କେନ୍ଦୁଝର:ଦୁର୍ଦ୍ଦାନ୍ତ ଅପରାଧୀ କାଣ୍ଡେ ଓରଫ୍ କାଳିଚରଣ ମାଝୀକୁ ନୃସଂଶ ହତ୍ୟା । ସୋମବାର ରାତିରେ ଏହି ହତ୍ୟାକାଣ୍ଡ ଘଟିଛି । କାଣ୍ଡେର ଦୁଇ ହାତକୁ ଗାମୁଛାରେ ବାନ୍ଧି ଫାର୍ସାରେ ହାଣି ଅତି ନିର୍ମମ ଭାବେ ହତ୍ୟା କରାଯିବା ସହ ତା ଆଖିକୁ ତାଡ଼ି ଦିଆଯାଇଛି । ହତ୍ୟାକାଣ୍ଡ ଭିଆଇବା ପରେ ମୃତଦେହକୁ ପାଖରେ ଥିବା ସୁନା ନଦୀ କୁଳରେ ମାଟିଖୋଳି ପୋତି ଦେଇଥିଲେ ଦୁର୍ବୃତ୍ତ ।
ତେବେ ଏନେଇ ମଙ୍ଗଳବାର ଯୋଡ଼ା ପୋଲିସ ଅଭିଯୋଗ ପାଇବା ପରେ ତ୍ବରିତ ପଦକ୍ଷେପ ଗ୍ରହଣ କରି ତଦନ୍ତ ଆରମ୍ଭ କରିଥିଲା । ମୃତ କାଣ୍ଡେ ମାଝୀର ଦୁଇ ଶାଳକ ମନୋହର ମାଝୀ ଓ ଦିଗାମ୍ବର ମାଝୀକୁ ଉଠାଇନେଇ ଛାନଭିନ ଆରମ୍ଭ କରିଥିଲା ଯୋଡ଼ା ପୋଲିସ । ପଚରା ଉଚରା ପରେ ସମସ୍ତ ଘଟଣା ପଦାକୁ ଆସିଥିଲା । ଭିଣୋଇକୁ ହତ୍ୟା କରି ଏଫଏମ ପି କଲୋନୀ ନିକଟ ସୁନା ନଦୀ କୂଳରେ ପୋତି ଦେଇଥିବା ସ୍ବୀକାର କରିଥିଲେ ଅଭିଯୁକ୍ତ ଶାଳକ ଦ୍ବୟ । ଶାଳକଙ୍କୁ ନେଇ ପୋଲିସ ମୃତଦେହ ପୋତା ଯାଇଥିବା ସ୍ଥାନରେ ପହଁଞ୍ଚିଥିଲା । ମୃତଦେହକୁ ପୋତିଥିବା ସ୍ଥାନକୁ ଚିହ୍ନଟ ପରେ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ମାଟି ଖୋଳି ମୃତଦେହକୁ ସନ୍ଧ୍ୟାରେ ଉଦ୍ଧାର କରାଯାଇଥଲା ।