କେନ୍ଦୁଝର: କୋରୋନା ସମୟରେ ପାଠ ପଢାର ବିକଳ ଚିତ୍ର, ଅନଲାଇନ ପାଠପଢ଼ା ପାଇଁ ପାହାଡ ଭରସା । କଥାଟା ଶୁଣିବାକୁ ଅଡୁଆ ଲାଗୁଥିଲେ ବି ସତ । ପାଠ ପଢିବା ପାଇଁ ପାହାଡକୁ ଭରସା କରୁଛନ୍ତି ଛାତ୍ରଛାତ୍ରୀ । ଗାଁରେ ମୋବାଇଲ ନେଟଓ୍ବାର୍କ ନଥିବାରୁ ଦୈନିକ ଛାତ୍ରଛାତ୍ରୀମାନେ ପାହାଡ ଉପରେ ଚଢି ପାଠ ପଢିବାକୁ ବାଧ୍ୟ ହେଉଛନ୍ତି । କେତେବେଳେ ନେଟଓ୍ବାର୍କ ଆସୁଛି ତ ଆଉ କେତେବେଳେ ଆସୁନାହିଁ । ତଥାପି ସେମାନେ ହାର ନମାନି ପାଠ ପଢିବା ପାଇଁ ବିପଦ ସଙ୍କୁଳ ଅବସ୍ଥାରେ ପାହାଡ ଚଢୁଛନ୍ତି । ଏଭଳି ଘଟଣା ଦେଖିବାକୁ ମିଳିଛି କେନ୍ଦୁଝର ଜିଲ୍ଲା ତେଲକୋଇ ଓ ବାଂଶପାଳ ଭଳି ବିଭିନ୍ନ ଅପହଞ୍ଚ ଗାଁରେ ।
କୋରୋନାର ଭୟାବହତା ସମୟରେ ସରକାର ସମସ୍ତ ସ୍କୁଲ କଲେଜ ବନ୍ଦ କରିଛନ୍ତି । ପିଲାଙ୍କ ପାଠପଢ଼ାରେ କୌଣସି ଅସୁବିଧା ନହେଉ ସେଥିପାଇଁ ଅନଲାଇନ ପାଠପଢ଼ା ଉପରେ ସରକାର ଗୁରୁତ୍ବ ଦେଇଛନ୍ତି । ତେବେ ଗାଁ ଗହଳିରେ ମୋବାଇଲ ନେଟଓ୍ବାର୍କ ଉପଲବ୍ଧ ହେଉନଥିବାରୁ ପିଲାମାନେ ପାହାଡ ଓ ଗଛ ଉପରେ ନେଟଓ୍ବାର୍କ ଖୋଜୁଛନ୍ତି । ଏବେ ସରକାର ଅନଲାଇନ ପାଠପଢ଼ା ଆରମ୍ଭ କରିଥିବା ବେଳେ ଗାଁରେ ମୋବାଇଲ ନେଟଓ୍ବାର୍କ ନଥିବାରୁ 3-4 କିଲୋମିଟର ଦୂରରେ ଥିବା ପାହାଡକୁ ଅନଲାଇନ ପାଠ ପଢିବାକୁ ଯାଉଛନ୍ତି । ସେଠାରେ ବନ୍ୟ ଜନ୍ତୁଙ୍କ ଭୟ ରହିଥିବା ବେଳେ ପାହାଡ ଚଢିବା ମଧ୍ୟ କଷ୍ଟକର ହୋଇ ପଡୁଛି ଛାତ୍ରଛାତ୍ରୀମାନଙ୍କ ପାଇଁ ।
କେବଳ ଛାତ୍ରଛାତ୍ରୀ ନୁହେଁ ଶିକ୍ଷକ ଶିକ୍ଷୟିତ୍ରୀମାନେ ମଧ୍ୟ ଏହି ମୋବାଇଲ ନେଟୱାର୍କର ଶିକାର ହେଉଛନ୍ତି । ଅନଲାଇନ କ୍ଲାସରେ କିପରି ପିଲାଙ୍କୁ ପାଠ ପଢ଼ାଇବେ ସେନେଇ ମଧ୍ୟ ଯେଉଁଠି ନେଟୱାର୍କ ଅଛି ସେଠାରେ ମୋବାଇଲ ଖୋଲି ବସୁଛନ୍ତି । ଛାତ୍ରଛାତ୍ରୀମାନଙ୍କ ସହ ଶିକ୍ଷକ ଶିକ୍ଷୟିତ୍ରୀମାନେ ମଧ୍ୟ ଏଭଳି ଅପହଞ୍ଚ ସ୍ଥାନମାନଙ୍କରେ ବହୁ ହଇରାଣର ଶିକାର ହେଉଛନ୍ତି । ଏଭଳି କୋରୋନା ମହମାରୀ ସମୟରେ ସରକାରଙ୍କ ଏଭଳି ଅନଲାଇନ କ୍ଲାସକୁ ବୁଦ୍ଧିଜୀବୀ ସ୍ବାଗତ କରିଥିବା ବେଳେ ନେଟୱାର୍କ ଓ ସ୍ମାର୍ଟଫୋନଜନିତ ସମସ୍ୟାକୁ ନେଇ ଛାତ୍ରଛାତ୍ରୀଙ୍କ ଅସୁବିଧା ଭୋଗୁଥିବା ଯୋଗୁଁ ପ୍ରଶ୍ନ କରିଛନ୍ତି ।