କେନ୍ଦୁଝର: ପରୀକ୍ଷା ଦେବାକୁ ଯାଉଥିବା ବେଳେ ମହୁମାଛି ଆକ୍ରମଣର ଶିକାର ହୋଇଛନ୍ତି ପରୀକ୍ଷାର୍ଥୀ । ମାଟ୍ରିକ ପରୀକ୍ଷାର୍ଥୀଙ୍କୁ ମହୁମାଛି ଆକ୍ରମଣ କରିଛି । କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ବାଳିକା ଉଚ୍ଚ ବିଦ୍ୟାଳୟ କେନ୍ଦ୍ରରେ ପରୀକ୍ଷା ଦେବା ପାଇଁ ଆସିଥିବା ଛାତ୍ରଛାତ୍ରୀଙ୍କୁ ମହୁମାଛି କାମୁଡିଛି । ମହୁମାଛି ଆକ୍ରମଣରେ ଜଣେ ଶିକ୍ଷକ ଓ 7 ଜଣ ଛାତ୍ରଛାତ୍ରୀ ଆହତ ହୋଇଛନ୍ତି । ଶିକ୍ଷକ ଜଣଙ୍କ ଗୁରୁତର ଥିବାରୁ ତାଙ୍କୁ ହରିଚନ୍ଦନପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି ।
ହରିଚନ୍ଦନପୁର ବାଳିକା ଉଚ୍ଚ ବିଦ୍ୟାଳୟ କେନ୍ଦ୍ରକୁ 50ରୁ ଅଧିକ ଛାତ୍ରଛାତ୍ରୀ ମାଟ୍ରିକ ପରୀକ୍ଷା ଦେବାକୁ ଆସିଥିଲେ । ପରୀକ୍ଷା କେନ୍ଦ୍ରକୁ ପ୍ରବେଶ କରୁଥିବା ସମୟରେ ଦଳେ ମହୁମାଛି ଛାତ୍ରଛାତ୍ରୀଙ୍କ ଉପରକୁ ଆକ୍ରମଣ କରିଥିଲେ । ମହୁମାଛି ଭୟରେ ଯିଏ ଯେଉଁଆଡେ ପାଇଥିଲେ ଦୌଡିବାକୁ ଲାଗିଥିଲେ । ହେଲେ କିଛି ଛାତ୍ରଛାତ୍ରୀ ମହୁମାଛି ଆକ୍ରମଣର ଶିକାର ହୋଇଥିଲେ । ଜଣେ ଶିକ୍ଷକ ଓ 7 ଜଣ ଛାତ୍ରଛାତ୍ରୀଙ୍କୁ ମହୁମାଛି କାମୁଡିବାରୁ ସେମାନେ ଆହତ ହୋଇଛନ୍ତି । ବିଦ୍ୟାଳୟ ନିକଟ ଗଛରେ ବସା ବାନ୍ଧିଥିବା ଏକ ମହୁଫେଣାରୁ ମହୁମାଛି ବାହାରି ଛାତ୍ରୀଛାତ୍ରଙ୍କୁ ଆକ୍ରମଣ କରିଥିଲେ। ଏହି ସମୟରେ ଧାଁ ଦୌଡ ବେଳେ ଶିକ୍ଷକ କିଶୋର ଚନ୍ଦ୍ର ମହାନ୍ତିଙ୍କୁ ମହୁମାଛି ଆକ୍ରମଣ କରିଥିଲେ ଫଳରେ ଦୌଡିବା ସମୟରେ ତଳେ ପଡିଯାଇ ଗୁରୁତର ଆହତ ହୋଇଥିଲେ । ତାଙ୍କୁ ହରିଚନ୍ଦନପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି ।
ପରୀକ୍ଷାର୍ଥୀ ବିଶ୍ବନାଥ ଜୁଆଙ୍ଗ ଗୁରୁତର ହୋଇଥିବାରୁ ତାଙ୍କୁ ଇଞ୍ଜେକସନ ଦିଆଯାଇଥିବା । ଏହାପରେ ସେ ପରୀକ୍ଷା ଦେଇଥିବା ଜଣାପଡିଛି । ବର୍ତ୍ତମାନ ମହୁମାଛି ଆକ୍ରମଣର ଶିକାର ଅନ୍ୟ ସମସ୍ତ ଛାତ୍ରଛାତ୍ରୀ ସୁସ୍ଥ ଥିବା ସୂଚନା ମିଳିଛି । ମହୁମାଛି ଆକ୍ରମଣ ଖବର ପାଇଁ ମେଡିକାଲ ଟିମ୍ ପହଞ୍ଚି ପିଲାମାନଙ୍କୁ ଚିକିତ୍ସା କରିଥିଲେ ।