କେନ୍ଦୁଝର: କେନ୍ଦୁଝର ବନଖଣ୍ଡରେ ବୁଲୁଛନ୍ତି ଏକ ହାତୀ ପଲ । ହାତୀ ପଲ ଉପରେ ନଜର ରଖିଛି ଥର୍ମାଲ ଡ୍ରୋନ୍ । ହାତୀ ପଲ ମଧ୍ୟରେ ଏକ ଏକ ଛୁଆ ହାତୀ ରହିଛି । ଯାହାର ସ୍ବାସ୍ଥ୍ୟାବସ୍ଥା ଖରାପ ଥିବାରୁ ଚିକିତ୍ସା କରିବା ପାଇଁ ଉଦ୍ୟମ ଜାରି ରହିଛି । ଛୁଆହାତୀକୁ ପଲରୁ ଅଲଗା କରି ଚିକିତ୍ସା କରାଯିବ ବୋଲି ବନ ବିଭାଗ ସୂଚନା ଦେଇଛି । ଥର୍ମାଲ ଡ୍ରୋନରେ ଉତ୍ତୋଳନ ହୋଇଥିବା ଭିଡିଓକୁ ଜାରି କରିଛି ଜଙ୍ଗଲ ବିଭାଗ । ହାତୀ ଛୁଆଟିର ବୟସ ପାଖପାଖି ୬ ମାସ ହେବ ବୋଲି ଜଣାପଡିଛି । ଆଖପାଖ ଜଙ୍ଗଲରେ ବୁଲିବା ପରେ ଆଜି ହାତୀଟି ମଇଦାନକେଲ ସଂରକ୍ଷିତ ଜଙ୍ଗଲ ମଧ୍ୟରେ ଥିବାର ବନ ବିଭାଗ ସୂଚନା ପାଇଛି ।
ବନ ବିଭାଗ ସୂଚନା ଅନୁଯାୟୀ, ମଇଦାନକେଲ ସଂରକ୍ଷିତ ଜଙ୍ଗଲରେ ଗତ କିଛିଦିନ ଧରି ଏକ ୧୨ଟିକିଆ ହାତୀପଲ ଚଳପ୍ରଚଳ କରୁଛନ୍ତି । ଏହି ହାତୀପଲରେ ଏକ ୬ ମାସର ହାତୀ ଛୁଆଟି ଅଛି । ଗତ ୧୦ ତାରିଖରେ ହାତୀସ୍କ୍ବାର୍ଡ ଏହି ହାତୀପଲକୁ ଅନୁସରଣ କରିବା ବେଳେ ଛୁଆ ହାତୀଟି ଛୋଟେଇ ଛୋଟେଇ ଚାଲୁଥିବାର ଦେଖିବାକୁ ପାଇଥିଲେ । ତାର ଆଗ ଡାହାଣ ପଟ ଗୋଡ଼ ଫୁଲିଥିବା ବନ ବିଭାଗ ଦେଖିବାକୁ ପାଇଥିଲା । ଦୁଇଦିନ ପୂର୍ବେ ଏହି ହାତୀ ପଲ ଘଞ୍ଚ ଜଙ୍ଗଲକୁ ଚାଲିଯାଇଥବା ବେଳେ ଗତକାଲି ପୁଣି ଆମ୍ବୁଆପାଶି ନିକଟରେ ହାତୀପଲରୁ ଏହି ହାତୀ ଛୁଆ ଅଲଗା ହୋଇଯାଇଥିଲା ।