କେନ୍ଦୁଝର: ଏଣିକି ବହି ନଥିଲେ ବି ପାଠ ପଢ଼ିପାରିବେ ପିଲା । ଆଉ ପାଠପଢ଼ାରେ ରହିବନି କୌଣସି ଅସୁବିଧା । କେବଳ ହାତରେ ମୋବାଇଲ ଥିଲେ ପଢ଼ି ପାରିବେ ପାଠ । ଶିକ୍ଷା ବ୍ୟବସ୍ଥାକୁ ଆହୁରି ସରଳ କରିବାପାଇଁ ରାଜ୍ୟ ସରକାର କରୁଛନ୍ତି ନୂଆ ଯୋଜନା । ପିଲାଏ ଯେପରି ଭଲ ପାଠ ପଢ଼ିପାରିବେ ଏବଂ ଶିକ୍ଷାରେ ଯେପରି ଅବହେଳା ନହେବେ ସେଥିପାଇଁ କରୁଛନ୍ତି ଚିନ୍ତା ।
ରାଜ୍ୟ ସରକାର ଶିଶୁଙ୍କ ଗୁଣାତ୍ମକ ଶିକ୍ଷା କ୍ଷେତ୍ରରେ ବହୁ ପଦକ୍ଷେପ ଗ୍ରହଣ କରୁଛନ୍ତି । ପାଠ ବହି ଛଡା ଆଧୁନିକ ଟେକ୍ନୋଲୋଜି ଶିକ୍ଷା ବ୍ୟବସ୍ଥା ଗ୍ରହଣ କରିବାକୁ ରାଜ୍ୟ ସରକାର ଚିନ୍ତା କରୁଛନ୍ତି । ଏହି ଆଧୁନିକ ଜ୍ଞାନକୌଶଳ ଶିକ୍ଷା ପାଇଁ ଚତୁର୍ଥ ଶ୍ରେଣୀ ଓ ପଞ୍ଚମ ଶ୍ରେଣୀ ଛାତ୍ରଛାତ୍ରୀଙ୍କୁ ମୋବାଇଲ ମାଧ୍ୟମରେ ଶିକ୍ଷା ଦେବା ପାଇଁ ସରକାର ବ୍ୟବସ୍ଥା ଗ୍ରହଣ କରୁଛନ୍ତି ।
ଏହା ଦ୍ୱାରା ଛାତ୍ରଛାତ୍ରୀ ବହି ପାଠ ଛଡା ମୋବାଇଲରେ ମଧ୍ୟ ଆପ୍ ଖୋଲି ପାଠ ପଢିପାରିବେ । ଏହି ବିକଳ୍ପ ଶିକ୍ଷା ଯୋଜନାର ରାଜ୍ୟରେ ପ୍ରଥମ କରି କେନ୍ଦୁଝର ଜିଲ୍ଲାରେ ପ୍ରକଳ୍ପ ଭାବେ ଉଦଘାଟିତ ହୋଇଛି । ସ୍ଥାନୀୟ ଦରବାର ହଲ ଠାରେ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଶିକ୍ଷା ବ୍ୟବସ୍ଥା ଆଡଭାଇଜର ଉପେନ୍ଦ୍ର ତ୍ରିପାଠୀ ଏହି ଯୋଜନାକୁ ଶୁଭ ଉଦଘାଟନ କରିଥିଲେ ।