ଓଡିଶା

odisha

ETV Bharat / state

ଲକଡାଉନରେ ଛତୁ ମଞ୍ଜି ଚାଷ, ଆତ୍ମନିର୍ଭରଶୀଳର ଉଦାହରଣ ସୃଷ୍ଟି କଲେ ନିରଞ୍ଜନ - କେନ୍ଦୁଝରର ସଫଳ ଛତୁ ମଞ୍ଜି ଚାଷୀ ନିରଞ୍ଜନ

ଲକଡାଉନରେ ଲକ୍ଷ ଲକ୍ଷ ଲୋକ ବେରୋଜଗାର ହୋଇପଡିଛନ୍ତି । ହେଲେ ଏହି ଲକଡାଉନରେ ନୂଆ କିଛି ଆପଣାଇ ଆତ୍ମନିର୍ଭରଶୀଳ ହେବାର ଉଦାହରଣ ଦେଇଛନ୍ତି ନିରଞ୍ଜନ ମହାନ୍ତ । ସମସ୍ୟାର ସମାଧାନ ଖୋଜୁ ଖୋଜୁ ଆଜି ସେ ସଫଳ ଓ ସ୍ବାବଲମ୍ବୀ ଛତୁ ମଞ୍ଜି ଚାଷ ଚାଷୀ ଭାବେ ପରିଚିତ ହୋଇପାରିଛନ୍ତି । ଅଧିକ ପଢନ୍ତୁ...

ଆତ୍ମନିର୍ଭରଶୀଳର ଉଦାହରଣ ସୃଷ୍ଟି କଲେ ନିରଞ୍ଜନ
ଆତ୍ମନିର୍ଭରଶୀଳର ଉଦାହରଣ ସୃଷ୍ଟି କଲେ ନିରଞ୍ଜନ

By

Published : Sep 12, 2020, 3:58 PM IST

କେନ୍ଦୁଝର: ଲକଡାଉନରେ ଆତ୍ମନିର୍ଭରଶୀଳ ହେବାର ସଫଳ କାହାଣୀ । ନିଜ ଜ୍ଞାନ ଓ କୌଶଳରେ ସ୍ବାବଲମ୍ବୀ ହୋଇଛନ୍ତି ଚାଷୀ । କୋରୋନା କାଳରେ ଶହ ଶହ ଲୋକ ଜୀବିକା ହରାଇ ବସିଥିବାବେଳେ କେନ୍ଦୁଝର ସଦର ବ୍ଲକର କେନ୍ଦୁଆ ଗାଁର ନିରଞ୍ଜନ ମହାନ୍ତ ଅନ୍ୟମାନଙ୍କ ପାଇଁ ଉଦାହରଣ ସାଜିଛନ୍ତି ।

ଆତ୍ମନିର୍ଭରଶୀଳର ଉଦାହରଣ ସୃଷ୍ଟି କଲେ ନିରଞ୍ଜନ

ଯେଉଁଠି ଛତୁ ମଞ୍ଜି ସ୍ବପ୍ନ ପାଲଟିଥିଲା, ସେଠାରେ ସେ ବାସ୍ତବତାର ରୂପ ଦେଇଛନ୍ତି । ପୂର୍ବରୁ ନିରଞ୍ଜନ ପରିବା ଚାଷ କରି ଗୁଜୁରାଣ ମେଣ୍ଟାଉଥିଲେ । କିନ୍ତୁ ପାଞ୍ଚପ୍ରାଣୀ କୁଟୁମ୍ବ ଏଥିରେ ଚଳିବା କଷ୍ଟକର ହୋଇ ପଡିଥିଲା । ପରେ କୃଷି ବିଜ୍ଞାନ କେନ୍ଦ୍ର ପକ୍ଷରୁ ଦିଆଯାଉଥିବା ଛତୁ ଚାଷ ଟ୍ରେନିଂରେ ଭାଗ ନେବା ପରେ ଓୟୁଏଟି ପକ୍ଷରୁ ଛତୁ ମଞ୍ଜି କିପରି ପ୍ରସ୍ତୁତ ହେବେ ସେନେଇ ମଧ୍ୟ ଟ୍ରେନିଂ ନେଇଥିଲେ । ଆଉ ଘରୁ ହିଁ ଛତୁ ଚାଷ ଆରମ୍ଭ କରିଥିଲେ ନିରଞ୍ଜନ । ହେଲେ ଲକଡାଉନ କାରଣରୁ ଜିଲ୍ଲାରେ ଛତୁ ମଞ୍ଜି ନ ମିଳିବାରୁ ନାନା ସମସ୍ୟାର ସମ୍ମୁଖୀନ ହେବାକୁ ପଡିଥିଲା । ନିଜର ଏହି ଅସୁବିଧାକୁ ଦୂର କରିବାକୁ ଯାଇ ନିଜେ ଏବେ ଆରମ୍ଭ କରିଛନ୍ତି ଛତୁ ମଞ୍ଜି ଉତ୍ପାଦନ ।

ଛତୁ ଉତ୍ପାଦନ ପାଇଁ କଞ୍ଚାମାଲ ଭାବେ ଗହମ ଓ କ୍ୟାଲସିୟ ପାଉଡକୁ ବ୍ୟବହାର କରାଯାଏ । ଛତୁ ମଞ୍ଜି ବିଶୋଧନ ପାଇଁ ନିଜ ଖର୍ଚ୍ଚ ଏକ ମେସିନ ଆଣି ରଖିଛନ୍ତି ନିରଞ୍ଜନ । ଛତୁ ମଞ୍ଜି ପ୍ରସ୍ତୁତ କରିବା ପୂର୍ବରୁ ପ୍ରଥମେ ଗହମ ଧୋଇ ସିଝାଯାଇଥାଏ । ପରେ ସିଝା ଗହମରେ କ୍ୟାଲସିୟମ ପାଉଡର ମିଶାଇଯାଏ । ଏହି କ୍ୟାଲସିୟମ ମିଶା ଗହମକୁ ଜରି କିମ୍ବା କାଚ ବୋତଲରେ ଭରିଥାନ୍ତି । ଏହାକୁ ନେଇ ମେସିନ ସାହାଯ୍ୟରେ ବିଶୋଧନ କରିଥାନ୍ତି । ଛତୁ କବକ ଦେବାର ପନ୍ଦର ଦିନ ମଧ୍ୟରେ ଏହା ବିକ୍ରି ପାଇଁ ପ୍ରସ୍ତୁତ ହୋଇଯାଏ । ନିରଞ୍ଜନଙ୍କ ଏହି କାର୍ଯ୍ୟରେ ପୁଅ ଓ ସ୍ତ୍ରୀ ଉଭୟ ସହଯୋଗ କରୁଛନ୍ତି । ଛତୁ ମଞ୍ଜିର ଗୋଟିଏ ବୋତଲ ପିଛା ସେମାନେ 12 ଟଙ୍କା ଲାଭ କରିପାରୁଛନ୍ତି ।

ବଜାରର ଚାହିଦା ଅନୁସାରେ ପାଳ ଛତୁ ,ଧିଙ୍ଗିରି ଛତୁ, ମିଲ୍କି ଛତୁ ଆଦିର ମଞ୍ଜି ପ୍ରସ୍ତୁତ କରାଯାଉଛି । ଏହି ମଞ୍ଜି ଗୁଡିକୁ ସ୍ଥାନୀୟ ଛତୁ ଚାଷୀଙ୍କ ସହ ବହୁ ଛତୁ ମଞ୍ଜି ବିକ୍ରୟ କମ୍ପାନୀ ମଧ୍ୟ ନେଉଛନ୍ତି । କେନ୍ଦୁଝର ଜିଲ୍ଲାରେ ଛତୁ ମଞ୍ଜି ଉତ୍ପାଦନ ନଥିବାରୁ ନିରଞ୍ଜନଙ୍କ ଏହାକୁ ଉତ୍ପାଦନ କରି ବେଶ ଲାଭାବାନ ହୋଇପାରିଛନ୍ତି । ସ୍ଥାନୀୟ ଛତୁ ଚାଷୀ ମଧ୍ୟ ହାତପାହାନ୍ତରେ ମଞ୍ଜି ପାଇ ବେଶ ଉପକୃତ ହୋଇପାରିଛନ୍ତି ।

କେନ୍ଦୁଝରରୁ ସନ୍ତୋଷ ମହାପାତ୍ର, ଇଟିଭି ଭାରତ

ABOUT THE AUTHOR

...view details