କେନ୍ଦୁଝର:ମିଳିତ ଜାତିସଂଘ 2023କୁ ମିଲେଟର ଅନ୍ତର୍ଜାତୀୟ ବର୍ଷ ଭାବରେ ଘୋଷଣା କରିଛି । ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ୱରେ ବିଭିନ୍ନ ପ୍ରମୋସନାଲ୍ ମିଲେଟ୍ କାର୍ଯ୍ୟକଳାପ ମାଧ୍ୟମରେ ଏହି ବର୍ଷ ଓଡିଶାରେ ପାଳନ କରାଯାଉଛି । ଓଡ଼ିଶାରେ ମଧ୍ୟ 10 ନଭେମ୍ବରକୁ ମିଲେଟ୍ ଦିବସ (ମାଣ୍ଡିଆ ଦିବସ) ଭାବରେ ପାଳନ କରାଯାଉଛି । ଆଜି ଭୁବନେଶ୍ୱର ଠାରେ ମୁଖ୍ୟମନ୍ତ୍ରୀ ମିଲେଟ ମିଶନର ଶୁଭାରମ୍ଭ କରିଛନ୍ତି । ଏହା ସହ କେନ୍ଦୁଝରରେ ଆଜି ଠାରୁ ଦୁଇ ଦିନ ଧରି ମାଣ୍ଡିଆ ଦିବସ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି ।
ଆଜି ଜିଲ୍ଲା ଖଣିଜ ଫାଉଣ୍ଡେସନ (DMF) ସହାୟତାରେ ଜିଲ୍ଲା ପ୍ରଶାସନ ନଭେମ୍ବର 9 ଓ 10ରେ ଧରଣୀଧର କଲେଜ ଖେଳ ପଡିଆରେ ଦୁଇ ଦିନିଆ ମାଣ୍ଡିଆ ଦିବସ (ମିଲେଟ୍ ଡେ) କୁ ଉଦଘାଟନ କରିଛନ୍ତି ଜିଲ୍ଲାପାଳ ଆଶିଷ ଠାକରେ । ଜିଲ୍ଲାପାଳ ଆଶିଷ ଠାକରେ କାର୍ଯ୍ୟକ୍ରମକୁ ଉଦଘାଟନ କରିବା ସହ ମାଣ୍ଡିଆ ପ୍ରସ୍ତୁତ ଖାଦ୍ୟ ଷ୍ଟଲ ବୁଲି ଦେଖିଥିଲେ । ଏହାପରେ ଏକ ସାଧାରଣ ସଭାକୁ ସମ୍ବୋଧିତ କରିଥିଲେ ଜିଲ୍ଲାପାଳ । ମିଲେଟ୍ ମିଶନ ପକ୍ଷରୁ ଆୟୋଜିତ କାର୍ଯ୍ୟକ୍ରମରେ ସମସ୍ତଙ୍କ ମନ ମୋହିଥିଲା ମିଲେଟ ପ୍ରସ୍ତୁତ ବିଭିନ୍ନ ପ୍ରକାରର ଖାଦ୍ୟ ପଦାର୍ଥ ।
ଓଡିଶା ମିଲେଟ ମିଶନ ଅଙ୍ଗନୱାଡି କର୍ମୀ ଏବଂ ଗର୍ଭବତୀ ସ୍ତନ୍ୟପାନ କରାଉଥିବା ମାତାଙ୍କୁ ଖାଦ୍ୟ ମହୋତ୍ସବ, ବିଦ୍ୟାଳୟରେ କୁଇଜ୍ ଏବଂ ପ୍ରବନ୍ଧ ପ୍ରତିଯୋଗିତା, କ୍ରୀଡା ବିଭାଗ ସହିତ କ୍ରୀଡା ଇଭେଣ୍ଟ, ସଚେତନତା ଅଭିଯାନ ଏବଂ ଅନ୍ୟାନ୍ୟ ଅନେକ କାର୍ଯ୍ୟକ୍ରମରେ ସଂଗଠିତ ହେଉଅଛି । ଡିସେମ୍ବର ୨୦୧୮ ରେ ଓଡ଼ିଶା ମିଲେଟ ମିଶନର ବିସ୍ତାର ଭାବରେ ଜିଲ୍ଲାରେ ଏହି କାର୍ଯ୍ୟକ୍ରମ ଆରମ୍ଭ କରାଯାଇଥିଲା ।