ଓଡିଶା

odisha

By

Published : Jan 6, 2023, 11:06 PM IST

ETV Bharat / state

ହକି ଖେଳି ପ୍ରତି ଉତ୍ସାହିତ ଛାତ୍ରଛାତ୍ରୀ, ବାଧା ସାଜିଛି ଭିତ୍ତିଭୂମିର ଅଭାବ

ହକି ଖେଳ ପ୍ରତି ରାଜ୍ୟ ସରକାରଙ୍କ ବହୁ ଅବଦାନ ରହିଛି । କେନ୍ଦୁଝର ଜିଲ୍ଲାର ଛାତ୍ରଛାତ୍ରୀମାନେ ମଧ୍ୟ ହକି ଖେଳ ନେଇ ବେଶ ଉତ୍ସାହିତ । ତେବେ ଭିତ୍ତିଭୂମି ତଥା ହକି ଖେଳ ପାଇଁ ପଡ଼ିଆ ଓ ଖେଳ ସରଞ୍ଜାମ ଅଭାବରୁ ଏମାନଙ୍କ ଖେଳରେ ବାଧା ସୃଷ୍ଟି ହେଉଛି । ଏନେଇ ଶିକ୍ଷକମାନେ ସରକାରୀ ସହଯୋଗ ଲୋଡିଛନ୍ତି । ଅଧିକ ପଢ଼ନ୍ତୁ

ହକି ଖେଳ ପାଇଁ ପଡ଼ିଆ ଓ ଖେଳ ସରଞ୍ଜାମ ଅଭାବ
ହକି ଖେଳ ପାଇଁ ପଡ଼ିଆ ଓ ଖେଳ ସରଞ୍ଜାମ ଅଭାବ

ହକି ଖେଳ ପାଇଁ ପଡ଼ିଆ ଓ ଖେଳ ସରଞ୍ଜାମ ଅଭାବ

କେନ୍ଦୁଝର: ରାଜ୍ୟରେ ଲୋକପ୍ରିୟ ହେଉଛି ହକି ଖେଳ । ଏହି କ୍ରମରେ କେନ୍ଦୁଝର ଜିଲ୍ଲା ବାଂଶପାଳ ବ୍ଲକ ଅନ୍ତର୍ଗତ ବାରାଗୁଡାର ଗୁପ୍ତେଶ୍ଵର ଉଚ୍ଚ ବିଦ୍ୟାଳୟ ଛାତ୍ରଛାତ୍ରୀମାନେ ମଧ୍ୟ ହକି ଖେଳ ପ୍ରତି ବେଶ ଉତ୍ସାହିତ । କିନ୍ତୁ ଭିତ୍ତିଭୂମି ତଥା ଖେଳିବା ପାଇଁ ଭଲ ପଡିଆ ଓ ଖେଳ ସରଞ୍ଜାମ ଅଭାବରୁ ଏହି ଖେଳରେ ବାଧା ସୃଷ୍ଟି ହେଉଛି । ବିଦ୍ୟାଳୟର ଶିକ୍ଷକମାନେ ଏନେଇ ସରକାରୀ ସହଯୋଗ ଲୋଡିଛନ୍ତି ।

ଭାରତର ଜାତୀୟ ଖେଳ ହେଉଛି ହକି । ଏହି ହକି ଖେଳରେ ଭାରତ ପୂର୍ବରୁ ବିଶ୍ବକପ ବିଜେତା ମଧ୍ୟ ହୋଇଛି । ଓଡ଼ିଶା ସରକାରଙ୍କ ପର୍ଯ୍ୟଟନ ବିଭାଗ ଏବେ ଦେଶରେ ହକି ଖେଳର ମୁଖ୍ୟ ପ୍ରାୟୋଜକ । ଏହି ହକି ପୁରୁଷ ବିଶ୍ବକପ ଖେଳ ଆଉ କିଛି ଦିନ ପରେ ଓଡ଼ିଶାର ଭୁବନେଶ୍ଵରସ୍ଥିତ କଳିଙ୍ଗ ଷ୍ଟାଡିୟମ ଓ ରାଉରକେଲାଠାରେ ନବନିର୍ମିତ ବିର୍ସା ମୁଣ୍ଡା ଅନ୍ତର୍ଜାତୀୟ ହକି ଷ୍ଟାଡିୟମରେ ଆୟୋଜିତ ହେବ । ଏଥିପାଇଁ ରାଜ୍ୟ ସରକାର ଆବଶ୍ୟକ ଭିତ୍ତିଭୂମି ପ୍ରସ୍ତୁତ କରିସାରିଛନ୍ତି । ହକି ଖେଳ ନେଇ ସୁନ୍ଦରଗଡ ଜିଲ୍ଲା ବେଶ ଜଣାଶୁଣା । ଏଠାରେ ସରକାରଙ୍କ ପକ୍ଷରୁ ହକି ଖେଳ ପାଇଁ ଆବଶ୍ୟକୀୟ ଭିତ୍ତିଭୂମି, ସରଞ୍ଜାମ ଆଦି ଖେଳାଳିଙ୍କୁ ଯୋଗାଇ ଦିଆଯାଉଛି । ଫଳରେ ଏହି ଜିଲ୍ଲାରୁ ବହୁ ଅନ୍ତର୍ଜାତୀୟ ଖେଳାଳି ବାହାରି ପାରିଛନ୍ତି ।

ତେବେ ଏହି ଖେଳରେ କେନ୍ଦୁଝର ଜିଲ୍ଲା ମଧ୍ୟ ପଛରେ ନାହିଁ । ଏହି ଜିଲ୍ଲାର ଆଦିବାସୀ ବହୁଳ ବାଂଶପାଳ ବ୍ଲକର ଛାତ୍ରଛାତ୍ରୀମାନେ ହକି ଖେଳ ପ୍ରତି ବେଶ ଉତ୍ସାହିତ । ଏହି ବ୍ଲକର ତରମାକାନ୍ତ ଅଞ୍ଚଳର ଛାତ୍ରଛାତ୍ରୀମାନେ ବ୍ୟାଟ ବଲ ଛାଡି ହକି ଖେଳକୁ ପ୍ରାଧାନ୍ୟ ଦେଉଛନ୍ତି । ଏହି ଅଞ୍ଚଳର ଗୁପ୍ତେଶ୍ଵର ଉଚ୍ଚ ବିଦ୍ୟାଳୟ, ବାରାଗୁଡାର ଛାତ୍ରଛାତ୍ରୀ ରାଜ୍ୟସ୍ତରୀୟ ହକି ଖେଳରେ ଭାଗ ନେଇ ତାଙ୍କର କ୍ରୀଡା ପ୍ରଦର୍ଶନ କରିସାରିଛନ୍ତି । ଏଠାକାର ଛାତ୍ରଙ୍କ ମନରେ ହକି ଖେଳ ନେଇ ବେଶ ଉତ୍ସାହ ରହିଥିବାବେଳେ ଦୁର୍ବଳ ଭିତ୍ତିଭୂମି ଏମାନଙ୍କ ଖେଳରେ ଅନ୍ତରାୟ ସୃଷ୍ଟି କରୁଛି । ଏମାନଙ୍କ ପାଇଁ ନା ଅଛି ଭଲ ପଡିଆ ନା ଖେଳ ସରଞ୍ଜାମ । ଏପରିକି ପିଲାମାନେ ଖାଲି ପାଦରେ ଟାଙ୍ଗରା ଭୁଇଁରେ ଖେଳ ଅଭ୍ୟାସ କରୁଥିବା ଦେଖିବାକୁ ମିଳିଛି ।

ଏମାନଙ୍କ ମନରେ ଦିଲ୍ଲୀପ ତିର୍କୀ ଭଳି ପ୍ରତିଷ୍ଠିତ ଅନ୍ତର୍ଜାତୀୟ ଖେଳାଳି ହେବାର ଆଶା ଥିଲେ ମଧ୍ୟ ଦୁର୍ବଳ ଭିତ୍ତିଭୂମି ପଛକୁ ଫେରାଇ ଆଣିବାକୁ ବାଧ୍ୟ ହେଉଛି । ଏହି ବିଦ୍ୟାଳୟର ହକି ଖେଳାଳିମାନେ ଆଗାମୀ ପୁରୁଷ ହକି ବିଶ୍ବକପ ନେଇ ବେଶ ଉତ୍ସାହିତ ଥିବାବେଳେ ଏହାକୁ ଦେଖିବାର ସୁଯୋଗ ମିଳିଲେ ଏଠୁ କିଛି ଶିଖିବାର ଆଶା ରଖିଛନ୍ତି । ବିଦ୍ୟାଳୟର ଶିକ୍ଷକମାନେ ମଧ୍ୟ ଛାତ୍ରଙ୍କ ହକି ଖେଳ ନେଇ ସହଯୋଗ ଓ ଉତ୍ସାହିତ କରୁଛନ୍ତି । ତେବେ ଆଗାମୀ ଦିନରେ ଛାତ୍ରଛାତ୍ରୀଙ୍କ ହକି ଖେଳ ପାଇଁ ଅଧିକ ସରକାରୀ ସହଯୋଗ ଲୋଡିଛନ୍ତି ।

ଇଟିଭି ଭାରତ, କେନ୍ଦୁଝର

ABOUT THE AUTHOR

...view details