ଓଡିଶା

odisha

ETV Bharat / state

ରାସ୍ତା ନଥିବାରୁ ଆସିପାରିଲାନି ଆମ୍ବୁଲାନ୍ସ, 2 କିମି ଚାଲିଲେ ପ୍ରସୂତୀ ମହିଳା

ରାସ୍ତା ନଥିବାରୁ ଗାଁକୁ ଆସିପାରିଲାନି ଆମ୍ବୁଲାନ୍ସ । ଫଳରେ ଅସୁରକ୍ଷିତ ଅବସ୍ଥାରେ ପିଲାକୁ ଜନ୍ମ ଦେବା ପରେ ଅଧିକ ଚିକିତ୍ସା ପାଇଁ 2 କିଲୋମିଟର ଚାଲିଲେ ପ୍ରସୂତୀ ମହିଳା । ଅଧିକ ପଢନ୍ତୁ...

By

Published : Jul 16, 2021, 4:35 PM IST

ରାସ୍ତା ନଥିବାରୁ ଆସିପାରିଲାନି ଆମ୍ବୁଲାନ୍ସ, 2 କିଲୋମିଟର ଚାଲିଲେ ପ୍ରସୂତୀ ମହିଳା
ରାସ୍ତା ନଥିବାରୁ ଆସିପାରିଲାନି ଆମ୍ବୁଲାନ୍ସ, 2 କିଲୋମିଟର ଚାଲିଲେ ପ୍ରସୂତୀ ମହିଳା

କେନ୍ଦୁଝର: ଗାଁକୁ ରାସ୍ତା ନଥିବାରୁ ପହଞ୍ଚିପାରିଲାନି ଆମ୍ବୁଲାନ୍ସ । ଫଳରେ ନବଜାତକୁ ଜନ୍ମଦେବା ପରେ 2 କିଲୋମିଟର ଚାଲି ଆମ୍ବୁଲାନ୍ସ ନିକଟକୁ ଗଲେ ପ୍ରସୂତି। ଏଭଳି ଅଭାବନୀୟ ଘଟଣା ଜିଲ୍ଲାର ତେଲକୋଇ ବ୍ଲକ ଅନ୍ତଗର୍ତ ତାଳପଦା ପଞ୍ଚାୟତରେ ଦେଖିବାକୁ ମିଳିଛି ।

ରାସ୍ତା ନଥିବାରୁ ଆସିପାରିଲାନି ଆମ୍ବୁଲାନ୍ସ, 2 କିଲୋମିଟର ଚାଲିଲେ ପ୍ରସୂତୀ ମହିଳା

ପଙ୍ଗା ଗାଁ ମୁଣ୍ଡାସାହିର ମନୋଜ ମୁଣ୍ଡାଙ୍କ ସ୍ତ୍ରୀ ଇନ୍ଦିରା ମୁଣ୍ଡା ଗର୍ଭ ଯନ୍ତ୍ରଣା ଅନୁଭବ କରିଥିଲେ । ଇନ୍ଦିରାଙ୍କୁ ମେଡିକାଲ ନେବାପାଇଁ ଗାଁର ଆଶା ଦିଦି ୧୦୮ ଆମ୍ବୁଲାନ୍ସକୁ ଯୋଗାଯୋଗ କରିଥିଲେ । ତେବେ ତେଲକୋଇରେ ଆମ୍ବୁଲାନ୍ସ ଉପଲବ୍ଧ ନଥିବାରୁ ପାଲଲହଡା ଉପଖଣ୍ଡ ଜମରଡିହରୁ ଆମ୍ବୁଲାନ୍ସ ଆସିଥିଲା । ପଙ୍ଗା ଗାଁର ଗର୍ଭବତୀ ମହିଳା ଇନ୍ଦିରାଙ୍କୁ ମେଡିକାଲ ଆଣିବା ପାଇଁ ସନ୍ଧ୍ୟାରେ ଆମ୍ବୁଲାନ୍ସ ଡେରିରେ ପହଞ୍ଚିଥିଲା । ସେତେବେଳକୁ ଇନ୍ଦିରା ମୁଣ୍ଡା ଗାଁ ମହିଳାଙ୍କ ସହାୟତାରେ ଅସୁରକ୍ଷିତ ଅବସ୍ଥାରେ ଏକ ଶିଶୁକନ୍ୟାକୁ ଜନ୍ମ ଦେଇ ସାରିଥିଲେ ।

ମା' ଓ ଶିଶୁକୁ ଆଶାଦିଦି ଅଧିକ ସ୍ବାସ୍ଥ୍ୟସେବା ଯୋଗାଇ ଦେବା ପାଇଁ ମେଡିକାଲ ଆଣିଥିଲେ । ତେବେ ମୁଣ୍ଡାସାହିକୁ ରାସ୍ତା ନଥିବାରୁ ଆମ୍ବୁଲାନ୍ସ ଯାଇ ପାରିନଥିଲା । ପ୍ରସୂତୀ ମହିଳା ଆମ୍ବୁଲାନ୍ସ ପାଖକୁ ଆସିବା ପାଇଁ ତାଙ୍କୁ 2 କିଲୋମିଟର ରାସ୍ତା ଚାଲିବାକୁ ପଡିଥିଲା । ଆମ୍ବୁଲାନ୍ସ କର୍ମଚାରୀ ମହିଳାଙ୍କୁ ଧରି ଗାଡି ପାଖକୁ ଆଣିଥିଲେ ।

ତେଲକୋଇ ସ୍ବାସ୍ଥ୍ୟ କେନ୍ଦ୍ରରେ ଦୁର୍ଗମ ଅଞ୍ଚଳର ଗର୍ଭବତୀ ମହିଳାଙ୍କ ପାଇଁ ମା' ଗୃହର ସୁବିଧା ରହିଛି । ପ୍ରସବ ସମୟ ଆଗରୁ ସେମାନଙ୍କୁ ସୁରକ୍ଷିତ ମାତୃତ୍ବ ଦେବାପାଇଁ ମା ଗୃହରେ ରଖିବାର ବ୍ୟବସ୍ଥା ମଧ୍ୟ ଅଛି । ତେବେ କାହିଁକି ସେମାନଙ୍କୁ ସେ ସୁବିଧାରୁ ବଞ୍ଚିତ କରାଯାଉଛି ତାହା ଏବେ ବଡ ପ୍ରଶ୍ନବାଚୀ ସୃଷ୍ଟି କରିଛି । ମେଡ଼ିକାଲ କର୍ତ୍ତୃପକ୍ଷ ଏଥିପ୍ରତି ଧ୍ୟାନ ଦେଉନଥିବାରୁ ବାରମ୍ବାର ଏଭଳି ଘଟଣା ଦେଖିବାକୁ ମିଳୁଛି ।

କେନ୍ଦୁଝରରୁ ସନ୍ତୋଷ କୁମାର ମହାପାତ୍ର, ଇଟିଭି ଭାରତ

ABOUT THE AUTHOR

...view details