କେନ୍ଦୁଝର: ଜିଲ୍ଲାର ପାଟଣା ଥାନାରୁ ଥାର୍ଡ ଡିଗ୍ରୀ ଦାଗ ଲିଭିବାର ନା ଧରୁନାହିଁ । ପୂର୍ବରୁ ଏକ ଥାର୍ଡ ଡିଗ୍ରୀ ଭିଡ଼ିଓ ଭାଇରଲ ପରେ ଜଣେ ଆଇଆଇସି ନିଲମ୍ବିତ ଘଟଣା ଘଟିଥିବା ବେଳେ ଏବେ ଆଉ ଏକ ଘଟଣା ସମ୍ନାକୁ ଆସିବା ପରେ ଚର୍ଚ୍ଚା ଜୋର ଧରିଛି । ସୂଚନା ଅନୁସାରେ ପାଟଣା ଥାନାରେ ଜଣେ ନାବାଳକକୁ ଥାର୍ଡ ଡିଗ୍ରୀ ହୋଇଥିବା ଅଭିଯୋଗ ହୋଇଛି । ଉକ୍ତ ନାବାଳକ ଜଣକ ଏନେଇ ଏସପିଙ୍କୁ ଜଣାଇଥିଲେ କିନ୍ତୁ ସେ ମଧ୍ୟ ଏହାକୁ ଶୁଣିନଥିଲେ । ଯାହାପରେ ନାବାଳକ ଜଣକ କୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ ।
ନାବାଳକ ନିଜ ମା’ ସହିତ ମଙ୍ଗଳବାର ଜିଲ୍ଲା ଆରକ୍ଷୀ ଅଧୀକ୍ଷକଙ୍କ ପାଖକୁ ଆସି ଲିଖିତ ଅଭିଯୋଗ କରି ଫେରିଛନ୍ତି। କୌଣସି ଏକ ଚୋରି ମାମଲାରେ ପାଟଣା ଥାନା ଅନ୍ତର୍ଗତ କାମେଶ୍ବରପୁର ପାଟଣା ଗ୍ରାମର ଯଶୋବନ୍ତ ନାଏକ ଏବଂ ବିଣା ନାଏକଙ୍କ ନାବାଳକ ପୁଅ ଅମନ ନାଏକ(୧୬)କୁ ଗତ ୨୧ ତାରିଖରେ ଥାନା ପକ୍ଷରୁ ଡକା ଯାଇଥିଲା। ତେବେ ନିଜ ପରିବାର ସହିତ ନାବାଳକ ଥାନାକୁ ଆସିବା ପରେ କିଛି ସମୟ ପରେ ଛଡାଯିବ ବୋଲି ଥାନା ପକ୍ଷରୁ କୁହାଯାଇଥିଲା। ମାତ୍ର ଅପରାହ୍ନ ୪ଟା ବେଳେ ଆସି ଦେଖିବା ବେଳକୁ ପୁଅକୁ ମାଡ ମାରି ଗୋଡକୁ କ୍ଷତାକ୍ତ କରି ଦିଆଯାଇଛି । ଏହାପରେ ଥାନା ପକ୍ଷରରୁ ତାଙ୍କୁ ଛାଡି ଦିଆଯାଇଥିଳା । ମାତ୍ର ନାବାଳକ ଅମନ ଆଉ ଚାଲି ପାରି ନ ଥିଲା। ଏହାପରେ ପରିବାର ପକ୍ଷରୁ ତାଙ୍କୁ ପାଟଣା ମେଡିକାଲରେ ଭର୍ତ୍ତି କରାଯାଇ ଚିକିତ୍ସା କରାଯାଇଥିଲା ।