ଆନନ୍ଦପୁର:ଆସୁଛି ଆଲୋକର ପର୍ବ ଦୀପାବଳି । ଦୀପାବଳିରେ ମାଟି ଦୀପର ଚାହିଦା ଢେର ରହିଥାଏ । କିନ୍ତୁ ଦିନକୁ ଦିନ ମାଟି ଦୀପର ଚାହିଦା ବଢିବା ପରିବର୍ତ୍ତେ କମିବାରେ ଲାଗିଛି । ଏ ହେଉଛି କେନ୍ଦୁଝର ଜିଲ୍ଲା ଘସିପୁରା ବ୍ଲକ କେଶଦୁରାପାଳ ଗାଁ । ଆଗକୁ ଆସୁଛି ଦୀପାବଳି ତେଣୁ ଏହି ଗ୍ରାମର କୁମ୍ଭାର ମାନେ ନିଜର କୁଳବେଉସାରେ ମାଟି ଦୀପ ସହ ଅନ୍ୟ ଜିନିଷ ତିଆରିରେ ଲାଗି ପଡ଼ିଛନ୍ତି । ଜିନିଷ ଗୁଡିକୁ ତିଆରି କରିବା ପରେ ଶୁଖାଯାଇ ଭାଟିରେ ପୋଡ଼ି ପ୍ରସ୍ତୁତ କରାଯାଇଥାଏ । ଏହାପରେ ନିକଟସ୍ଥ ବଜାର ଓ ବେପାରୀ ମାନଙ୍କୁ ଏହା ବିକ୍ରି କରିଥାନ୍ତି ।
ଦିନ ଥିଲା ଏହି କେଶଦୁରାପାଳ ଗାଁରେ ମାଟି ତିଆରି ସାମଗ୍ରୀର ଚାହିଦା ଖଣ୍ଡମଣ୍ଡଳରେ ଥିଲା । ଗ୍ରାମର ୫୦ ରୁ ଉର୍ଦ୍ଧ୍ବ ପରିବାର ମାଟିରେ ହାଣ୍ଡି , ମାଠିଆ , ସୁରେଇ , ଫୁଲକୁଣ୍ଡ , ଘୋଡା , ଦୀପ ଆଦି ବିଭିନ୍ନ ଜିନିଷ ତିଆରି କରି ପରିବାର ପୋଷଣ କରୁଥିଲେ । କେନ୍ଦୁଝର ଜିଲ୍ଲା ସମେତ ପଡୋଶୀ ଜିଲ୍ଲା ଯାଜପୁର , ମୟୁରଭଞ୍ଜ ଅଂଚଳରେ ଏସବୁ ଜିନିଷ ବିକ୍ରି ହେଉଥିଲା । ହେଲେ ଏବେ ପ୍ଲାଷ୍ଟିକ , ଷ୍ଟିଲ , ଚାଇନା ସାମଗ୍ରୀ ଯୋଗୁଁ ମାଟି ତିଆରି ଜିନିଷର୍ ଚାହିଦା କ୍ରମଶଃ ହ୍ରାସ ପାଇବାରେ ଲାଗିଥିବା ବେଳେ କରୋନା ବି ଦୁଃଖ ଦେଇଛି । କୁମ୍ଭାର ମାନଙ୍କୁ ସେମାନଙ୍କ ଜିନିଷର ଉଚିତ ମୂଲ୍ୟ ମିଳିପାରୁ ନଥିବା ବେଳେ ଜାଳେଣି ର ସମସ୍ୟା ମଧ୍ୟ ଲାଗି ରହିଛି ତେଣୁ ସରକାରୀ ସହାୟତା ଦାବୀ କରୁଛନ୍ତି ଏହି ପରିବାର।