କେନ୍ଦୁଝର: ନୂଆ ଟ୍ରାଫିକ୍ ନିୟମ ଆଣିଲେ ସରକାର । ଏହି ନିୟମ ଲାଗୁ ହେବା ପରେ ସବୁଠି ଚାଲିଥିଲା ଧରପଗଡ । ନିୟମ ଉଲ୍ଲଙ୍ଘନ କଲେ ସମସ୍ତଙ୍କୁ ଘାରୁଛି ଜରିମାନା ଦେବାର ଭୟ । ଫାଇନ ଡରରେ ରାସ୍ତା ଉପରକୁ ଗାଡି କାଢିବାକୁ କେହି ଚାହୁଁନାହାନ୍ତି । ଆଉ ଘରୁ ଗାଡି ବାହାର କଲେ ହଜାର ଥର ଭାବିବାକୁ ପଡୁଛି । ସେପ୍ଟେମ୍ବର ପହିଲାରୁ ରାଜ୍ୟରେ ଲାଗୁ ହୋଇଥିବା ଟ୍ରାଫିକ ଓ ପରିବହନ ଅଧିନିୟମ 2019 ପରେ ତଣ୍ଡ ପାଇଁ ସମସ୍ତେ ଟ୍ରାଫିକ୍ ନିୟମ ପାଳିବାକୁ ବାଧ୍ୟ ହେଉଛନ୍ତି । ଏହି ନୂଆ ଟ୍ରାଫିକ୍ ନିୟମର ପ୍ରଭାବ ରାଜ୍ୟର ସମସ୍ତ ପରିବହନ କାର୍ଯ୍ୟାଳୟ ସମ୍ମୁଖରେ ଦେଖିବାକୁ ମିଳିଛି ଲମ୍ବା ଲାଇନ ।
କେନ୍ଦୁଝର ଜିଲ୍ଲାର ପରିବହନ କାର୍ଯ୍ୟାଳୟ ସମ୍ମୁଖରେ ମଧ୍ୟ ଏହି ଲମ୍ବା ଲାଇନ ଦେଖିବାକୁ ମିଳିଛି । ସରକାର ହଠାତ୍ ଏହି ନିୟମ ଲାଗୁ କରିବା ପରେ କିଏ ଲାଇସେନ୍ସ ପାଇଁ ତ ଆଉ କିଏ ଗାଡିର କାଗଜ ପତ୍ର ଠିକ କରିବାକୁ ଏହି ଲମ୍ବା ଲାଇନରେ ଠିଆ ହେବାକୁ ବାଧ୍ୟ ହେଉଛି । ସେପଟେ ପରିବହନ ବିଭାଗ ପକ୍ଷରୁ ଏକାଧିକ କାଉଣ୍ଟର ନଥିବାରୁ ଗୋଟିଏ ଲାଇନରେ ସମସ୍ତଙ୍କୁ ଘଣ୍ଟା ଘଣ୍ଟା ଧରି ଠିଆ ହେବାକୁ ପଡୁଛି । ଯଦ୍ବାରା ଅସନ୍ତୋଷ ଦେଖିବାକୁ ମିଳିଛି ।