କେନ୍ଦୁଝର:ରାଜ୍ୟରେ ବିଭିନ୍ନ ଜିଲ୍ଲାରେ ଲାଗି ରହିଛି ଧାନ ବିକ୍ରି ସମସ୍ୟା । କେନ୍ଦୁଝର ଜିଲ୍ଲା ତେଲକୋଇ ବ୍ଲକ ଧାନମଣ୍ଡିରେ ଚାଷୀଙ୍କ ଧାନ ନ ନେଇ ବେପାରୀଙ୍କ ଧାନ ନିଆଯାଉଥିବା ନେଇ ଚାଷୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି । ଏନେଇ ଯୋଗାଣ ନିଗମ ପରିଚାଳକଙ୍କ ଦ୍ବାରସ୍ଥ ହୋଇଛନ୍ତି ଚାଷୀ ।
ଯୋଗାଣ ଅଧିକାରୀଙ୍କୁ ଘେରିଲେ ଚାଷୀ ସୂଚନାନୁସାରେ, ପ୍ରକୃତ ଟୋକନ ପାଇଥିବା ଚାଷୀ ଧାନ ବିକ୍ରି ନ କରି ପାରି ଟୋକନ ପାଇ ନଥିବା ଲୋକେ ଧାନ ବିକ୍ରି କରୁଛନ୍ତି । ମଣ୍ଡିରେ ଚାଷୀଙ୍କ ଧାନ ବିକ୍ରି ନ ହୋଇ ବେପାରୀଙ୍କ ଧାନ ବିକ୍ରି ହେଉଛି । ଖରା, ବର୍ଷାରେ ଚାଷୀ ଚାଷ କରି ମଧ୍ୟ ଏବେ ଧାନ ବିକ୍ରି କରିବା ନେଇ ଚିନ୍ତାରେ । ଧାନମଣ୍ଡିରେ ଅନିୟମିତତା ନେଇ ଚାଷୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି ।
ସରକାର ଧାନ ଏମଏସପି ମୂଲ୍ୟରେ ବିକ୍ରି କରିବାକୁ ଚାଷୀଙ୍କୁ କହିଥିବା ବେଳେ ଲ୍ୟାମ୍ପରେ ନିଜେ ଧାନ କିଣିବାକୁ ଅସମର୍ଥ । ଧାନ ବିକ୍ରି ପାଇଁ ଚାଷୀ ଲ୍ୟାମ୍ପ ଆଗରେ ଲମ୍ବା ଧାଡି ଲଗାଇଛନ୍ତି । ଟୋକନ ମିଳି ଥିଲେ ମଧ୍ୟ ଧାନ ବିକ୍ରି କରିବାକୁ ଚାଷୀ ଅସମର୍ଥ । ପ୍ରକୃତ ଚାଷୀ ତାର ଧାନ ବିକ୍ରି କରି ପାରୁନଥିବା ବେଳେ ପ୍ରଭାବଶାଳି ବ୍ୟକ୍ତି ତାଙ୍କର ଧାନ ବିକ୍ରି କରୁଥିବା ଅଭିଯୋଗ କରି ଯୋଗାଣ ନିଗମ ପରିଚାଳକଙ୍କ କାର୍ଯ୍ୟାଳୟ ଘେରିଛନ୍ତି ଚାଷୀ । ଏ ନେଇ ଅଧିକାରୀଙ୍କୁ ଏକ ଲିଖିତ ଅଭିଯୋଗ କରିଛନ୍ତି । ଯଥାଶୀଘ୍ର ଚାଷୀଙ୍କ ଧାନ କିଣା ଯିବା ନେଇ ଯୋଗାଣ ଅଧିକାରୀ ପ୍ରତିଶ୍ରୁତି ଦେବା ସହ ଦୋଷୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ।
କେନ୍ଦୁଝରରୁ ସନ୍ତୋଷ କୁମାର ମହାପାତ୍ର, ଇଟିଭି ଭାରତ