ଓଡିଶା

odisha

ETV Bharat / state

କେନ୍ଦୁଝରରେ ଭୟଙ୍କର ଦୁର୍ଘଟଣା: ଟ୍ରକକୁ ପଛରୁ ପିଟିଲା ଭ୍ୟାନ, 8 ମୃତ

Road accident in Keonjhar: କେନ୍ଦୁଝର ଜିଲ୍ଲା ବାଲିଯୋଡି ନିକଟରେ ଭୟଙ୍କର ସଡକ ଦୁର୍ଘଟଣା ଘଟିଛି । 8 ଜଣଙ୍କର ମୃତ୍ୟୁ ହୋଇଛି । ଅଧିକ ପଢନ୍ତୁ

କେନ୍ଦୁଝରରେ ଭୟଙ୍କର ସଡକ ଦୁର୍ଘଟଣା
କେନ୍ଦୁଝରରେ ଭୟଙ୍କର ସଡକ ଦୁର୍ଘଟଣା

By ETV Bharat Odisha Team

Published : Dec 1, 2023, 7:19 AM IST

Updated : Dec 1, 2023, 1:55 PM IST

keonjhar Road Accident

କେନ୍ଦୁଝର:ଭୟଙ୍କର ସଡକ ଦୁର୍ଘଟଣା । ଅଧା ରହିଲା ତାରିଣୀ ଦର୍ଶନ । ବାଟରେ ଜଗିଥିଲା ମୃତ୍ୟୁ । ଘଟଗାଁ ବାଲିଯୋଡି ନିକଟରେ ଟୁରିଷ୍ଟ ଭ୍ୟାନ ଦୁର୍ଘଟଣାଗ୍ରସ୍ତ ହୋଇ 8ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ 12 ଜଣ ଗୁରୁତର ଆହତ ହୋଇଛନ୍ତି । ମାଆ ତାରିଣୀଙ୍କ ଦର୍ଶନ ପାଇଁ ଯାଉଥିବା ବେଳେ ଆଜି ଭୋର୍ ସକାଳୁ କେନ୍ଦୁଝର ଜିଲ୍ଲାର ଘଟଗାଁ ବାଲିଯୋଡି ନିକଟରେ ଏଭଳି ଭୟଙ୍କର ସଡକ ଦୁର୍ଘଟଣା ଘଟିଛି । ବ୍ରେକଡାଉନ ଥିବା ଟ୍ରକକୁ ପଛରୁ ଧକ୍କା ଦେଇଥିଲା ଟୁରିଷ୍ଟ ଗାଡି । ସମସ୍ତ ମୃତକ ଗଞ୍ଜାମ ଜିଲ୍ଲା ପାରପୁଟା ଥାନା ଅନ୍ତର୍ଗତ ପୋଡାମାରି ଗାଁର ହୋଇଥିବା ସୂଚନା ମିଳିଛି । ଆହତମାନଙ୍କୁ ଘଟଗାଁ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି । ଘଟଣାସ୍ଥଳରେ ଏସପି ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି । ଭ୍ୟାନ ଡ୍ରାଇଭର ଫେରାର ରହିଛି ।

ଗଞ୍ଜାମ ଦିଗପହଣ୍ଡିରୁ କିଛି ଲୋକ ଏକ ଭ୍ୟାନରେ ଘଟଗାଁ ମାଆ ତାରିଣୀଙ୍କ ଦର୍ଶନ ପାଇଁ ଆସୁଥିଲେ । ପ୍ରାୟ 20 ଜଣ ଉକ୍ତ ଭ୍ୟାନରେ ଥିବା କୁହାଯାଉଛି । ସେମାନେ 2ଟି ପରିବାରର ହୋଇଥିବା ଜଣାପଡିଛି । ତାରିଣୀ ମନ୍ଦିରଠୁ ମାତ୍ର 3 କିଲୋମିଟର ଦୂରରେ ଦୁର୍ଘଟଣା ଘଟିଛି । ବାଲିଯୋଡ଼ି ନିକଟରେ ରାସ୍ତା ଉପରେ ଠିଆ ହୋଇଥିବା ଏକ ଆଇରନ ଟ୍ରକକୁ ପଛରୁ ଧକ୍କା ଦେଇଥିଲା ଭ୍ୟାନ । ଏଥିରେ 8 ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ 12 ଜଣ ଗୁରୁତର ହୋଇଛନ୍ତି । ତେବେ ଘଟଣାସ୍ଥଳରେ 7 ଜଣଙ୍କ ମୃତ୍ୟୁ ହୋଇଥିଲା । ଡାକ୍ତରଖାନାରେ ଆଉ ଜଣେ ଶିଶୁ ଆଖି ବୁଜିଛନ୍ତି ।

ମୃତକଙ୍କ ମଧ୍ୟରେ 3 ଜଣ ମହିଳା ରହିଛନ୍ତି । ଆହତମାନଙ୍କୁ ଘଟଗାଁ ମେଡିକାଲରେ ଚିକିତ୍ସା କରାଯାଉଛି । ମୃତ 8 ଜଣ ହେଲେ ରୁଦ୍ର ଗୌଡ଼, ବାବୁଲା ଗୌଡ଼, ମଦନ ଗୌଡ଼, ବାୟାଘନା ଗୌଡ଼, ଲିଲି ଗୌଡ଼, ଆକାଶ ପ୍ରଧାନ ଓ ମିତା ପ୍ରଧାନ । 3 ଜଣ ଗୁରୁତରଙ୍କୁ କଟକ ସ୍ଥାନାନ୍ତରଣ କରାଯାଇଛି । ଦିଗପହଣ୍ଡି ଆନନ୍ଦପୁର ଅଞ୍ଚଳରେ ଦୁର୍ଘଟଣା ଖବର ପହଞ୍ଚିବା ପରେ ପରିବାରରେ କାନ୍ଦ ବୋବାଳି ପଡିଛି । ସ୍ତବ୍ଧ ହୋଇଯାଇଛି ପୁରା ଗାଁ ।

ଏହା ବି ପଢନ୍ତୁ...ଯାଜପୁରରେ ମର୍ମନ୍ତୁଦ ଦୁର୍ଘଟଣା: ଅଟୋ ସହ ଅଜଣା ଗାଡି ଧକ୍କାରେ 2 ମୃତ

ଏହା ବି ପଢନ୍ତୁ..ଜମ୍ମୁ-କାଶ୍ମୀରରେ ଭୟଙ୍କର ବସ୍ ଦୁର୍ଘଟଣା; ୩୮କୁ ବଢ଼ିଲା ମୃତ୍ୟୁସଂଖ୍ୟା

ଦୁର୍ଘଟଣା ପରର ଦୃଶ୍ୟ ଅତ୍ୟନ୍ତ ହୃଦୟ ବିଦାରକ ଥିଲା । ରକ୍ତାକ୍ତ ହୋଇଥିଲା ରାଜରାସ୍ତା । ଛିନଛତ୍ର ହୋଇ ପଡିଥିଲା ମୃତଦେହ । ଭ୍ୟାନଟି ଚୁରମାର ହୋଇଯାଇଛି । କେତେ ଖୁସିରେ ମାଆ ତାରିଣୀଙ୍କ ଦର୍ଶନ କରିବେ ବୋଲି ଘରୁ ବାହାରି ଥିଲେ । ହେଲେ କିଏ ଜାଣିଥିଲା ଏମିତି ହେବ । ବିଧିର ବିଧାନ ବୋଧେ କିଛି ଅଲଗା ଥିଲା । ନିମିଷକ ମଧ୍ୟରେ ସବୁକିଛି ଛାରଖାର ହୋଇଗଲା । ତାରିଣୀ ଦର୍ଶନ ଅଧୁରା ରହିଗଲା । ଘଟଗାଁ ବାଲିଯୋଡି ଏନଏଚ 20ରେ ସଡକ ଦୁର୍ଘଟଣାରେ 8ଟି ଅମୂଲ୍ୟ ଜୀବନ ଚାଲିଯାଇଛି ।

ଦୁର୍ଘଟଣାକୁ ନେଇ ଶୋକ ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହା ସହ ମୃତକଙ୍କ ଆତ୍ମୀୟଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ତିନି ଲକ୍ଷ ଟଙ୍କା ଅନୁକମ୍ପା ମୂଳକ ସହାୟତା ଘୋଷଣା କରିଛନ୍ତି । ଶୋକ ସନ୍ତପ୍ତ ପରିବାର ବର୍ଗଙ୍କୁ ସମବେଦନା ଜଣାଇଛନ୍ତି । ଏହି ଦୁର୍ଘଟଣାରେ ଆହତ 12 ଜଣଙ୍କୁ ମାଗଣାରେ ଉପଯୁକ୍ତ ଚିକିତ୍ସା ଯୋଗାଇ ଦେବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ଏହା ସହିତ ସେମାନଙ୍କର ଆଶୁ ଆରୋଗ୍ୟ କାମନା କରିଛନ୍ତି ।

ପ୍ରକାଶ ଥାଉ କି, ଗତ ନଭେମ୍ବର 21 ତାରିଖରେ ଯାଜପୁର ଜିଲ୍ଲା ପାଣିକୋଇଲି ନିକଟସ୍ଥ 16 ନମ୍ବର ଜାତୀୟ ରାଜପଥ ନିକଟରେ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟି 2 ଜଣଙ୍କର ମୃତ୍ୟୁ ହୋଇଥିଲା । ଜଗନ୍ନାଥ ଦର୍ଶନ ପାଇଁ ଘରୁ ବାହାରିଥିବା ବାଟରେ ମୃତ୍ୟୁ ଛକି ବସିଥିଲା ।

ଇଟିଭି ଭାରତ, କେନ୍ଦୁଝର

Last Updated : Dec 1, 2023, 1:55 PM IST

ABOUT THE AUTHOR

...view details