ଆନନ୍ଦପୁର: ବଦଳୁଛି ସମୟ, ସମୟ ସହ ତାଳ ଦେଇ ବଦଳୁଛି ସମାଜ । ଆଗ ଭଳି ମହିଳା କେବଳ ଘରକୋଣେ ନୁହେଁ, ପଦାକୁ ଗୋଡ କାଢିଛନ୍ତି । ନିଜେ ଆତ୍ମନିର୍ଭରଶୀଳ ହେବା ସହ ହୋଇପାରିଛନ୍ତି ସ୍ବାବଲମ୍ବୀ । ଫଳରେ ପରିବାରର ଆର୍ଥିକ ସ୍ଥିତି ସୁଧୁରିବା ସହ ପରିବାର ହସଖୁସିରେ ପୁରି ଉଠିଛି । ଆଉ ମହିଳାଙ୍କୁ ସ୍ବାବଲମ୍ବୀ କରିବାରେ ବଡ ଭୂମିକା ନେଇଛି କେନ୍ଦୁଝର ଜିଲ୍ଲାରେ ଥିବା କୁଣ୍ଡୁଳାଇ ତନ୍ତୁବାୟ ସମିତି ।
ଅବସର ନେବାକୁ ହାତରେ ସମୟ ନାହିଁ । ଘରକାମ ସାରି କାମରେ ଲାଗି ପଡିଛନ୍ତି ଏମାନେ । କିଏ ଅରଟ ବୁଲାଉଛି ତ କିଏ ବବିନ ଗୁଡାଇ ଦେଉଛି । ପୁଣି କିଏ ଗାମୁଛା, ବେଡସିଟ୍ ଭଳି ବାନ୍ଧ ଲୁଙ୍ଗି ବୁଣିବାକୁ ଲାଗି ପଡିଛି । ମହିଳାଙ୍କ ଗୋଟିଏ ଲକ୍ଷ୍ୟ ତନ୍ତ କାମ ଶିଖିବୁ, ସ୍ବାବଲମ୍ବୀ ହବୁ, ସ୍ବାମୀଙ୍କ କାନ୍ଧ ସହ କାନ୍ଧ ମିଳାଇ କାମ କରିବୁ। ଆଉ ମହିଳାଙ୍କ ଏଭଳି ନିଶା ଆଗରେ ହାର୍ ମାନିଛି କଠିନ ପରିଶ୍ରମ । ନୂଆ କରି ଦେଖାଇବା ଚେଷ୍ଟାରେ ଲାଗି ପଡିଛନ୍ତି କେନ୍ଦୁଝର ଜିଲ୍ଲା ଆନନ୍ଦପୁର ବ୍ଲକର ବେଲବାହାଳି ଗାଁର ମହିଳା । ମହିଳାଙ୍କୁ ରୋଜଗାରର ପନ୍ଥା ଯୋଗାଇ ଦେଇଛି ତନ୍ତୁବାୟ ସମବାୟ ସମିତି ।