ଆନନ୍ଦପୁର: ଓଡି଼ଆ ଢଗ ଢମାଳିରେ ଗୋଟିଏ କଥା ଅଛି । ନାଲି ଟୁକୁଟୁକୁ ସାଧବ ବୋହୂ , ମେଘ ବରଷା ରେ କୁଆଡ଼େ ଯାଉ । ବର୍ଷାର ପ୍ରଥମ ଅସରା ଯେତେବେଳେ ଧରାପୃଷ୍ଠକୁ ସ୍ପର୍ଶ କରେ ସେତେବେଳେ ନିଜର ସୁନ୍ଦର ରୂପରେ ସମସ୍ତଙ୍କ ମନ ମୋହି ନିଅନ୍ତି ସାଧବ ବୋହୂ । ନାଲି ରଙ୍ଗ ଆବରଣରେ ସବୁଜ ଧରଣୀକୁ ଅଧିକ ଆକର୍ଷଣୀୟ କରନ୍ତି ଏମାନେ । ସାଧବବୋହୂକୁ ଶୁଖ ଓ ସମୃଦ୍ଧିର ବାର୍ତ୍ତାବହ ବୋଲି ବିଶ୍ବାସ କରନ୍ତି ଚାଷୀକୂଳ ।
କାହିଁ କେଉଁ କାଳରୁ ଚାଷି ଭାଇର ସାଥୀ ପାଲଟିଛି ସାଧବ ବୋହୂ । ସାଧବବୋହୂକୁ ଦେଖି ଏ ବର୍ଷ ଭଲ ଫସଲ ହେବ ବୋଲି ଅନୁମାନ କରିନିଏ ଚାଷୀ ଭାଇ । କିନ୍ତୁ ଚାଷୀକୂଳଙ୍କ ସେହି ବିଶ୍ବାସ ଧୀରେ ଧୀରେ ମଳିନ ହୋଇଯାଉଛି । ବିକାଶର ପ୍ରସସ୍ତ ପଥ ଉପରେ ନିଜର କୁନି କୁନି ପାଦ ରଖିବାକୁ ଆଉ ସ୍ଥାନ ପାଉନାହିଁ ସାଧବବୋହୂ ।
ଉତପ୍ତ ଖରାଦିନରେ କେଉଁଆଡେ ଉଭାନ ହେଉଯାଉଥିବା ଏହି ପୋକ ବର୍ଷା ହେବା ମାତ୍ରେ କେଉଁଠୁ ଯେ ଆବିର୍ଭାବ ହୁଅନ୍ତି ତାହା କେହି କହି ଜାଣି ନାହାନ୍ତି । ସାଧବ ବୋହୂ ନାଁ ଟି କେଉଁଠୁ ଆସିଛି ତାହା ମଧ୍ୟ କହିପାରିବା କଷ୍ଟ । ସାଧବ ଘର ବୋହୁ ନାଲି ପାଟ ଶାଢ଼ୀ ପିନ୍ଧିବା ପରେ ଯେମିତି ସୁନ୍ଦର ଦେଖାଯାଏ ସେମିତି ସୁନ୍ଦର ଏହି ପୋକ ଦେଖାଯାଉଥିବାରୁ ବୋଧହୁଏ ତାକୁ ମଧ୍ୟ ସାଧବବୋହୂ ବୋଲି କୁହାଯାଏ । ଭିନ୍ନ ଭିନ୍ନ ରାଜ୍ୟରେ ଭିନ୍ନ ଭିନ୍ନ ନାଁରେ ଜଣା ଶୁଣା ଏହି କୁନି କୀଟଟି । କେଉଁଠି ବୀର ବାହୁତି, କେଉଁଠି ରାନୀ କିଡା, ସ୍କାଲେଟ ଫ୍ଲାଏ, ତ କେଉଁଠି ରେନ ବଗ ।