କେନ୍ଦୁଝର: ନାରୀ ନା କାଲି ଦୁର୍ବଳ ଥିଲା ନା ଆଜି ଅଛି । ଯୁଗେ ଯୁଗେ ପ୍ରମାଣ କରିଛି ଯେ ସେ ସର୍ବଂସହା । ଏହାର ଏକ ଜ୍ବଳନ୍ତ ଉଦାହରଣ ହେଉଛନ୍ତି କେନ୍ଦୁଝର ମୁକୁନ୍ଦପୁରପାଟଣାର ମହିଳା ସରପଞ୍ଚ ଅନ୍ନପୂର୍ଣ୍ଣା ଦେହୁରୀ । ସ୍ବାମୀଙ୍କ ଅକାଳ ମୁତ୍ୟୁ ପରେ ଦୁଃଖରେ ମ୍ରିୟମାଣ ହୋଇପଡିଥିଲେ ଅନ୍ନପୂର୍ଣ୍ଣା । ୨୦୦୭ ମସିହାରେ ମନକୁ ଦୃଢ଼ କରି ପଞ୍ଚାୟତ ନିର୍ବାଚନରେ ସରପଞ୍ଚ ଭାବେ ପ୍ରତିଦ୍ବନ୍ଦିତା କରିବାକୁ ଗୋଡ଼ କାଢିଥିଲେ ସେ । ଆଉ ତା ପରେ ପଛକୁ ଫେରି ଚାହିଁନାହାନ୍ତି । ସରପଞ୍ଚ ଭାବେ ନିର୍ବାଚିତ ହେବା ପରେ ପଞ୍ଚାୟତକୁ ଘର ଓ ପଞ୍ଚାୟତବାସୀଙ୍କୁ ପରିବାର କରିଛନ୍ତି ଅନ୍ନପୂର୍ଣ୍ଣା ।
ଆଦିବାସୀ ଅଧ୍ୟୁଷିତ କେନ୍ଦୁଝର ଜିଲ୍ଲାରେ ଅଶି ଭାଗ ଅଞ୍ଚଳରେ ଆଦିବାସୀ ଜନଜାତି ବସବାସ କରିଥାନ୍ତି । ଆଉ ଏହି ଆଦିବାସୀ ଅଞ୍ଚଳ ସରକାରୀ ସହାୟତା ସତ୍ତ୍ବେ ଆଜିବି ପଛୁଆ ହୋଇ ରହିଛି । ପଙ୍କରୁ ପଦ୍ମ ଫୁଟିବା ଭଳି ଏହି ଆଦିବାସୀ ବହୁଳ ଅଞ୍ଚଳରେ ଆଦିବାସୀ ମହିଳା ଅନ୍ନପୂର୍ଣ୍ଣା ଦେହୁରୀ ନିଜକୁ ଏକ ଆଦର୍ଶ ସରପଞ୍ଚ ରୂପେ ଅବସ୍ଥାପିତ କରିପାରିଛନ୍ତି । 2007 ନିର୍ବାଚନ ଜିତିବା ପରେ ଲୋକଙ୍କ ପାଇଁ ଅନେକ ଜନହିତକର କାର୍ଯ୍ୟ କରିଥିଲେ ଅନ୍ନପୂର୍ଣ୍ଣା । ଲୋକଙ୍କ ଲାଗି ସର୍ମପିତ ଭାବ ଥିବାରୁ ଦ୍ବିତୀୟଥର ସରପଞ୍ଚ ଭାବେ ନିର୍ବାଚିତ ହୋଇଥିଲେ ସେ ।
ଭିଡିଓ ସୌଜନ୍ୟ : ସମ୍ବାଦଦାତା, କେନ୍ଦୁଝର ଏହା ପରେ ପଞ୍ଚାୟତବାସୀଙ୍କ ପାଇଁ ଆରମ୍ଭ କରିଥିଲେ ନିଜସ୍ବ ଲୋକାଭିମୁଖୀ ଯୋଜନା । ଗରିବ ଆଦିବାସୀ ଜନତାଙ୍କ କୁଡ଼ିଆ ପାଇଁ ମୋ ସାହାରା ଯୋଜନା । ଏଥିରେ ସେ ଦୁର୍ବିପାକ ଓ ହାତୀ ଭାଙ୍ଗିଥିବା ଘର ପାଇଁ ପାଞ୍ଚ ଶହରୁ ଦୁଇ ହଜାର ଟଙ୍କା ପର୍ଯ୍ୟନ୍ତ ଆର୍ଥିକ ସହାୟତା ପ୍ରଦାନ କରୁଛନ୍ତି । ସେହିପରି ଗରିବ ଶ୍ରେଣୀର ଶିଶୁଙ୍କ ଶିକ୍ଷାପାଇଁ ମୋ ଶିକ୍ଷା ଯୋଜନାରେ ମାଗଣାରେ କମ୍ପ୍ୟୁଟର ଶିକ୍ଷା ସହ ଆର୍ଥିକ ସାହାଯ୍ୟ ମଧ୍ୟ ପ୍ରଦାନ କରୁଛନ୍ତିପଞ୍ଚାୟତର ଗରିବ ରୋଗୀ ଲୋକଙ୍କୁ ମୋ ଭରସା ଯୋଜନାରେ ଆର୍ଥିକ ସାହାଯ୍ୟ ସହ ନିଜେ ସେବା ଶୁଶ୍ରୂଷା କରିବାକୁ ପଛାଇ ନାହାଁନ୍ତି ଅନ୍ନପୂର୍ଣ୍ଣା । ଗରିବ ଆଦିବାସୀ ଯୁ୍ବତୀଙ୍କ ବାହାଘର ପାଇଁ କରିଛନ୍ତି କନ୍ୟାଦାନ ଯୋଜନା । ଏହି ଯୋଜନାରେ ବିବାହ କରିବାକୁ ଥିବା ଯୁବତୀଙ୍କୁ ତିନି ହଜାର ଟଙ୍କା ଆର୍ଥିକ ସହାୟତା ଦେବା ସହ ବାହାଘର ସରଞ୍ଜାମ ମଧ୍ୟ ଦେଉଛନ୍ତି ସେ । ଏହାସହ ବିଧି ଅନୁସାରେ ପଞ୍ଚାୟତରେ ଝିଅକୁ ବିଦା କରିବା ପାଇଁ ସ୍ବତନ୍ତ୍ର ଉତ୍ସବ କରାଇଥାନ୍ତି ଅନ୍ନପୂର୍ଣ୍ଣା ।
ଚାଷ ଓ ଚାଷୀଙ୍କ କଥା ମଧ୍ୟ ପାଷୋରି ନାହାଁନ୍ତି ସେ । ଆତ୍ମତୃପ୍ତି ଯୋଜନା ମାଧ୍ୟମରେ ପ୍ରତି ମଙ୍ଗଳବାର ହେଉଥିବା ହାଟରେ ଚାଷୀଙ୍କୁ ପାଞ୍ଚ ଟଙ୍କାରେ ଭାତ ଡ଼ାଲମା ଯୋଗାଇଥାନ୍ତି ଲୋକଙ୍କ ସରପଞ୍ଚ ଦିଦି । ଏହି ଯୋଜନା ଗୁଡ଼ିକ ପାଇଁ ଅନ୍ନପୂର୍ଣ୍ଣା ଏବେ ଖାଲି ମୁକୁନ୍ଦପୁରପାଟଣାର ଆଦର୍ଶ ସରପଞ୍ଚ ହୋଇନାହାଁନ୍ତି, ଏଥିପାଇଁ ସରକାରଙ୍କ ପକ୍ଷରୁ ବ୍ରିକ୍ସ ସମ୍ମଳିନୀରେ ମଧ୍ୟ ଭାଗନେଇ ପଞ୍ଚାୟତର ଦାବି ରଖି ପାରିଛନ୍ତି ସେ । ଏହି ସବୁ ସଫଳତା ପାଇଁ ଅନ୍ନପୂର୍ଣ୍ଣାଙ୍କୁ ରାଜ୍ୟ ତଥା କେନ୍ଦ୍ର ସରକାରଙ୍କ ସହ ବହୁ ବେସରକାରୀ ଅନୁଷ୍ଠାନ ପକ୍ଷରୁ ପୁରସ୍କୃତ କରାଯାଇଛି । ସବୁଠାରୁ ବଡ଼ କଥା ହେଲା ଅନ୍ନପୂର୍ଣ୍ଣା ଜିତିବା ପର ଠାରୁ କେବେ ନିଜ ସରପଞ୍ଚ ଚୌକିରେ ବସି ନାହାଁନ୍ତି । କ୍ଷମତା ମଣିଷକୁ ଅନ୍ଧ କରିଦିଏ ବୋଲି ନିଜ ଚୌକି ଛାଡ଼ି ଘର ଘର ବୁଲି ଅନବରତ ଲୋକଙ୍କୁ ସାହାଯ୍ୟ କରି ଚାଲିଛନ୍ତି ଆଦର୍ଶ ସରପଞ୍ଚ ଅନ୍ନପୂର୍ଣ୍ଣା ।
କେନ୍ଦୁଝରରୁ ସନ୍ତୋଷ ମହାପାତ୍ର, ଇଟିଭି ଭାରତ