କେନ୍ଦୁଝର:ବୃକ୍ଷ ଗଙ୍ଗା ଅଭିଯାନ । ଗଛ ଲଗାଅ ଜୀବନ ବଞ୍ଚାଅ । ଗୋଟିଏ ଗଛ ଲଗାଇ ବଞ୍ଚାଅ କୋଟିଏ ଜୀବନ । ଜୀବନରେ ଗଛଟିଏ ଲୋଡା । ଏହି ବାର୍ତ୍ତା ନେଇ କେନ୍ଦୁଝର ବୃକ୍ଷ ଗଙ୍ଗା ଅଭିଯାନ ଆରମ୍ଭ ହୋଇଛି । ପରିବେଶକୁ ସନ୍ତୁଳିତ କରିବାକୁ ରମେଶ ମିଶ୍ର ନାମକ ଜଣେ ବ୍ୟକ୍ତି ନିଜ ଜୀବନକୁ ସମର୍ପି ଦେଇଛନ୍ତି । ବୃକ୍ଷରୋପଣ ବାର୍ତ୍ତା ଦେଇ ଦେଢ଼ଲକ୍ଷ ଚାରା ବଣ୍ଟନ କରିଛନ୍ତି । ଯାହାକୁ ବେଶ ପ୍ରଶଂସା କରାଯାଇଛି ।
ଦିନକୁ ଦିନ ପ୍ରକୃତିରେ ପରିବର୍ତ୍ତନ ଦେଖାଦେଉଛି । କେତେବେଳେ ଅସାମୟିକ ବୃଷ୍ଟିପାତ ତ କେତେବେଳେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ । ଧୀରେ ଧୀରେ ଛଅ ଋତୁ ବଦଳି ଦୁଇ ତିନୋଟିରେ ପହଁଚିଲାଣି । ଏହାର ମୁଖ୍ୟ କାରଣ ହେଉଛି ମଣିଷ ସମାଜର କାୟା ବିସ୍ତାର । ମଣିଷ ନିଜ ସୁଖ ପାଇଁ ଜଙ୍ଗଲ ନଷ୍ଟ କରିବାରେ ଲାଗିଛି । ସରକାର ମଧ୍ୟ ଏଥିରେ ଭାଗିଦାରୀ ହୋଇ ବ୍ୟାପକ ଶିଳ୍ପାୟନ ପାଇଁ ଜଙ୍ଗଲ ଧ୍ୱଂସ କରିବାକୁ ପଛାଉ ନାହିଁ । ଏହାର ସିଧା ପ୍ରଭାବ ସେଇ ମଣିଷ ସମାଜ ଉପରେ ପଡୁଛି । ଏହାକୁ ନେଇ ଗାଁରୁ ସହର ସବୁଠି ମଣିଷ ଚିନ୍ତାରେ । ପ୍ରକୃତି ପାଇଁ ସରକାର ମଧ୍ୟ କାଗଜ କଲମରେ ଜଙ୍ଗଲ ସୃଷ୍ଟି କରୁଥିବା ଦେଖିବାକୁ ମିଳିଛି । ଏଭଳି ସମୟରେ ନିଃସ୍ୱାର୍ଥପର ଭାବେ ପରିବେଶ ସନ୍ତୁଳନ ପାଇଁ ଅଣ୍ଟା ଭିଡ଼ିବା ହାତଗଣତି ଲୋକଙ୍କ ମଧ୍ୟରେ ଦେଖା ଦେଉଛି । ସେଇଭଳି ସମାଜ ପାଇଁ ନିଜ ଜୀବନ ସମର୍ପି ଦେଇଥିବା ମଣିଷଟିଏ ହେଉଛନ୍ତି ରମେଶ ମିଶ୍ର ।
ନିଜ ଚାକିରି ଜୀବନ ସରିବା ପରେ ପ୍ରତି ମାସର ପେନସନ ଟଙ୍କା ସବୁକୁ ପରିବେଶ ପାଇଁ ଦାନ କରି ଦେଉଛନ୍ତି ରମେଶ ମିଶ୍ର । ସେଥିପାଇଁ ସେ ବୃକ୍ଷ ଗଙ୍ଗା ଅଭିଯାନ ଆରମ୍ଭ କରିଛନ୍ତି । ଦୀର୍ଘ 10 ବର୍ଷ ମଧ୍ୟରେ ଦୁଇଟି ଚାରା ରୋପଣ କେନ୍ଦ୍ର ପ୍ରତିଷ୍ଠା କରିଛନ୍ତି । ଏହି ଚାରା ରୋପଣ କେନ୍ଦ୍ରରୁ 8 ଲକ୍ଷରୁ ଊର୍ଦ୍ଧ୍ବ ବହୁ ଦୁର୍ମୂଲ୍ୟ ଚାରା ସହ ଫଳନ୍ତି ଗଛ ଚାରା ଜିଲ୍ଲା ଓ ଜିଲ୍ଲା ମଧ୍ୟରେ ବାଣ୍ଟି ସାରିଲେଣି । ସେଥିମଧ୍ୟରୁ ଶାଳ, ପିଆଶାଳ, ଗମ୍ଭାରୀ, ଶାଗୁଆନ, ନିମ୍ବ, ମହାନିମ୍ବ,ଆମ୍ବ, ପଣସ ଭଳି 50ରୁ ଉର୍ଦ୍ଧ୍ବ ଚାରା ରୋପଣ କରି ବାଣ୍ଟି ଚାଲିଛନ୍ତି ରମେଶ ମିଶ୍ର । ଚଳିତ ବର୍ଷ ଦେଢ଼ ଲକ୍ଷ ଚାରା ରୋପଣ କରି ବାଣ୍ଟିବା ପାଇଁ ଯୋଜନା ରଖିଛନ୍ତି ରମେଶ ମିଶ୍ର । ସେଥିପାଇଁ ସ୍ବତନ୍ତ୍ର କାର୍ଯ୍ୟକ୍ରମ କରି ବନ ମହୋତ୍ସବର ମଧ୍ୟ ଶୁଭାରମ୍ଭ କରିଛନ୍ତି ରମେଶ ମିଶ୍ର ।