କେନ୍ଦୁଝର: ମହାମାରୀ କୋରୋନା ବଦଳାଇଛି ସ୍ବାଭାବିକ ଜୀବନ ଶୈଳୀ । ଲକଡାଉନ, ସଟଡାଉନ ଓ ସାମାଜିକ ଦୂରତାର ମାପ କାଠିରେ ଚାଲିଛି କୋରୋନା ମୁକାବିଲା । ଜନଗହଳି ଏଡାଇବାକୁ ଯାଇ ସାମୁହିକ ଜନ ଶୁଣାଣିକୁ ବନ୍ଦ କରିଛି ପ୍ରଶାସନ । ହେଲେ ଲୋକଙ୍କ ସମସ୍ୟା ପାଇଁ ଆପଣାଇଛି ନୂତନ ବିକଳ୍ପ । ବିଭିନ୍ନ ଅଫିସ ସମ୍ମୁଖରେ ଗ୍ରୀଭାନ୍ସ ବାକ୍ସର ବ୍ୟବସ୍ଥା କରାଯାଇଛି । ଯାହାର ଯେଉଁ ଅଭିଯୋଗ ଏହି ବାକ୍ସରେ ପକେଇ ଦେଇଯାଉଛନ୍ତି । ତଥାପି ନିଜର ସମସ୍ୟା ଜଣାଇବା ପାଇଁ କେନ୍ଦୁଝର ଜିଲ୍ଲାର ଗାଁ ଗଣ୍ଡାର ଲୋକେ ଜିଲ୍ଲାପାଳ କାର୍ଯ୍ୟାଳୟକୁ ଧାଇଁ ଆସୁଛନ୍ତି ।
ଲକଡାଉନ ପରେ ସ୍ଥିତି ସାମାନ୍ୟ କରିବାକୁ ଅନଲକ ପ୍ରକ୍ରିୟାରେ ଖୋଲିଛି ଅଫିସ । ହେଲେ ଏବେ ସଂକ୍ରମଣ କମି ନଥିବାରୁ କମ୍ ସଂଖ୍ୟକ କର୍ମଚାରୀ କାର୍ଯ୍ୟାଳୟକୁ ଆସୁଛନ୍ତି । ଫଳରେ ପୂର୍ବ ପରି ଜନ ଶୁଣାଣି ସମ୍ଭବ ନୁହେଁ । ତେଣୁ ଗ୍ରୀଭାନ୍ସ ବାକ୍ସର ବ୍ୟବସ୍ଥା କରାଯାଇଛି । ହେଲେ ଅଭିଯୋଗ ବାକ୍ସ ମାଧ୍ୟମରେ ସମସ୍ୟା ସମାଧାନ ହେବ ନାହିଁ ତାକୁ ନେଇ ସନ୍ଦେହ ପ୍ରକାଶ ପାଇଛି । ସାମାଜିକ ଦୂରତା ରକ୍ଷା କରି ପ୍ରତ୍ୟକ୍ଷ ଭାବେ ଜିଲ୍ଲାପ୍ରଶାସନ ଅଧିକାରୀ ସମସ୍ୟାର ସମାଧାନ କରିବାକୁ ସାଧାରଣ ଲୋକେ ଦାବି କରିଛନ୍ତି । ଅନ୍ୟପଟେ ଅଭିଜ୍ଞ ଅଧିକାରୀଙ୍କ ଦ୍ବାରା ସମସ୍ୟାର ସମାଧାନ କରାଯାଉଥିବା ଜିଲ୍ଲାପାଳ ଆଶିଷ ଠାକରେ କହିଛନ୍ତି ।