କେନ୍ଦୁଝର: ଆଖିରୁ ଝରିଯାଉଛି ଧାରଧାର ଲୁହ । କହିବା ପୂର୍ବରୁ ସମ୍ଭାଳି ପାରୁନାହାନ୍ତି କୋହ । ମୁଣ୍ଡ ଉପରେ ମାଡି ବସିଛି ଦୁଃଖର ପାହାଡ । ଗୋଟିଏ ପଟେ 3 ପିଲାଙ୍କ ପେଟ ଚିନ୍ତା ତା ଉପରେ ସାହି ପଡିଶାଙ୍କ ଟାହିଟାପରା । ସ୍ବାମୀ ଚାଲିଗଲା ପରେ ଅନ୍ତସତ୍ତ୍ବା ହୋଇଥିବାରୁ ଗାଁରୁ କରିଦିଆଗଲା ବାସନ୍ଦ । ଶେଷରେ ମୁଣ୍ଡଗୁଞ୍ଜିବା ପାଇଁ ପାଇଖାନା ସାହାରା ପାଲଟିଥିବା ବେଳେ ବିଧବା କଷ୍ଟଠୁ ବଳିଯାଇଛି ସାମାଜିକ ବାସନ୍ଦର କଷ୍ଟ ।
ଏଭଳି ଦୟନୀୟ ଅବସ୍ଥାରେ ଜୀବନ ଜିଉଁଛନ୍ତି କେନ୍ଦୁଝର ବରଦାପାଳ ପଞ୍ଚାୟତ ଚୁଡାକୁଟା ସାହିର ପଦ୍ମିନୀଙ୍କର (ଛଦ୍ମନାମ) । ଦୁଇ ଓଳି ଦୁଇ ମୁଠା ଖାଇବା ତାଙ୍କ ପାଇଁ ସ୍ବପ୍ନ । ପରିବାର ଲୋକ ମୁହଁମୋଡି ଦେଇଥିଲା ବେଳେ ଗାଁ ଲୋକ ପାଖ ପୁରାଇ ଦେଉନାହାଁନ୍ତି । ଏହିସବୁର କାରଣ ହେଉଛି ସ୍ବାମୀ ଆରପାରିକୁ ଚାଲିଯିବା ପରେ ପଦ୍ମିନୀ ହୋଇଥିଲେ ଗର୍ଭବତୀ । ଆଉ ଏକ କନ୍ୟା ସନ୍ତାନକୁ ଜନ୍ମ ଦେଇଥିଲେ ତାହା ପୁଣି ମେଡିକାଲରେ ।
ଏକ ସ୍ବେଚ୍ଛାସେବୀଙ୍କ କହିବାନୁଯାୟୀ ପଦ୍ମିନୀ ଏକ ବଙ୍ଗାଳୀ ମିସ୍ତ୍ରୀଙ୍କ ସଂସ୍ପର୍ଶରେ ଆସି ଗର୍ଭବତୀ ହୋଇଥିଲେ । ଯାହାକୁ ସହଜରେ ମୁଣ୍ଡା ସମ୍ପ୍ରଦାୟ ଗ୍ରହଣ କରି ପାରିନଥିଲା । ଫଳରେ ପଦ୍ମିନୀଙ୍କୁ ସମାଜରୁ ବାସନ୍ଦ କରି ଦିଆଯାଇଥିଲା । ସରକାରୀ ପଦକ୍ଷେପ ସ୍ବରୁପ ତାଙ୍କୁ ସ୍ବଧାର ଗୃହରେ ରଖାଯାଇଥିଲା । ଆଉ ସେଠାରେ ଜନ୍ମ ହୋଇଥିଲା କନ୍ୟା ସନ୍ତାନ । ପରେ ସେ ସେହି ସନ୍ତାନର ଭରଣାପୋଷଣ କରିବାକୁ ଅସମର୍ଥ ହୋଇଥିବାରୁ କନ୍ୟା ସନ୍ତାନଟିକୁ ଅନାଥ ଆଶ୍ରମକୁ ଦିଆଯାଇଥିଲା । କିଛିଦିନ ସ୍ବଧାର ଗୃହରେ ରହିବା ପରେ ଗତ ନଭେମ୍ବରରେ ସେ ଯେବେ ନିଜ ଘରକୁ ଫେରିଥିଲେ ଘର ଆଉ ନଥଲା । ତାଙ୍କର ଥିବା ଦୁଇ ସନ୍ତାନକୁ ମଧ୍ୟ ତାଙ୍କ ଦିଅର ନିଜ ନିକଟରେ ରଖିଥିଲେ ।