କେନ୍ଦୁଝର: ଆଜିର ଦୁନିଆରେ ସେବା, ସାହାଯ୍ୟ ଶବ୍ଦ ଶୁଣାଗଲେ ପ୍ରାୟ ସମସ୍ତଙ୍କ ମନରେ ସଙ୍କୋଚ, ବିତୃଷ୍ଣା, ଭାବ ଦେଖା ଦେଇଥାଏ । ହେଲେ ଏମିତି ଜଣେ ବ୍ୟକ୍ତିତ୍ବ ଜନ୍ମମାଟି ପାଇଁ ସେବା ମନୋଭାବରେ ବୋଳା ନିଆରା ହୃଦୟ ଟିଏ । ନା ତାଙ୍କ ଶରତ କର । କେନ୍ଦୁଝର ପାଟଣାବ୍ଲକ ରାଜନଗର ଗାଁରେ ତାଙ୍କ ଘର । ମନ ଥିଲା ଚାକିରୀ ପରେ କୌଣସି ବଡ଼ ସହରରେ ଘର କରି ରହିବେ । କିନ୍ତୁ ପରିବାର, ଗାଁର ଡାକ ଅଥୟ କରିଥିଲା ଶରତ କରଙ୍କୁ । ଶେଷରେ ଗାଁକୁ ଫେରିଥିଲେ । ଗାଁର ଅବହେଳିତ , ଅବ୍ୟବସ୍ଥିତ, ବିପର୍ଯ୍ୟସ୍ତ ରୂପ ତାଙ୍କୁ ବ୍ୟଥିତ କରିଥିଲା । ପରେ ଶରତ ନିଜର ସର୍ବସ୍ବ ସ୍ବଅର୍ଜିତ ଧନ ରାଶିକୁ ଗାଁର ବିକାଶ, ପ୍ରକାଶ, ପ୍ରସାର ପାଇଁ ବିନିଯୋଗ କରିବାରେ ଲାଗିଲେ ।
ଗାଁକୁ ଫେରି ପ୍ରଥମେ ପୁରୁଣା ଘରକୁ ସଜାଡ଼ିବା ପରେ ଆରମ୍ଭ କଲେ ଗାଁର ଉନ୍ନତିକରଣ । ଗ୍ରାମଟି ଐତିହାସିକ ହେଲେ ମଧ୍ୟ ସରକାରୀ ଅବହେଳାର ଶିକାର ହୋଇରହିଥିଲା । ଗାଁକୁ ସଜାଡିବା ପାଇଁ ଅଣ୍ଟା ଭିଡିଥିଲେ ଶରତ କର। ନିଜ ଚାକିରୀ ଜୀବନରେ ଉପାର୍ଜନ ପେନସନ ଅର୍ଥରାଶି ଓ ସ୍ତ୍ରୀଙ୍କ ନାମରେ ଥିବା ସଞ୍ଚୟକୁ ଗାଁର ବିଭିନ୍ନ ଉନ୍ନତି ମୂଳକ କାର୍ଯ୍ୟରେ ବିନିଯୋଗ ଆରମ୍ଭ କଲେ । ଗାଁର ସର୍ବପୁରାତନ ମନ୍ଦିରରର ଉନ୍ନତିକରଣ, ବିଭିନ୍ନ ପୂଜା ମଣ୍ଡପର ପୁନଃରୁଦ୍ଧାର ଆଦି କାର୍ଯ୍ୟ କରିଚାଲିଲେ। ଏହା ସହ ଗାଁମୁଣ୍ଡରେ ବୈତରଣୀ ନଦୀ କୂଳରେ ଶ୍ମାଶାନରେ ବିଶ୍ରାମ ଗୃହ, ରଘୁନାଥଜୀଉ ମନ୍ଦିର ନିକଟରେ ଧର୍ମଶାଳା ଆଦି ନିର୍ମାଣ କରିଛନ୍ତି ଶରତ କର । ଏସବୁ ଛଡା ଶରତ କର ଉକ୍ତ ଅଞ୍ଚଳରେ ଅଭାବି ଲୋକଙ୍କ ପରିବାରର କୌଣସି ଲୋକଙ୍କ ଦେହାନ୍ତ ହେଲେ ଅନ୍ତେଷ୍ଟ୍ୟ କ୍ରିୟାକ୍ରମରେ ନିଜେ ସେଠି ପହଞ୍ଚିବା ସହ ଆର୍ଥିକ ସହାୟତା ମଧ୍ୟ ଯୋଗାଇ ଦେଇଥାନ୍ତି ।