କେନ୍ଦୁଝର:ଜିଲ୍ଲାରେ ବେଧଡକ ଚାଲିଛି ଗଛ କଟା । ଖଣିରୁ ଲୁହାପଥର ପରିବହନ ନିମନ୍ତେ ସଂକ୍ଷିପ୍ତ ରାସ୍ତା ନିର୍ମାଣ ଚାଲିଛି । ଏଥି ପାଇଁ ସଂରକ୍ଷିତ ଜଙ୍ଗଲରୁ ଗଛ କଟା ବି ଚାଲିଛି । ନୂତନ ରାସ୍ତା ନିର୍ମାଣ ନିମନ୍ତେ ହଜାର ହଜାର ବିରାଟକାୟ ବୃକ୍ଷକୁ କାଟି ଧରାସାଇ କରି ଦିଆଯାଉଛି ହେଲେ ଏ ନେଇ ପ୍ରଶାସନ ଚୁପ ।
କେନ୍ଦୁଝର ଜିଲ୍ଲା ଯୋଡା ଖଣି କ୍ଷେତ୍ର ଅନ୍ତର୍ଗତ କାଦକଳା ଗ୍ରାମ ପଞ୍ଚାୟତର ପ୍ରକାଶ ଇଣ୍ଡଷ୍ଟ୍ରିଜ ଲିଃ ଖଣିରେ ଦେଖିବାକୁ ମିଳିଛି ଏପରି ଘଟଣା । ଲୁହାପଥର ପରିବହନ ନିମନ୍ତେ ନୂତନ ରାସ୍ତା ନିର୍ମାଣ ପାଇଁ ଜଙ୍ଗଲ ବିଭାଗର କୌଣସି ଅନୁମତି ନଥାଇ ବେଧଡକ ଗଛ କଟା ହେଉଛି । ଏଥିରେ କେତେକ ପ୍ରଭାବଶାଳୀ ବ୍ୟକ୍ତିଙ୍କୁ ହାତକରି ଏହି ଗଛ କଟା ଚାଲିଥିବା ଅଭିଯୋଗ ହୋଇଛି । ବଡବଡ ଶାଳ, ପିଆଶାଳ, ଗମ୍ଭାରୀ, ମହୁଲ,ଭାଲିଆ, କେନ୍ଦୁ ଭଳି ଅନେକ ଔଷଧୀୟ ବୃକ୍ଷକୁ ଧୂଳିସାତ କରି ଦିଆଯାଉଛି । ଏନ.ଆର.ଜି.ଏସ୍. କାମର ବାହାନାରେ ରାତିଦିନ ୨୪ ଘଣ୍ଟା ମେସିନ ଲଗାଯାଇ ଏହି କାର୍ଯ୍ୟ ଚାଲୁଥିବା ବେଳେ ଜଙ୍ଗଲ ବିଭାଗ ପାଖରେ ଏହାର ଖୋଜ ଖବର ନଥିବା ସମସ୍ତଙ୍କୁ ଚକିତ କରିଛି । ୩୦ ଫୁଟ ଚଉଡା ପରିମିତ ପ୍ରାୟ ୧୦ କିମି ଦୀର୍ଘ ରାସ୍ତା ନିର୍ମାଣ ହେବା ପାଇଁ ଗଛଗୁଡିକୁ କଟାଯାଉଥିବା ଅଭିଯୋଗ ହେଉଛି ।