କେନ୍ଦୁଝର: ଦିନକୁ ଦିନ କୋରୋନା ଆକ୍ରନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ଏହି ଆକ୍ରାନ୍ତ ବୃଦ୍ଧିକୁ ନେଇ କେନ୍ଦ୍ରରୁ ରାଜ୍ୟ ସରକାର ଏବେ ଚିନ୍ତାରେ । ଏହାକୁ ରୋକିବାକୁ ମାସ୍କ ପିନ୍ଧିବା ଓ ସାମାଜିକ ଦୂରତ୍ୱକୁ ବଜାୟ ରଖିବାକୁ ସରକାର ଘୋଷଣା କରିଚାଲିଛନ୍ତି । କିନ୍ତୁ ଏହାର ବ୍ୟତିକ୍ରମ ଦେଖିବାକୁ ମିଳୁଛି ବହୁ ସ୍ଥାନରେ । ଏହିଭଳି ସମୟରେ ସଭା ସମିତି ଆଦିକୁ ବାରଣ କରାଯାଇଛି । ତଥାପି ଏହାର ଖିଲାପି ସାଧାରଣ ଲୋକଙ୍କ ଠାରୁ ବିଭିନ୍ନ ଦଳୀୟ ନେତା କରିଚାଲିଛନ୍ତି । କିଏ ଜନଜାଗରଣ କରି ସାଧାରଣରେ ଭିଡ଼ କରୁଥିବା ବେଳେ କିଏ ପୁଣି ରକ୍ତ ଦାନ ଶିବିର କରି ନିୟମକୁ ଫୁ କରିଚାଲିଛନ୍ତି । ଏଭଳି ନିୟମକୁ ଫୁ କରିଥିବା ଦୃଶ୍ୟ ଦେଖିବାକୁ ମିଳିଛି ଖୋଦ ଜିଲ୍ଲା ମୁଖ୍ୟାଳୟରେ ।
ଆଜି କେନ୍ଦୁଝର ସଦର ନିର୍ଵାଚନ ମଣ୍ଡଳୀରେ ବିଜେଡି ପକ୍ଷରୁ ଏକ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ସ୍ଥାନୀୟ ପୁରୁଣାବଜାର ଠାରେ ଅନୁଷ୍ଠିତ ହୋଇଥିଲା । ଏହି ଶିବିରକୁ ସାଂସଦ ଚନ୍ଦ୍ରାଣୀ ମୁର୍ମୁ ଓ ପାଟଣା ବିଧାୟକ ଜଗନ୍ନାଥ ନାଏକ ଉପସ୍ଥିତ ରହି ଉଦଘାଟନ କରିଥିଲେ । ଏହି ରକ୍ତ ଦାନ ଶିବିରରେ ୩୮ ୟୁନିଟ ରକ୍ତ ସଂଗ୍ରହ କରାଯାଇଥିଲା । କିନ୍ତୁ ଏହି ରକ୍ତଦାନ ଶିବିରରେ ସାମାଜିକ ଦୂରତ୍ୱକୁ ଫୁ କରିଦେଇଥିଲେ ସମସ୍ତ ଦଳୀୟ କର୍ମୀ ।