କେନ୍ଦୁଝର: ପ୍ରଥମେ ଥିଲା ଜାଳେଣୀ କାଠରେ ରାନ୍ଧିବାର ଅଭ୍ୟାସ । ବନ କର୍ମଚାରୀଙ୍କ ତାଗିଦ ପରେ ଗ୍ୟାସରେ ହେଲେ ଅଭ୍ୟସ୍ତ । କିନ୍ତୁ ଏବେ ପୁଣି ଲୁଚିଛପି ସଂଗ୍ରହ କରୁଛନ୍ତି ଜାଲେଣୀ କାଠ । କାରଣ ରନ୍ଧା ନହେଲେ ଖାଇବେ କଣ ? କାହିଁକି ନା ଏମାନଙ୍କ ପାଖରେ ପହଞ୍ଚିପାରୁନି ସରକାରଙ୍କ ମାଗଣା ଗ୍ୟାସ୍ ଗାଡି ।
ମିଳିବ ମାଗଣା ଗ୍ୟାସ୍: କାଗଜପତ୍ରରେ ସରକାରଙ୍କ ଘୋଷଣା, ଘରେ ପହଞ୍ଚିପାରୁନି ଉଜ୍ଜଳା କୋରୋନା ପରିସ୍ଥିତି ଭୟଙ୍କର ପାଲଟିଛି । ଏପରି ସ୍ଥିତିରେ ଗରିବ ଓ ଅସହାୟ ଅନେକ ସମସ୍ୟା ଭୋଗୁଛନ୍ତି । ତେବେ କେହି ଯେପରି ଭୋକିଲା ନରହିବେ ସେଥିପାଇଁ ସରକାର ମାଗଣା ରାସନ ସାମଗ୍ରୀ ଓ ଉଜ୍ଜଳା ଯୋଜନାର ବ୍ୟବସ୍ଥା କରିଛନ୍ତି । ଏପରିକି ପ୍ରଧାନମନ୍ତ୍ରୀ ଉଜ୍ଜଳା ଯୋଜନାରେ ତିନି ମାସ ପାଇଁ ମିଳିଛି ଗ୍ୟାସ୍ ଭରିବା ପାଇଁ ଟଙ୍କା । ହେଲେ ଗ୍ୟାସ୍ ଆସିଲେ ତ ଟଙ୍କା ଦେବେ ? ଗ୍ୟାସ୍ ଗାଡି ଅନାଇ ଅନାଇ ଆଖିରୁ ପାଣି ମରିଲାଣି ମାତ୍ର ଗାଡିର ଦେଖାନାହିଁ ।
ଏହା ହେଉଛି କେନ୍ଦୁଝର ଗାଁରେ ବସବାସ କରୁଥିବା ଆଦିବାସୀଙ୍କ କାହାଣୀ । ଗ୍ରାମାଞ୍ଚଳରେ ଏହି ମାଗଣା ଗ୍ୟାସ୍ ସେବା ପହଞ୍ଚିପାରୁନଥିବାର ଆସିଛି ଅଭିଯୋଗ । ଯେଉଁ ଗାଡିରେ ଗ୍ୟାସ୍ ବଣ୍ଟାଯାଉଛି ତାହା ସବୁ ଗାଁରେ ପହଞ୍ଚିପାରୁନି । ସେପଟେ ଗ୍ୟାସ୍ ଭରିବା ପାଇଁ ସାଇକେଲରେ ଯିବାକୁ ପଡୁଛି ଦଶରୁ ଅଧିକ କିଲୋମିଟର । ଗ୍ୟାସ୍ ଟାଙ୍କି ପଛପଟେ ବାନ୍ଧି ବଡ କଷ୍ଟରେ ଆବଡାଖାବଡା ରାସ୍ତାରେ ଲୋକେ ଯାଉଛନ୍ତି ଗ୍ୟାସ୍ ଆଣିବାକୁ । ଲକଡାଉନ କଟକଣା ଯୋଗୁଁ ଏଥିପାଇଁ ବେଳେବେଳେ ସହିବାକୁ ପଡେ ପୋଲିସର ଲାଠିମାଡ ।
ଅନ୍ୟପଟେ ଗୋଦାମରେ ନଦେଇ ସହର ଉପକଣ୍ଠର ଫାଙ୍କା ସ୍ଥାନରେ ଗ୍ୟାସ ଦେଉଛନ୍ତି ଏଜେନ୍ସି । ଅଫିସରେ ପ୍ରବଳ ଭିଡ ଯୋଗୁଁ ଦେବା ଅସମ୍ଭବ । ସେଥିପାଇଁ ଫାଙ୍କା ଜାଗାରେ ଦେଉଥିବା କହିଛନ୍ତି କର୍ମଚାରୀ । ସେହିପରି ସବୁ ଗାଁରେ ମାଗଣା ଗ୍ୟାସ ଦେଇନପାରି ଅନେକ ସମୟରେ ଫେରିଆସୁଛନ୍ତି କର୍ମଚାରୀ । ଏପରି କାରଣ ଦର୍ଶାଇ ନିଜ ଉପରୁ ଦୋଷ ହଟାଇ ଦେଇଛନ୍ତି ବିତରଣକାରୀ । କିନ୍ତୁ ଏସବୁ ମଝିରେ ଘାଣ୍ଟି ହେଉଛନ୍ତି ନିରୀହ ଗାଁଲୋକେ । ସରକାର ଟଙ୍କା ପଠେଇ ଦେଲେ । ଏଜେନ୍ସି ଗ୍ୟାସ ବାଣ୍ଟି ଦେଲେ । ପୋଲିସ ନିଜ କର୍ତ୍ତବ୍ୟ ସାରିଦେଲେ । ହେଲେ ପ୍ରକୃତରେ ହିତାଧିକାରୀ ପାଉଛନ୍ତି ନା ନାହିଁ ବୁଝିବାକୁ କେହି ହେଲେନି ଆଗଭର । ଘରେ ଘରେ ଜଳିବ ଉଜ୍ଜଳାର ପ୍ରତିଶ୍ରୁତି ଏବେ ଗରିବ ପାଇଁ ପାଲଟିଛି ପରିହାସ ।
କେନ୍ଦୁଝରରୁ ସନ୍ତୋଷ ମହାପାତ୍ର, ଇଟିଭି ଭାରତ