ଆନନ୍ଦପୁର: ଭୂତ ଖାଉଛି ପିଡିଏସ ଚାଉଳ । ଅନେକ ଗରିବ ଯୋଗ୍ୟ ହିତାଧିକାରୀମାନେ ପିଡିଏସ ଚାଉଳ ପାଇବାରୁ ବଞ୍ଚିତ ହେଉଥିବାବେଳେ ମୃତ ବ୍ୟକ୍ତିଙ୍କ ନାମରେ ଉଠୁଛି ପିଡିଏସ ଚାଉଳ । ଏପରି ସଙ୍ଗିନ ଅଭିଯୋଗ ଆଣିଛନ୍ତି କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଲକ ଢ଼େଙ୍କା ପଞ୍ଚାୟତର ହିତାଧୀକାରୀ ।
କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଲକ ଢ଼େଙ୍କା ପଞ୍ଚାୟତର ବିଭିନ୍ନ ଗାଁରେ ଯୋଗ୍ୟ ହିତାଧିକାରୀ ଚାଉଳ ପାଉ ନଥିବାବେଳେ ଅନେକ ମୃତ ବ୍ୟକ୍ତିଙ୍କ ନାମରେ ପିଡିଏସ ଚାଉଳ ଉଠାଯାଉଥିବା ଅଭିଯୋଗ ହୋଇଛି । ମାସେ ନୁହଁ କି ଦୁଇମାସ ନୁହଁ ବର୍ଷବର୍ଷ ଧରି ମୃତ ବ୍ୟକ୍ତିଙ୍କ ନାମରେ ଚାଉଳ ଉଠାଯାଇ ହଡପ କରାଯାଉଛି ।
ଉକ୍ତ ପଞ୍ଚାୟତରେ ୬୩୨୫ ଜଣ ଜାତୀୟ ଖାଦ୍ୟ ସୁରକ୍ଷା ଯୋଜନାରେ ସାମିଲ ହୋଇଥିବାବେଳେ ୧୮୧ ଜଣ କାର୍ଡଧାରୀଙ୍କୁ ଅନ୍ତୋର୍ଦ୍ଦୟ ଚାଉଳ ପ୍ରଦାନ କରାଯାଉଛି । କିନ୍ତୁ ଅନ୍ତୋର୍ଦ୍ଦୟ ଯୋଜନାରେ ଅନେକ ମୃତ ବ୍ୟକ୍ତିଙ୍କ ନାମରେ ଚାଉଳ ଉଠାଯାଉଛି ବୋଲି ତାଙ୍କ ପରିବାର ଲୋକେ ଅଭିଯୋଗ କରିଛନ୍ତି ।