ଭଦ୍ରକ: କେନ୍ଦୁଝର ଜିଲ୍ଲା ଯୋଡ଼ା ବ୍ଲକ୍ ଅଧିନସ୍ଥ ଭଦ୍ରାସାହି ଗ୍ରାମ ପଞ୍ଚାୟତରେ ୨ ଜଣ କୋରୋନା ପଜିଟିଭ୍ ଚିହ୍ନଟ ପରେ ଜିଲ୍ଲାପାଳଙ୍କ କ୍ଷମତା ପ୍ରୟୋଗ କରିଛନ୍ତି ଏଠାକାର ମହିଳା ସରପଞ୍ଚ । ମହିଳା ସରପଞ୍ଚ କସ୍ତୁରୀ ଓରାମ୍ ଭଦ୍ରାସାହି ଗ୍ରାମ ପଞ୍ଚାୟତକୁ ୭ଦିନ ପାଇଁ ସମ୍ପୂର୍ଣ୍ଣ ସଟଡାଉନ୍ ଘୋଷଣା କରିଛନ୍ତି ।
ଆସନ୍ତା ୨୦ ତାରିଖ ସକାଳ ୫ଟା ପର୍ଯ୍ୟନ୍ତ ସଟଡାଉନ୍ ବଳବତ୍ତର ରହିବ ବୋଲି ସେ ସୂଚନା ଦେଇଛନ୍ତି । ପଞ୍ଚାୟତରେ ବଢ଼ୁଥିବା ଆକ୍ରାନ୍ତଙ୍କ ସଂଖ୍ୟାକୁ ଓ ଜନସାଧାରଣଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ସେ ଏଭଳି ନିଷ୍ପତି ନେଇଥିବା କହିଛନ୍ତି । ସଟଡାଉନ୍ ସମୟରେ ପଞ୍ଚାୟତବାସୀ ଅଯଥାରେ ଘରୁ ନବାହାରିବାକୁ ସେ ପରାମର୍ଶ ଦେଇଛନ୍ତି । ତେବେ ଅତ୍ୟାବଶ୍ୟକ ସାମଗ୍ରୀ ଲୋକଙ୍କ ପାଖକୁ ପହଞ୍ଚାଇବା ପାଇଁ ବ୍ୟବସ୍ଥା କରାଯାଉଥିବା କହିଛନ୍ତି ସରପଞ୍ଚ ।