି ନୂଆ ପ୍ରକଳ୍ପ ଅନୁମୋଦନ ମିଳିଛି । ୪,୭୧୫ ନିଯୁକ୍ତି ସମ୍ଭାବନା ଥିବା ୨,୭୯୪.୪୭ କୋଟି ଟଙ୍କାର ବିନିଯୋଗ ହେବ । ଏସଏଲଏସଡବ୍ଲୁସିଏ ବୈଠକରେ ଏକାଧିକ କ୍ଷେତ୍ରରେ ଶିଳ୍ପ କ୍ଷେତ୍ରରେ ବିବିଧତା ଆଣିବା ପାଇଁ ରାଜ୍ୟର ପ୍ରତିବଦ୍ଧତାକୁ ଉପସ୍ଥାପନ କରାଯାଇଥିଲା । ଓଡ଼ିଶାର ଉତ୍ପାଦନ କ୍ଷମତାକୁ ଆହୁରି ସୁଦୃଢ଼ କରିବା ପାଇଁ ସେମି କଣ୍ଡକ୍ଟର ଓ ଇଏସଡିଏମ କ୍ଷେତ୍ରରେ ଉଲ୍ଲେଖନୀୟ ଅନୁମୋଦନ ମିଳିଛି ।
ଆଧୁନିକ ଉତ୍ପାଦନ ଏବଂ ପୋଷଣୀୟ ସାମଗ୍ରୀ ଉପରେ ରାଜ୍ୟ ସରକାର ଗୁରୁତ୍ୱ ଦେଉଥିବାରୁ ଆଲୁମିନିୟମ ଶିଳ୍ପକୁ ପ୍ରୋତ୍ସାହନ ମିଳିଛି । ସମୃଦ୍ଧ ଖଣିଜ ସମ୍ପଦ ଏବଂ ଧାତବ ବିଜ୍ଞାନ ଦକ୍ଷତା ଉପରେ ଗୁରୁତ୍ୱ ଦିଆଯାଇ ଉଭୟ ଡାଉନଷ୍ଟ୍ରିମ ଓ ପ୍ରାଥମିକ ଇସ୍ପାତ ଶିଳ୍ପ କ୍ଷେତ୍ରକୁ ଅନୁମୋଦନକୁ ଗୁରୁତ୍ୱ ଦିଆଯାଇଛି । ଓଡ଼ିଶାର ସାଂସ୍କୃତିକ ଓ ପ୍ରାକୃତିକ ଆକର୍ଷଣର ଫାଇଦା ଉଠାଇବା ପାଇଁ ପର୍ଯ୍ୟଟନ କ୍ଷେତ୍ରର ଅଭିବୃଦ୍ଧିକୁ ପ୍ରୋତ୍ସାହିତ କରାଯାଇଛି । ବିଭିନ୍ନ ଜିଲ୍ଲାରେ ଏହିସବୁ କ୍ଷେତ୍ରରେ ଶିଳ୍ପ ପ୍ରତିଷ୍ଠା ରାଜ୍ୟରେ ଶିଳ୍ପ ବିକାଶ ରଣନୀତିର ସଙ୍କେତ ଦେଉଛି ।
ସେମିକଣ୍ଡକ୍ଟର ଏବଂ ଇଏସଡିଏମ କ୍ଷେତ୍ରରେ ଆରଆଇଆର ପାୱାର ଇଲେକ୍ଟ୍ରୋନିକ୍ସ ଲିମିଟେଡ ସେମି-କଣ୍ଡକ୍ଟର ଏବଂ ଇଏସଡିଏମ ସେକ୍ଟରରେ ସିଲିକୋ କାର୍ବାଇଡ ଡିଭାଇସ ଏବଂ ଏସଆଇସି ମଡ୍ୟୁଲ ପାଇଁ ଉତ୍ପାଦନ ଫେବ୍ରିକେସନ ଏବଂ ପ୍ୟାକେଜିଂ ସୁବିଧା ପ୍ରତିଷ୍ଠା ପାଇଁ ୫୧୦.୮୦ କୋଟି ଟଙ୍କା ନିବେଶ କରିବାକୁ ପ୍ରତିଶ୍ରୁତି ମିଳିଛି । ଫଳରେ ଖୋର୍ଦ୍ଧା, ଇନଫୋଭ୍ୟାଲିରେ ୨୦୬ ଜଣଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି ହୋଇଛି । ଖୋର୍ଦ୍ଧାରେ ଅତ୍ୟାଧୁନିକ ଲ୍ୟାବ ମାଧ୍ୟମରେ ହୀରା ଓ ଅଳଙ୍କାର ଉତ୍ପାଦନ କାରଖାନା ଜରିଆରେ ରତ୍ନପଥର କ୍ଷେତ୍ରରେ ବିପ୍ଳବ ଆଣିବାକୁ ଯାଉଛି ନୁଭୋ ଆୟୋନ ଡାଇମଣ୍ଡ ଆଣ୍ଡ ଜୁଏଲାରୀ ମ୍ୟାନୁଫାକ୍ଚରିଂ ଏଲଏଲପି । ୨୫୬.୫୦ କୋଟି ବିନିଯୋଗରେ ଏହି ଅଗ୍ରଣୀ ଉଦ୍ୟୋଗ ୩୦୦ ଜଣଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି କରିବା ସହିତ ଏ କ୍ଷେତ୍ରରେ ପ୍ରଥମ ଉତ୍ପାଦନ କେନ୍ଦ୍ର ଭାବରେ କାର୍ଯ୍ୟ କରିବାକୁ ଯାଉଛି । ଏହା ବ୍ୟତୀତ ରତ୍ନ ଓ ଅଳଙ୍କାର କ୍ଷେତ୍ରରେ ଆନୁଷଙ୍ଗିକ ଓ ଡାଉନଷ୍ଟ୍ରିମ ଶିଳ୍ପର ଅଭିବୃଦ୍ଧିକୁ ପ୍ରୋତ୍ସାହିତ କରିବ ବୋଲି ଆଶା କରାଯାଉଛି ।
ଫୋର ଷ୍ଟାର ମେଟାଲିକ୍ସ ପ୍ରାଇଭେଟ ଲିମିଟେଡ, ଖେଦରିଆ ଇସ୍ପାତ ଲିମିଟେଡ, ନ୍ୟୁ ଲକ୍ଷ୍ମୀ ଷ୍ଟିଲ ଆଣ୍ଡ ପାୱାର ପ୍ରାଇଭେଟ ଲିମିଟେଡ ଏବଂ ଅଭିରବ ଇଣ୍ଡଷ୍ଟ୍ରିଜ ପ୍ରାଇଭେଟ ଲିମିଟେଡ ଆଦି ସହିତ ଅନେକ ବିଭିନ୍ନ କମ୍ପାନୀଗୁଡିକର ପୁଞ୍ଜିନିବେଶ ଯୋଗୁଁ ଇସ୍ପାତ କ୍ଷେତ୍ରରେ ଉଲ୍ଲେଖନୀୟ ଅଭିବୃଦ୍ଧି ଘଟିଛି । ଏହି କମ୍ପାନୀଗୁଡ଼ିକ ଯାଜପୁର ଓ ସୁନ୍ଦରଗଡ଼ ଭଳି ଅଞ୍ଚଳରେ ପ୍ରାୟ ୯୦୦ କୋଟି ଟଙ୍କା ନିବେଶ କରିଛନ୍ତି । ଯାହା ଏହି ପୁଞ୍ଜିନିବେଶ ମାଧ୍ୟମରେ ଆନୁଷଙ୍ଗିକ ଏବଂ ଡାଉନଷ୍ଟ୍ରିମ କ୍ଷେତ୍ରରେ ରାଜ୍ୟ ୧୬୯୬ରୁ ଅଧିକ ଲୋକଙ୍କ ପାଇଁ ରୋଜଗାର ସୃଷ୍ଟି କରିବ । ଫର୍ଟିଲାଇଜର କ୍ଷେତ୍ରରେ ଉତ୍କଳ ଫସଫେଟ ପ୍ରାଇଭେଟ ଲିମିଟେଡ ଜଗତସିଂହପୁରରେ ବାର୍ଷିକ ୧ ଲକ୍ଷ ୨୦ ହଜାର ମେଟ୍ରିକ ଟନ କ୍ଷମତା ବିଶିଷ୍ଟ ସିଙ୍ଗଲ ସୁପର ଫସଫେଟ ଓ ଗ୍ରାନୁଲେଟେଡ ସିଙ୍ଗଲ ସୁପର ଫସଫେଟ ସାର ୟୁନିଟର ଉତ୍ପାଦନ ୟୁନିଟ ପ୍ରତିଷ୍ଠା ପାଇଁ ୬୨.୦୭ କୋଟି ଟଙ୍କା ବିନିଯୋଗ କରୁଛି ।