କେନ୍ଦୁଝର: ସ୍ଵାଧୀନତାର ୭୫ ବର୍ଷ ପୂର୍ତ୍ତି ଅବସରରେ ଦେଶ ପାଳୁଛି ସ୍ବାଧୀନତାର ଅମୃତ ମହୋତ୍ସବ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ଅବସରରେ ସବୁ ଦେଶବାସୀଙ୍କ ଘରେ ଜାତୀୟ ପତାକା ଉଡାଇବାକୁ ଆହ୍ବାନ ଦେବାସହ ହର ଘର ତ୍ରିରଙ୍ଗା ଅଭିଯାନ ଆରମ୍ଭ କରିଛନ୍ତି । ତେବେ ଏହି ଅଭିଯାନରେ ସାମିଲ ହେବାସହ ସଫଳ କରିବାକୁ ନିଆରା ପ୍ରୟାସ କରିଛନ୍ତି କେନ୍ଦୁଝରର ଜଣେ ମୋବାଇଲ ଦୋକାନୀ । ତାଙ୍କ ଦୋକାନକୁ ଆସୁଥିବା ପ୍ରତ୍ୟେକ ଗ୍ରାହକଙ୍କୁ ସେ ମାଗଣାରେ ଏକ ତ୍ରିରଙ୍ଗା ପତାକା ଉପହାର ଦେଉଛନ୍ତି । ଏପରି କରି ସେ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାରେ ରହିଛନ୍ତି ।
ଏଥିସହ ସ୍ବାଧୀନତା ଦିବସ ଅବସରରେ ନିଜଘରେ ଏହି ତ୍ରିରଙ୍ଗା ଉଡାଇବାକୁ ଅନୁରୋଧ କରୁଛନ୍ତି । ଦୋକାନୀଙ୍କର ଏଭଳି ଅଭିନବ ପ୍ରୟାସ ସମସ୍ତଙ୍କ ମନକୁ ଛୁଇଁଛି । ଆଉ ଦିନ କେଇଟା ପରେ ପାଳିତ ହେବ ୭୫ତମ ସ୍ଵାଧୀନତା ଦିବସ । କେନ୍ଦୁଝରର ଏକ ମୋବାଇଲ୍ ଦୋକାନୀ ଏଥିପାଇଁ ଆରମ୍ଭ କରି ଦେଇଛନ୍ତି ପ୍ରସ୍ତୁତି । ଦୋକାନକୁ ଆସୁଥିବା ପ୍ରତ୍ୟେକ ଗ୍ରାହକଙ୍କୁ ସେ ମାଗଣାରେ ଏକ ଜାତୀୟ ପତାକା ଉପହାର ସ୍ୱରୂପ ପ୍ରଦାନ କରୁଛନ୍ତି । ନିଜ ଘରେ ଆସନ୍ତା ୧୩ ତାରିଖରୁ ୧୫ ତାରିଖ ଯାଏଁ ଏହି ଜାତୀୟ ପତାକା ଉଡ଼ାଇବାକୁ ପରାମର୍ଶ ଦେଉଛନ୍ତି ।