କେନ୍ଦୁଝର: ପୁରୁଣା ପେନସନ ବ୍ୟବସ୍ଥା ଲାଗୁ କରିବା ପାଇଁ ନୂତନ ପେନସନ ଯୋଜନା ଭୁକ୍ତ ପ୍ରାଥମିକ ଶିକ୍ଷକ ସଙ୍ଘ ଦାବି କରିଛି । ଦାବି ପୂରଣ ନହେଲେ ଆଗାମୀ ଦିନରେ ଲକ୍ଷାଧିକ ଶିକ୍ଷକ କର୍ମଚାରୀ ଆନ୍ଦୋଳନକୁ ଓହ୍ଲାଇବେ ବୋଲି ସଙ୍ଘର ରାଜ୍ୟ କାର୍ଯ୍ୟକାରିଣୀ ବୈଠକରେ ଚେତାବନୀ ଦିଆଯାଇଛି ।
ଏହି ବୈଠକ ରବିବାର କେନ୍ଦୁଝର ସଂସ୍କୃତି ଭବନ ଠାରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ରାଜ୍ୟ ସଙ୍ଘର ସଭାପତି ରାଜେଶ ମହାନ୍ତିଙ୍କ ଅଧ୍ୟକ୍ଷତାରେ ସମସ୍ତ ଜିଲ୍ଲା କାର୍ଯ୍ୟକର୍ତ୍ତା ଉପସ୍ଥିତ ରହି ଶିକ୍ଷକମାନଙ୍କର ବିଭିନ୍ନ ସମସ୍ୟା ବିଷୟରେ ଆଲୋଚନା କରିଥିଲେ । ରାଜ୍ୟ ସରକାର ପୁରୁଣା ପେନସନ ଉଚ୍ଛେଦ କରି ନୂତନ ପେନସନ ବ୍ୟବସ୍ଥା ଲାଗୁ କରିବା ଫଳରେ ସମସ୍ତ ଶିକ୍ଷକ ଓ କର୍ମଚାରୀ କ୍ଷତିଗ୍ରସ୍ତ ହୋଇଛନ୍ତି ବୋଲି ସଙ୍ଘ ପକ୍ଷରୁ ଅଭିଯୋଗ କରାଯାଇଛି । ସରକାରଙ୍କ ଏହି ଶିକ୍ଷକ ଓ କର୍ମଚାରୀ ମାରଣ ନୀତିକୁ ସଙ୍ଘ ପକ୍ଷରୁ ବିରୋଧ କରାଯାଇଛି ।