କେନ୍ଦୁଝର: ଦିନକୁ ଦିନ ବଢ଼ିବାରେ ଲାଗିଛି ବାଘ ଆତଙ୍କ । କେନ୍ଦୁଝର ବନଖଣ୍ଡ ଅନ୍ତର୍ଗତ ଅଟେଇ ରିଜର୍ଭ ଅଞ୍ଚଳରେ ବାଘ ଆତଙ୍କ ଥମିବାର ନାଁ ନେଉନାହିଁ । ଗତକାଲି ଘଟଗାଁ ବନାଞ୍ଚଳ ଅନ୍ତର୍ଗତ ବଡ଼ଜାମପସି ଗ୍ରାମର ରମେଶ ବାରିକଙ୍କ ୪ଟି ମଇଁଷିକୁ ଜଙ୍ଗଲ ମଧ୍ୟରେ ବାଘ ମାରିଥିବା ଅଭିଯୋଗ ହୋଇଛି । ଅଭିଯୋଗ ପରେ ଜଙ୍ଗଲ ବିଭାଗ ୨ଟିର ମୃତଦେହ ପାଇବା ପରେ କ୍ଷତିପୂରଣ ଦେଇଥିବା ଜଣାପଡିଛି । ତେବେ ଏହି ବାଘ ଆକ୍ରମଣରେ ଅନ୍ୟ ମଇଁଷି ମଧ୍ୟ ଗଭୀର କ୍ଷତାକ୍ତ ହୋଇଥିବା ଜଣାପଡିଛି ।
ପ୍ରକାଶ ଥାଉ କି, କିଛିଦିନ ତଳେ କେନ୍ଦୁଝର ବନଖଣ୍ଡ ଅନ୍ତର୍ଗତ ଅଟେଇ ରିଜର୍ଭ ଜଙ୍ଗଲରେ ବାଘ ଥିବା ନେଇ ବନ ବିଭାଗ କ୍ୟାମେରାରେ ଧରା ପଡିଥିଲା । ରାଜ୍ୟ ବନାଧିକାରୀ ଏହି ବାଘ ଥିବା ନେଇ ସୂଚନା ଦେବା ପରେ ସବୁଠି ହଟଚମଟ ସୃଷ୍ଟି ହୋଇଥିଲା । ଏହାପରେ କେନ୍ଦୁଝର ବନଖଣ୍ଡ ଅଧିକାରୀ ଏହାକୁ ନେଇ ସଫେଇ ଦେଇଥିଲେ । ବାଘର ଗତିବିଧି ନେଇ ଅଧିକ କ୍ୟାମେରା ଜଙ୍ଗଲ ମଧ୍ୟରେ ଖଞ୍ଜା ଯାଇଥିବା ବେଳେ ଗାଁଗାଁରେ ସଚେତନତା ଅଭିଯାନ କରାଯାଇଥିଲା । ଅଧିକ ସଚେତନତା ଅଭିଯାନ ଆରମ୍ଭ ହୋଇଥିବା ସତ୍ତ୍ବେ ଜଙ୍ଗଲ ଉପରେ ଗ୍ରାମବାସୀଙ୍କ ନିର୍ଭରଶୀଳତାକୁ ଜଙ୍ଗଲ ବିଭାଗ ଅଟକାଇବାରେ ସମର୍ଥ ହୋଇନାହିଁ । ଫଳରେ ଗ୍ରାମବାସୀଙ୍କ ପଶୁସମ୍ପଦ ସୁରକ୍ଷା ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।
ତେବ ମଇଁଷି ଆକ୍ରମଣ ନେଇ ଖବର ପାଇବା ପରେ ଘଟଣାସ୍ଥଳରେ କେନ୍ଦୁଝର ବନଖଣ୍ଡ ଅଧିକାରୀ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଥିବା ଜଣାପଡ଼ିଛି । ଏକାଧିକ ମଇଁଷିଙ୍କୁ ଆକ୍ରମଣ ହୋଇଥିବାରୁ ଏକାଧିକ ବାଘ ସେହି ଜଙ୍ଗଲରେ ଥିବା ନେଇ ସନ୍ଦେହ ସୃଷ୍ଟି ହୋଇଛି । ଏନେଇ ସ୍ଥାନୀୟ ଅଞ୍ଚଳରେ ଲୋକଙ୍କ ମଧ୍ୟରେ କୋକୁଆ ଭୟ ସୃଷ୍ଟି ହୋଇଥିବା ବେଳେ ଜଙ୍ଗଲକୁ ନଯିବା ପାଇଁ ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରାଯାଉଛି । ଜଙ୍ଗଲ ନଯାଇ ଖତ ପ୍ରସ୍ତୁତ କରି ଆତ୍ମନିର୍ଭରଶୀଳ ହେବା ନେଇ ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରଯାଉଥିବା ବନ ବିଭାଗ ପକ୍ଷରୁ କୁହାଯାଇଛି ।