ଓଡିଶା

odisha

By

Published : Feb 20, 2023, 10:48 PM IST

ETV Bharat / state

ବାଲେଶ୍ୱରରେ ପ୍ରତିଷ୍ଠା ହେବ ୧୦୦ ଶଯ୍ୟା ବିଶିଷ୍ଟ ESIC ଡାକ୍ତରଖାନା

ପ୍ରତିଷ୍ଠା ହେବ ୧୦୦ ଶଯ୍ୟା ବିଶିଷ୍ଟ ଏକ ଇଏସଆଇସି ଡାକ୍ତରଖାନା । ଇଏସଆଇସିର ୧୯୦ ତମ ବୈଠକରେ ସୂଚନା। ଅଧିକ ପଢନ୍ତୁ

ESIC hospital
ESIC hospital

ESIC hospital

ଭୁବନେଶ୍ବର:ବାଲେଶ୍ୱରରେ ପ୍ରତିଷ୍ଠା ହେବ ୧୦୦ ଶଯ୍ୟା ବିଶିଷ୍ଟ ଏକ ଇଏସଆଇସି ଡାକ୍ତରଖାନା । ଡାକ୍ତରଖାନା ଖୋଲାଯିବା ନେଇ ଆଜି କେନ୍ଦ୍ର ଶ୍ରମ ଏବଂ ରୋଜଗାର ମନ୍ତ୍ରୀ ଭୂପେନ୍ଦର ଯାଦବ ଘୋଷଣା କରିଛନ୍ତି । ଚଣ୍ଡୀଗଡ଼ରେ ଇଏସଆଇସିର ୧୯୦ ତମ ବୈଠକରେ ଯୋଗ ଦେଇ ସେ ସୂଚନା ଦେଇଛନ୍ତି । ଶ୍ରମଜୀବୀ ମାନଙ୍କ ସାମାଜିକ ନିରାପତ୍ତାକୁ ସୁନିଶ୍ଚିତ କରିବା ନିମନ୍ତେ ଏହା ଏକ ଦୃଢ଼ ପଦକ୍ଷେପ ବୋଲି ସେ କହିଛନ୍ତି । ଏହା ଫଳରେ ବାଲେଶ୍ୱର ନିକଟସ୍ଥ ବହୁ ଶ୍ରମଜୀବୀ ସୁବିଧାରେ ସ୍ୱାସ୍ଥ୍ୟସେବା ପାଇ ପାରିବେ ।

ESIC hospital

ଏନେଇ କେନ୍ଦ୍ର ଶ୍ରମ ଓ ରୋଜଗାର ମନ୍ତ୍ରୀ ଭୂପେନ୍ଦର ଯାଦବ ଆଜି ଚଣ୍ଡିଗଡରେ ଇଏସ୍‌ଆଇସିର ୧୯୦ ତମ ବୈଠକରେ ଅଧ୍ୟକ୍ଷତା କରିଛନ୍ତି । ବୈଠକରେ ଶ୍ରମ ଓ ରୋଜଗାର, ପେଟ୍ରୋଲିୟମ ଏବଂ ପ୍ରାକୃତିକ ବାଷ୍ପ ରାଷ୍ଟ୍ରମନ୍ତ୍ରୀ ରାମେଶ୍ୱର ତେଲି ମଧ୍ୟ ଯୋଗ ଦେଇଛନ୍ତି । ଶ୍ରମଜୀବୀ ମାନଙ୍କ ପାଇଁ ସାମାଜିକ ନିରାପତ୍ତାକୁ ସୁନିଶ୍ଚିତ କରିବା ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦୃଷ୍ଟିକୋଣକୁ ଆଗକୁ ଆଗେଇ ନେବା ପାଇଁ ଅନେକ ଗୁଡିଏ ନିଷ୍ପତ୍ତି ସମ୍ପର୍କରେ ସେ ଘୋଷଣା କରିଛନ୍ତି ।

ବୃଦ୍ଧି ପାଉଥିବା ଶ୍ରମଜୀବୀ ମାନଙ୍କର ସଂଖ୍ୟାକୁ ଦୃଷ୍ଟିରେ ରଖି କର୍ଣ୍ଣାଟକ, ତେଲେଙ୍ଗାନା, ମହାରାଷ୍ଟ୍ର, ରାଜସ୍ଥାନ ଏବଂ ବାଲେଶ୍ୱରରେ ୧୦୦ ଶଯ୍ୟା ବିଶିଷ୍ଟ ଡାକ୍ତରଖାନା ଏବଂ ଆନ୍ଧ୍ରପ୍ରଦେଶରେ ୩୦ ଶଯ୍ୟା ବିଶିଷ୍ଟ ଇଏସଆଇ ଡାକ୍ତରଖାନା ଏବଂ ଗ୍ରେଟର ନୋଏଡାରେ ୩୫୦ ଶଯ୍ୟା ବିଶିଷ୍ଟ ଇଏସଆଇ ଡାକ୍ତରଖାନା ପ୍ରତିଷ୍ଠା ପାଇଁ ପ୍ରସ୍ତାବକୁ ଇଏସଆଇ ନିଗମ ଅନୁମୋଦନ କରିଛି । ଏଥି ସହ ସିକ୍କିମର ରାଙ୍ଗପୋରେ ନୂତନ ଅନୁମୋଦିତ ୩୦ ଶଯ୍ୟା ବିଶିଷ୍ଟ ଇଏସଆଇସି ଡାକ୍ତରଖାନାକୁ ୧୦୦ ଶଯ୍ୟା ବିଶିଷ୍ଟ କରିବା ଏବଂ ରାଜ୍ୟ ସରକାରଙ୍କ ଠାରୁ ଇଏସଆଇଏସ ହସ୍ପିଟାଲ ଆନ୍ଧ୍ରପ୍ରଦେଶ ଏବଂ ଝାଡଖଣ୍ଡକୁ ନିଜ ହାତକୁ ନେବା ପାଇଁ ନିଷ୍ପତ୍ତି ନିଆଯାଇଛି ।

ତେବେ ବିସ୍ତୃତ ଜନବହୁଳ ଉତ୍ତର - ପୂର୍ବ ଅଞ୍ଚଳ , ଘରୋଇ ଡାକ୍ତରଖାନା ବା ଡିସପେନସାରୀ ବା ନର୍ସିଂହୋମ ଇତ୍ୟାଦିର ତୀବ୍ର ଅଭାବ ଏବଂ ଉତ୍ତର ପୂର୍ବ - ଅଞ୍ଚଳର ଇଏସଆଇ ଯୋଜନାର ଆର୍ଥିକ ସ୍ଥିତିକୁ ଦୃଷ୍ଟିରେ ରଖି ଇଏସଆଇସି ଉତ୍ତର ପୂର୍ବ ରାଜ୍ୟ ଗୁଡିକୁ ଏବଂ ସିକିମକୁ ଇଏସଆଇ ଯୋଜନାକୁ ଚାଲୁ ରଖିବା ନିମନ୍ତେ ଆର୍ଥିକ ସହାୟତା ଜାରି ରଖିବାକୁ ନିଷ୍ପତ୍ତି ନେଇଛି । ତେବେ ଧାର୍ଯ୍ୟ ସୀମା ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ଖର୍ଚ୍ଚ ଉତ୍ତର ପୂର୍ବାଞ୍ଚଳ ରାଜ୍ୟ (ଆସାମ ବ୍ୟତୀତ) ୨୦୨୩ - ୨୪ ଆର୍ଥିକ ବର୍ଷରୁ ଇଏସଆଇ କର୍ପୋରେସନ ବହନ କରିବ । ଅତିରିକ୍ତ ଆର୍ଥିକ ସହାୟତା ଯାହା ଅଧୀନରେ ପ୍ରତି ଡିସପେନସାରୀ ପାଇଁ ୪୦ ଲକ୍ଷ ଟଙ୍କା ରାଜ୍ୟ ସରକାରଙ୍କୁ ପ୍ରଦାନ କରାଯାଉଛି ତାହା ମଧ୍ୟ ଆରମ୍ଭ କରାଯିବ । ଏନେଇ ଷ୍ଟାଣ୍ଡାର୍ଡ ମେଡିକାଲ୍ କେୟାର ଅଧୀନରେ ନିୟମିତ ପାଣ୍ଠି ଆବଣ୍ଟନ ବ୍ୟତୀତ ଏହା ଏକ ଅତିରିକ୍ତ ଲାଭ ହେବ । ନୂତନ ଡିସପେନସାରୀ ଗୁଡିକ ପାଇଁ ଏହା ମଧ୍ୟ ଉପଲବ୍ଧ ରହିବ । ଯଦି ସେଗୁଡିକ ବର୍ତ୍ତମାନର ନିର୍ଦ୍ଦେଶ ଅନୁଯାୟୀ ଖୋଲାଯାଏ ।

କୋଭିଡ ସମୟରେ ବେରୋଜଗାର ହୋଇଥିବା ବୀମାଭୁକ୍ତ ଶ୍ରମିକ ମାନଙ୍କୁ ରିଲିଫ ଯୋଗାଇବା ପାଇଁ, ଇଏସଆଇ ନିଗମ ବୈଠକରେ ଅଟଳ ବିମିତ ବ୍ୟକ୍ତିକଲ୍ୟାଣ ଯୋଜନା ଅଧୀନରେ ଉପଲବ୍ଧ ସୁବିଧା ଗୁଡିକୁ ଦୁଇ ବର୍ଷ ପର୍ଯ୍ୟନ୍ତ ବୃଦ୍ଧି କରିବାକୁ ପ୍ରସ୍ତାବରେ ସହମତ ହୋଇଛି । ଅଟଳ ବିମିତ ବ୍ୟକ୍ତିକଲ୍ୟାଣ ଯୋଜନା ହେଉଛି ବେରୋଜଗାର ଥିବା ଶ୍ରମିକ ମାନଙ୍କ ଜୀବନରେ ଥରକ ପାଇଁ ୯୦ ଦିନ ପର୍ଯ୍ୟନ୍ତ ନଗଦ କ୍ଷତିପୂରଣ ଆକାରରେ ପ୍ରଦାନ କରାଯାଉଥିବା ଏକ କଲ୍ୟାଣକାରୀ ପଦକ୍ଷେପ । ସୋସିଆଲ୍ ସିକ୍ୟୁରିଟି କୋଡ ୨୦୨୦ ଲାଗୁ ହେବା ପରେ ବୀମାଭୁକ୍ତ ଶ୍ରମିକ ଏବଂ ସେମାନଙ୍କ ଉପରେ ନିର୍ଭରଶୀଳଙ୍କ ସଂଖ୍ୟାରେ ଯଥେଷ୍ଟ ବୃଦ୍ଧି ହେବାର ପୂର୍ବାନୁମାନ କରି ଭୂପେନ୍ଦର ଯାଦବ ଆଇପି ଏବଂ ସେମାନଙ୍କର ହିତାଧିକାରୀ ମାନଙ୍କୁ ପ୍ରାଥମିକ ଚିକିତ୍ସା ସେବା ଯୋଗାଇବା ପାଇଁ ଇଏସଆଇସିକୁ ବହୁମୁଖୀ କୌଶଳ ଅବଲମ୍ବନ କରି ଡାକ୍ତରୀ ସେବା ଭିତ୍ତିଭୂମିକୁ ମଜଭୁତ ତଥା ବ୍ୟାପକ କରିବା ଉପରେ ଗୁରୁତ୍ୱ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ।

ଇଏସ୍‌ଆଇସି ହସ୍ପିଟାଲ ଏବଂ ମେଡିକାଲ କଲେଜ ରାଜସ୍ଥାନ ଏବଂ ବିହାରରେ ଆସନ୍ତା ମାର୍ଚ୍ଚ ୩୧ ପର୍ଯ୍ୟନ୍ତ ମାଗଣାରେ ଚିକିତ୍ସା ସେବା ସୁବିଧା ସମ୍ପ୍ରସାରଣ ପାଇଁ ପ୍ରସ୍ତାବକୁ ମଧ୍ୟ ଇଏସଆଇସି ଅନୁମୋଦନ କରିଛି । ଇଏସ୍ଆଇସି ଅଧୀନରେ ଔଷଧ ବା ଡ୍ରେସିଂ ଏବଂ ଉପଯୋଗୀ ସାମଗ୍ରୀ ଗୁଡିକର ସୁବିଧା ମଧ୍ୟ ସେମାନଙ୍କୁ ମାଗଣାରେ ଉପଲବ୍ଧ କରାଯିବ । ବିନା ମୂଲ୍ୟରେ ଅସୁବିଧା ମୁକ୍ତ ଗୁଣାତ୍ମକ ଚିକିତ୍ସା ସେବା ପାଇବା ନିମନ୍ତେ ଏହା ନିକଟସ୍ଥ ଅଞ୍ଚଳର ଲକ୍ଷ ଲକ୍ଷ ସାଧାରଣ ଲୋକ ମାନଙ୍କୁ ଉପକୃତ କରିବ । ଏସବୁ ବ୍ୟତୀତ ୨୦୨୨- ୨୩ ବର୍ଷ ପାଇଁ ସଂଶୋଧିତ ଆକଳନ, ୨୦୨୩ - ୨୪ ବର୍ଷ ପାଇଁ ବଜେଟ ଆକଳନ ଏବଂ ଇଏସଆଇ ନିଗମର ୨୦୨୩ - ୨୪ ବର୍ଷ ପାଇଁ ପ୍ରଦର୍ଶନ ବଜେଟ ଉପରେ ବିଚାର ବିମର୍ଶ କରା ଯାଇଥିଲା ଏବଂ ଅନ୍ୟ କାର୍ଯ୍ୟସୂଚୀ ସାମଗ୍ରୀ ସହିତ ଏହାକୁ ଅନୁମୋଦିତ କରା ଯାଇଥିଲା ।

କେନ୍ଦ୍ର ଶ୍ରମ ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଜୋନାଲ ମେଡିକାଲ କମିଶନର, ମେଡିକାଲ କମିଶନର, ବୀମା କମିଶନର ଏବଂ ଇଏସଆଇସିର ଆଂଚଳିକ ନିର୍ଦ୍ଦେଶକଙ୍କ ସହ ପୃଥକ ବୈଠକରେ ରେଫରାଲ ବ୍ୟବସ୍ଥାରେ ସଂସ୍କାର, ସ୍ୱାସ୍ଥ୍ୟ ସେବା କ୍ଷେତ୍ରର ଉତ୍ସ ଗୁଡିକର ସର୍ବୋତ୍ତମ ଉପଯୋଗ, ଅପହଞ୍ଚ କ୍ଷେତ୍ରରେ ପହଞ୍ଚିବା ଏବଂ ବୃତ୍ତିଗତ ରୋଗଗୁଡିକ ଭଳି ପ୍ରସଙ୍ଗ ଉପରେ ବିଚାର ବିମର୍ଶ କରାଯାଇଛି । କାର୍ଯ୍ୟ କରାଯିବାକୁ ଥିବା ପଏଣ୍ଟ ଗୁଡିକୁ ଚିହ୍ନଟ କରାଯାଇଛି । ଏହି ବୈଠକରେ ସାଂସଦ ଡୋଲା ସେନ, ସାଂସଦ ଖଗେନ ମୁର୍ମୁ, ଶ୍ରମ ଓ ରୋଜଗାର ମନ୍ତ୍ରଣାଳୟ ସଚିବ ଆରତୀ ଆହୁଜା ଏବଂ ଇଏସଆଇସି ମହାନିର୍ଦ୍ଦେଶକ ଡଃ. ରାଜେନ୍ଦ୍ର କୁମାର ଯୋଗ ଦେଇଛନ୍ତି । ଏହି ବୈଠକରେ ରାଜ୍ୟ ସରକାର ମାନଙ୍କର ମୁଖ୍ୟ ସଚିବ / ସଚିବ, ନିଯୁକ୍ତିଦାତା ମାନଙ୍କ ପ୍ରତିନିଧି ବୃନ୍ଦ, କର୍ମଚାରୀ ଏବଂ ଡାକ୍ତରୀ କ୍ଷେତ୍ରର ବିଶେଷଜ୍ଞମାନେ ମଧ୍ୟ ଉପସ୍ଥିତ ଥିଲେ ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details