ଓଡିଶା

odisha

ଦୁର୍ଦିନରେ ଆନନ୍ଦପୁରର ପରିବା ଚାଷୀ; ଅଭାବୀ ବିକ୍ରି ସାଙ୍ଗକୁ ଦାଉସାଧୁଛି ଲଗାଣ ବର୍ଷା

By

Published : Sep 10, 2019, 5:00 PM IST

କେବେ ସୁଧୁରିବ ପରିବା ଚାଷୀଙ୍କ ଭାଗ୍ୟ; ନା ଅଛି ଶୀତଳ ଭଣ୍ଡାର ନା ମିଳୁଛି ସରକାରୀ ପ୍ରୋତ୍ସାହନ।

ଫଟୋ ସୌଜନ୍ୟ: ପ୍ରତିନିଧି, ଆନନ୍ଦପୁର


ଆନନ୍ଦପୁର: ଟମାଟୋର ଅଭାବୀ ବିକ୍ରି ପରେ ଏବେ କଖାରୁ ପାଳି। କେନ୍ଦୁଝରର ଆନନ୍ଦପୁର ଉପଖଣ୍ଡ ଅଧିନସ୍ଥ ପଦ୍ମପୁର ଗାଁରେ ଶତାଧିକ ଚାଷୀ ଶହ ଶହ ଏକର ଜମିରେ କଖାରୁ ଚାଷ କରିଥିଲେ। ମାତ୍ର ଫସଲର ଅଭାବୀ ବିକ୍ରି, ବ୍ୟବସାୟୀଙ୍କ ଲାଭଖୋର ମନୋଭାବ ସାଙ୍ଗକୁ ସରକାରଙ୍କ ଉଦାସୀନତା ଯୋଗୁଁ ଏବେ ଚାଷୀ ମୁଣ୍ଡରେ ହାତ ଦେଇ ବସିଛି। କଖାରୁ ବିକ୍ରି କରି ଲାଭ କରିବା ତ ଦୂରର କଥା ବର୍ତ୍ତମାନ ଜମିରେ ଏହା ପଡି ରହି ନଷ୍ଟ ହେଉଥିବା ଦେଖିବାକୁ ମିଳିଛି।

ବିଗତ ୨୦ ବର୍ଷରୁ ଊର୍ଦ୍ଧ୍ବ ସମୟ ଧରି ଏଠାକାର ଚାଷୀ ବିଭିନ୍ନ ପନିପରିବା ଚାଷ କରି ନିଜର ଜୀବିକା ନିର୍ବାହ କରୁଛନ୍ତି । ଏହାକୁ ବିକ୍ରି କରି ବେଶ ଦୁଇ ପଇସା ଲାଭ ପାଇଥାନ୍ତି। ହେଲେ ଚଳିତବର୍ଷ ହୋଇଥିବା ଲଗାଣ ବର୍ଷା ଚାଷୀଙ୍କ ମେରୁଦଣ୍ଡ ଭାଙ୍ଗି ଦେଇଛି । ଦୀର୍ଘ ବର୍ଷ ହେବ ଏଠାରେ ଏକ ଶୀତଳ ଭଣ୍ଡାର ନିର୍ମାଣ ପାଇଁ ଏ ଅଞ୍ଚଳର ଚାଷୀ ଦାବି କରି ଆସୁଥିଲେ ମଧ୍ୟ ଏପର୍ଯ୍ୟନ୍ତ ସରକାରୀସ୍ତରରେ କୌଣସି ପଦକ୍ଷେପ ନିଆଯାଇ ନାହିଁ। ଯାହାକୁ ନେଇ ଚାଷୀ ମହଲରେ ଅସନ୍ତୋଷ ଦେଖିବାକୁ ମିଳିଛି।

ଭିଡିଓ ସୌଜନ୍ୟ: ପ୍ରତିନିଧି, ଆନନ୍ଦପୁର

ଏ ସମ୍ପର୍କରେ ଉଦ୍ୟାନ ବିଭାଗ ଅଧିକାରୀଙ୍କୁ ପଚାରିବାରୁ ସେ ମତ ରଖି କହିଛନ୍ତି ଯେ ଏ ବାବଦରେ ଉପରିସ୍ଥ ଅଧିକାରୀଙ୍କୁ ଚିଠି ଲେଖି ଅବଗତ କରାଯାଇଛି। ଅଭାବୀ ବିକ୍ରି ଯୋଗୁଁ ଚାଷୀ ମୁଣ୍ଡରେ ଏବେ ଚଡକ ପଡିଥିବା ବେଳେ, ଏହାର ସମାଧାନ ପାଇଁ ସରକାର ପଦକ୍ଷେପ ନେବା ଜରୁରୀ ହୋଇପଡିଛି।

ଆନନ୍ଦପୁରରୁ ସ୍ମୃତି ରଞ୍ଜନ ବିହାରୀ, ଇଟିଭି ଭାରତ

ABOUT THE AUTHOR

...view details