ଓଡିଶା

odisha

ETV Bharat / state

୫ ବର୍ଷ ଧରି ବରଗଛରେ ବସା ବାନ୍ଧିଛି ୩ ପରିବାର, ହଟହଟା କରୁଛି ହାତୀ - treehouse

ହାତୀ ଉପଦ୍ରବରୁ ବର୍ତ୍ତିବା ପାଇଁ ବରଗଛରେ ମଞ୍ଚା ବାନ୍ଧି ରହି ଆସୁଛନ୍ତି ତିନୋଟି ପରିବାର । 5 ବର୍ଷ ଧରି ମଞ୍ଚାରେ ବିତୁଛି ଜୀବନ । ଅଧିକ ପଢନ୍ତୁ...

ମଞ୍ଚା ପାଲିଟିଛି ବାସସ୍ଥାନ
ମଞ୍ଚା ପାଲିଟିଛି ବାସସ୍ଥାନ

By

Published : Oct 15, 2021, 4:19 PM IST

କେନ୍ଦୁଝର: ଗରିବଙ୍କ ପାଇଁ ମାଳମାଳ ଯୋଜନା । ହେଲେ ସେ ସବୁ କେବଳ ଯୋଜନାରେ ରହିଛି । ଆଜି ବି ଅନେକ ପରିବାରଙ୍କୁ ଘରଟିଏ ମିଳିନାହିଁ । ଆଉ ଯାହାଙ୍କୁ ମିଳିଛି ସେ ଅଧାପନ୍ତରିଆ ହୋଇ ପଡିଛି । ଗୋଟିଏ ପଟେ ଦାରିଦ୍ରତା ଅନ୍ୟପଟେ ବନ୍ୟଜନ୍ତୁଙ୍କ ଭୟରେ ଲୋକଙ୍କର ବଞ୍ଚିବା କଷ୍ଟକର ହୋଇପଡିଛି । କେନ୍ଦୁଝର ଜିଲ୍ଲା ଝୁମ୍ପୁରା ବ୍ଲକ ଅନ୍ତର୍ଗତ କୁଟୁଗାଁ ପଞ୍ଚାୟତ ସାନଯୋଡା ଗ୍ରାମର ତିନୋଟି ପରିବାରର ଦୁଃଖ କହିଲେ ନ ସରେ । ହାତୀ ଉପଦ୍ରବରୁ ବର୍ତ୍ତିବା ପାଇଁ ବରଗଛରେ ମଞ୍ଚା ବାନ୍ଧି ରହି ଆସୁଛନ୍ତି ଏହି ତିନୋଟି ପରିବାର । ପ୍ରତିଦିନ ଏମାନଙ୍କୁ ଡରି ଡରି ବଞ୍ଚିବାକୁ ପଡୁଛି ।

ମଞ୍ଚା ପାଲିଟିଛି ବାସସ୍ଥାନ

ବଣ ପାହାଡ ଘେରା କେନ୍ଦୁଝର ଜିଲ୍ଲା । ଏଠାରେ ପ୍ରତିଦିନ ଲାଗି ରହିଛି ହାତୀ ଉପଦ୍ରବ । ଆଉ ହାତୀଙ୍କୁ ଭୟ କରି ଜୀବନ ବଞ୍ଚାଇବାକୁ ଉଦ୍ୟମ ଏମାନଙ୍କୁ ମଞ୍ଚାରେ ରହିବାକୁ ବାଧ୍ୟ କରିଛି । ଖାଦ୍ୟ ଅନ୍ବେଷଣରେ ହାତୀ ଜଙ୍ଗଲ ଛାଡି ଲୋକଙ୍କ ଘର ଭାଙ୍ଗି ଧାନ ଚାଉଳ ଖାଉଥିବା ବେଳେ ବ୍ୟାପକ ଫସଲ ନଷ୍ଟ କରୁଛି । ଜଙ୍ଗଲ ମଧ୍ୟରେ ବସବାସ କରୁଥିବା ନିରୀହ ଆଦିବାସୀମାନେ ଏହି ହାତୀ ଆକ୍ରମଣର ବହୁବାର ଶିକାର ହେଉଛନ୍ତି । ଘର ଥାଇ ବି ମଞ୍ଚାରେ ଆଶ୍ରୟ ନେବାକୁ ପଡୁଛି । ଦିନେ କି ଦୁଇଦିନ ନୁହେଁ ପ୍ରାୟ ପାଞ୍ଚ ବର୍ଷ ହେବ ଏମାନେ ମଞ୍ଚାରେ ରହିଆସୁଛନ୍ତି । ଘରେ ଗୃହପାଳିତ ପଶୁଙ୍କୁ ରଖି ମଞ୍ଚାକୁ ନିଜ ବାସଗୃହ କରିଛନ୍ତି ଏମାନେ। ହାତୀ ଭୟରେ ଦିନେ ଦିନେ ଏମାନଙ୍କୁ ଉପାସ ବି ରହିବାକୁ ପଡୁଛି । ଭୟରେ କେଉଁଆଡେ ଯିବାକୁ ଏମାନେ ସାହାସ କରନ୍ତି ନାହିଁ ।

ଗାଁରେ ହାତୀ ପଶିଲେ ଗାଁ ଲୋକ ହାତୀକୁ ଘଉଡାଉଛନ୍ତି । ହେଲେ ଜଙ୍ଗଲ ବିଭାଗ ଚୁପ ଥିବା ଅଭିଯୋଗ କରିଛନ୍ତି ଗାଁ ଲୋକ । ଲୋକଙ୍କ ଏହି ସମସ୍ୟା ବିଭାଗ ଶୁଣୁଛି ନାଁ କିଛି ସମାଧାନର ବାଟ ବାହାର କରୁଛି । ଲୋକଙ୍କ ଏହି ସମସ୍ୟା ନେଇ ଜିଲ୍ଲା ବନଖଣ୍ଡ ଅଧିକାରୀଙ୍କୁ ଭେଟିଥିଲେ ଆମ ପ୍ରତିନିଧି । ଯଥାଶୀଘ୍ର ଉକ୍ତ ପରିବାରର ଥଇଥାନ ବ୍ୟବସ୍ଥା କରାଯିବ ବୋଲି କହିଛନ୍ତି ଡିଏଫଓ ।

କେନ୍ଦୁଝରରୁ ସନ୍ତୋଷ କୁମାର ମହାପାତ୍ର, ଇଟିଭି ଭାରତ

ABOUT THE AUTHOR

...view details