କେନ୍ଦୁଝର: ଧରଣୀ ରାଣୀକୁ ସ୍ପର୍ଶ କଲାଣି ଶୀତ ଋତୁ । ଶୀତ ଋତୁରେ ପାହାଡ଼ ଜଙ୍ଗଲର ଫୁଲ ସବୁଜବଣ କେନ୍ଦୁଝର ଜିଲ୍ଲାର ଶୋଭା ବଢ଼ାଉଛି । ଏହି ପାହାଡ଼ର ଶୋଭାକୁ ଆହୁରି ଦ୍ବିଗୁଣିତ କରୁଛି ସୁନେଲି ରଙ୍ଗର ସୋରିଷ କ୍ଷେତ । ପାହାଡ଼କୁ ଯେପରି ହଳଦୀ ଓଢଣୀରେ ଢାଙ୍କି ଦେଇଛି ହଳଦୀମୁଖୀ ସୋରିଷ କ୍ଷେତ । ଜିଲ୍ଲାର ଆଦିବାସୀ ବହୁଳ ଅଞ୍ଚଳ ବାଂଶପାଳ, ତେଲକୋଇ ଓ ହରିଚନ୍ଦନପୁରର ପାହାଡରେ କାହିଁ କେତେ କାଳରୁ ହୋଇଆସୁଛି ତୈଳବୀଜ ସୋରିଷ ଫସଲ । ଯାହାକି ଅଞ୍ଚଳବାସୀଙ୍କ ରୋଜଗାରର ମୁଖ୍ୟ ମାଧ୍ୟମ ସାଜିଥିବା ବେଳେ ପାହାଡ଼ର ଶୋଭାକୁ ଦ୍ବିଗୁଣିତ କରୁଛି ।
ଏଠାକାର ବନବାସୀ ଅଧିବାସୀଙ୍କ ଧାନ ମୁଖ୍ୟ ଫସଲ ହୋଇଥିବା ବେଳେ ପାହାଡ଼ର ଢାଲୁ ଅଞ୍ଚଳରେ ଶୀତ ଋତୁ ପୂର୍ବରୁ ମକା ଚାଷ ହୋଇଥାଏ । ମକା ପରେ ପରେ ସୋରିଷ, ରାଶି ଚାଷ କରିଥାନ୍ତି । ଏହି ସୋରିଷ, ରାଶି ଏକ ପ୍ରକାରର ଏହି ଅଧିବାସୀଙ୍କ ଆୟର ମୁଖ୍ୟସ୍ରୋତ ହୋଇଥାଏ । ଏହି ସୋରିଷ ପାଇଁ ବିଶେଷ ପରିଶ୍ରମ କି ପାଣିର ଆବଶ୍ୟକ ହୋଇ ନଥାଏ । ସୋରିଷ ଅମଳ ପର୍ଯ୍ୟନ୍ତ ସ୍ଥାନୀୟ ଅଧିବାସୀ ଏହାର ପତ୍ରକୁ ଶାଗ ରୂପେ ମଧ୍ୟ ବ୍ୟବହାର କରିଥାନ୍ତି । ଏହି ସୋରିଷ ଅମଳ ହେବା ପରେ ଅଧିବାସୀମାନେ ଘରର ଆବଶ୍ୟକ ଅନୁସାରେ ତେଲ ପେଡିଥାନ୍ତି । ଘରର ଆବଶ୍ୟକ ମେଣ୍ଟାଇବା ପରେ ଅନ୍ୟ ସୋରିଷକୁ ସ୍ଥାନୀୟ ବଜାରରେ ବିକ୍ରି କରିଥାନ୍ତି ।