ଭୁବନେଶ୍ବର: ମଧ୍ୟପ୍ରଦେଶ ସରକାରଙ୍କ ପ୍ରତିନିଧି ଦଳର ୩ ଦିନିଆ ଓଡ଼ିଶା ଗସ୍ତ ଶେଷ ହୋଇଛି । ୭ ଆଇଏଏସ ଅଧିକାରୀଙ୍କ ସହ ମୋଟ ୧୧ ବରିଷ୍ଠ ଅଧିକାରୀ ଏହି ଟିମରେ ସାମିଲ ଥିଲେ । ପ୍ରତିନିଧି ଦଳଙ୍କୁ ଓଡ଼ିଶା ଅର୍ବାନ ଏକାଡେମୀ ୫ଟି ପଦକ୍ଷେପ ଅନ୍ତର୍ଗତ ପରିମଳ ବ୍ୟବସ୍ଥାରେ ଫେକାଲ ସ୍ଲେଜ ଏବଂ ସେପ୍ଟେଜ ମ୍ୟାନେଜମେଣ୍ଟ, କଠିନ ବର୍ଜ୍ୟବସ୍ତୁ ପରିଚାଳନା ଏବଂ ସହରୀ ଗ୍ରାମୀଣ କନଭର୍ଜେନ୍ସ ପାଇଁ ଓଡିଶା ମଡେଲ ବିଷୟରେ ଅବଗତ କରାଯାଇଛି । ୨୫ ତାରିଖ ଦିନ ପ୍ରଥମେ ଓୟୁଏ କର୍ତ୍ତୃପକ୍ଷ ପ୍ରତିନିଧି ଦଳଙ୍କୁ ଓଡ଼ିଶା ଆପଣାଇଥିବା ପରିମଳ ବ୍ୟବସ୍ଥାର ଆଭିମୁଖ୍ୟ ସମ୍ପର୍କରେ ଅବଗତ କରାଇଥିଲେ । ରାଜ୍ୟ ଗୃହ ଓ ନଗର ଉନ୍ନୟନ ବିଭାଗ ପ୍ରମୁଖ ସଚିବ ଜି ମାଥିଭାଥନନ ସେମାନଙ୍କୁ ଓଡିଶାର ସହରୀ ପରିବର୍ତ୍ତନ ଉପରେ ଆଲୋକପାତ କରାଇଥିଲେ ।
ଏହାସହ ବିଭିନ୍ନ ସହରୀ ପରିମଳ ଏବଂ ଜଳ ଉତ୍ସର ବିକାଶ ଓ ସଂରକ୍ଷଣ ପ୍ରତି ନିଆଯାଇଥିବା ପଦକ୍ଷେପ ବିଷୟରେ ଅବଗତ କରାଯାଇଥିଲା । ପରିମଳ କ୍ଷେତ୍ରରେ ସୁଧାର ଆଣିବା ଲାଗି ରାଜ୍ୟ ସରକାରଙ୍କ ଦ୍ବାରା ମିଶନ ମୋଡରେ ନିଆଯାଉଥିବା ବିଭିନ୍ନ କାର୍ଯକ୍ରମ ଏବଂ ସେଥିରୁ ରାଜ୍ୟ କିପରି ଲାଭବାନ ହୋଇପାରୁଛି ତାହା ଦର୍ଶାଇଥିଲେ । ଓଡ଼ିଶା ଏହାର ଅଗ୍ରଗାମୀ ଫେକାଲ ସ୍ଲେଜ୍ ଆଣ୍ଡ୍ ସେପ୍ଟେଜ୍ ମ୍ୟାନେଜମେଣ୍ଟ ପାଇଁ ସର୍ବଭାରତୀୟ ସ୍ତରରେ ଜଣାଶୁଣା । ରାଜ୍ୟର ସମସ୍ତ ୧୧୫ ପୌରସଂସ୍ଥା ମଧ୍ୟରେ ୧୧୮ଟି ଫେକାଲ ସ୍ଲେଜ ଟ୍ରିଟମେଣ୍ଟ ପ୍ଲାଣ୍ଟ ନିର୍ମାଣ କରାଯାଇଛି । ଗ୍ରାମାଞ୍ଚଳ ଏବଂ ସହରାଞ୍ଚଳ ପରିମଳର ସମ୍ମିଶ୍ରଣକୁ ନେଇ ରାଜ୍ୟବ୍ୟାପୀ କାର୍ଯ୍ୟ କରାଯାଉଛି । ଜଳ, ପରିମଳ ଏବଂ ଅନ୍ତର୍ଭୂକ୍ତ ସହରାଞ୍ଚଳ ବିକାଶ କ୍ଷେତ୍ରରେ ଦକ୍ଷତା ବୃଦ୍ଧି ଇକୋସିଷ୍ଟମକୁ ମଜଭୁତ କରିବା ପାଇଁ ଓୟୁଏଟିର ଭୂମିକାକୁ ନେଇ ପ୍ରମୁଖ ଶାସନ ସଚିବ ମଧ୍ୟପ୍ରଦେଶ ପ୍ରତିନିଧି ଦଳଙ୍କୁ ଅବଗତ କରାଇଛନ୍ତି ।