କେନ୍ଦୁଝର:ଦିନକୁ ଦିନ କୋରୋନାର ଦ୍ୱିତୀୟ ଲହର ତାର କାୟା ବିସ୍ତାର କରିଚାଲିଛି । ଏହାକୁ ପ୍ରତିହତ କରିବା ପାଇଁ ଟୀକାକରଣ ହିଁ ପ୍ରମୁଖ ଅସ୍ତ୍ର ସାଜିଛି । ଲୋକଙ୍କୁ କୋରୋନା ମୁକ୍ତ କରିବାରୁ ସାରା ଦେଶରେ ଜାରି ରହିଛି ଟୀକାକରଣ । କେନ୍ଦୁଝର ଜିଲ୍ଲାରେ ଦୁଇଟି ଟୀକାକରଣ କେନ୍ଦ୍ରରେ ଟିକାଦାନ ପ୍ରକ୍ରିୟା ବନ୍ଦ ଥିବାରୁ ସହରବାସୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି ।
ଗାଁରୁ ସହର ପ୍ରଥମେ କୋଭିଡ଼ ଯୋଦ୍ଧା ଓ ପରେ ୪୫ ବର୍ଷରୁ ଊର୍ଦ୍ଧ୍ବ ବ୍ୟକ୍ତିଙ୍କୁ ଟୀକାକରଣ କାର୍ଯ୍ୟକ୍ରମ ଚଳାଇଛନ୍ତି ସରକାର । କେନ୍ଦୁଝର ସହରରେ ମଧ୍ୟ ଏହି ଟୀକାକରଣ ନେଇ ପ୍ରଶାସନ ପକ୍ଷରୁ ଦୁଇଟି କେନ୍ଦ୍ର ଗଠନ କରାଯାଇଛି । ଦୁଇଟି କେନ୍ଦ୍ରରେ କେତେ ପରିମାଣର ଟିକା ଦିଆଯିବ ତାର ପୂର୍ବଦିନ ଜିଲ୍ଲା ପ୍ରଶାସନର ସାମାଜିକ ଗଣମାଧ୍ୟମ ପେଜରେ ଜଣାଇ ଦେଇଛି । ହେଲେ ଆଜି(ବୁଧବାର) ଦୁଇଟି କେନ୍ଦ୍ରରେ ଟୀକାକରଣ ନଥିବା ପରେ ବି ସକାଳୁ ଲମ୍ବା ଲାଇନ ଦେଖିବାକୁ ମିଳିଥିଲା । ଏହି କେନ୍ଦ୍ର ଦୁଇଟିରେ ଟୀକାକରଣ ବନ୍ଦ ନେଇ ନୋଟିସ ମରାଯାଇ ପ୍ରଶାସନ ପକ୍ଷରୁ ଦାୟିତ୍ବ ସାରି ଦିଆଯାଇଥିଲା । ଲୋକଙ୍କୁ ଟୀକାକରଣ ବନ୍ଦ ଥିବା ନେଇ କୌଣସି ସୂଚନା ନଥିବା ଅଭିଯୋଗ କରିଛନ୍ତି ସହରବାସୀ ।