କେନ୍ଦୁଝର: ମଶା ଧୂଆଁ ନେଲା ଜୀବନ । ରାତିରେ ମଶା ଦାଉରୁ ରକ୍ଷା ପାଇବା ପାଇଁ ମଶା ଧୂଆଁ ଲଗାଇ ଶୋଇଥିଲେ । ହେଲେ ଧୂଆଁରେ ଅଣନିଶ୍ବାସୀ ହୋଇ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଆଉ ଜଣେ ଗୁରୁତର ଅଛନ୍ତି । ଏଭଳି ଘଟଣା ଦେଖିବାକୁ ମିଳିଛି କେନ୍ଦୁଝର ସହରରେ । ମଶା ଧୂଆଁରେ ଅଣନିଶ୍ବାସୀ ହୋଇ ଜଣେ ସୁରକ୍ଷାକର୍ମୀଙ୍କ ମୃତ୍ୟୁ ଘଟିଛି । ମୃତକ ହେଲେ ହରିଚନ୍ଦନପୁର ବ୍ଲକ କୁମାରନାଳୀ ଗ୍ରାମର ସହଦେବ ମହାନ୍ତ । ଗୁରୁତର ଜଣକ ବାରିଆ ଥାନା ବର୍ଦ୍ଧନା ଗ୍ରାମର ସୁରେନ୍ଦ୍ର ମାଝୀ । ସେ ଜଣେ ଡ୍ରାଇଭର ହୋଇଥିବା ବେଳେ ସହଦେବଙ୍କ ସହ ଏକାଠି ଶୋଇଥିଲେ ।
ସୂଚନା ଅନୁସାରେ, କେନ୍ଦୁଝର ସହରରେ ସ୍ଥିତ ଏକ ଘରୋଇ କମ୍ପାନୀ କାର୍ଯ୍ୟାଳୟରେ ସୁରକ୍ଷାକର୍ମୀ ଭାବେ ସହଦେବ ମହାନ୍ତ କାର୍ଯ୍ୟରତ ଥିଲେ । ଶୁକ୍ରବାର ରାତିରେ ସହଦେବ ଓ କାର୍ ଚାଳକ ସୁରେନ୍ଦ୍ର ଏକାଠି କମ୍ପାନୀ କାର୍ଯ୍ୟାଳୟର ଗୋଟିଏ ରୁମରେ ଶୋଇଥିଲେ । ସେମାନେ ରାତିରେ ମଶା କାମୁଡାରୁ ବର୍ତ୍ତିବାକୁ ୨ଟି ମଶା ଧୂଆଁ ଷ୍ଟିକ୍ ଲଗାଇ କବାଟ ଝରକା ବନ୍ଦ କରି ଶୋଇ ପଡ଼ିଥିଲେ । ଫଳରେ ଧୂଆଁ ଯୋଗୁଁ ଅଣନିଶ୍ବାସୀ ହୋଇ ସହଦେବଙ୍କ ମୃତ୍ୟୁ ହୋଇଥିଲା । ସୁରେନ୍ଦ୍ରଙ୍କ ଅବସ୍ଥା ମଧ୍ୟ ଗୁରୁତର ଥିଲା । ଦୁହିଁଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ବେଳେ ଡାକ୍ତର ସହଦେବଙ୍କୁ ମୃତ ଘୋଷଣା କରିଥିଲେ । ତେବେ ବିଷାକ୍ତ ଧୂଆଁ ନିଶ୍ବାସରେ ନେବା କାରଣରୁ ଏହି ଅଘଟଣ ଘଟିଥିବା ଡାକ୍ତର ଅନୁମାନ କରିଛନ୍ତି ।
ଏହା ମଧ୍ୟ ପଢନ୍ତୁ: ଜୀବନ ନେଲା କୋଇଲା ଧୂଆଁ, ଶ୍ବାସରୁଦ୍ଧ ହେବାରୁ ଗୋଟିଏ ପରିବାରର 4 ମୃତ