ଆନନ୍ଦପୁର: ବର୍ଷାରେ ଭିଜୁଛି ଶହ ଶହ ଧାନବସ୍ତା । ଏପରିକି ଧାନ ଗଜା ହେବାକୁ ବସିଲାଣି । ଟୋକନ ଆସିବା ପରେ ମଧ୍ୟ ଧାନ ବିକ୍ରି ହେଉ ନଥିବାରୁ ଦିନ ରାତି ନିଜ ଧାନକୁ ମଣ୍ଡି ବାହାରେ ଜଗୁଛନ୍ତି ଚାଷୀ । ଧାନ କିପରି ବିକ୍ରି ହେବ ସେନେଇ ଚିନ୍ତାରେ ଏବେ ଚାଷୀ ।
କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଲକ ଡଅଁର ସେବା ସମବାୟ ସମିତିରେ ଥିବା ଧାନମଣ୍ଡି ସମ୍ମୁଖରେ ଖୋଲା ଆକାଶ ତଳେ ଗଦା ହୋଇଛି ଧାନବସ୍ତା । ଅଦିନିଆ ମେଘରୁ ଧାନକୁ ରକ୍ଷା କରିବା ପାଇଁ ଚାଷୀମାନେ ବସ୍ତା ଉପରେ ପଲିଥିନ ଘୋଡାଇ ରଖୁଛନ୍ତି । ହେଲେ, କେଉଁଠି ଧାନବସ୍ତା ଭିଜିଗଲାଣି ତ, ଅନ୍ୟ କେଉଁଠି ଧାନବସ୍ତା ଫାଟି ସେଠାରୁ ଧାନ ବାହାରି ନଷ୍ଟ ହେବାକୁ ବସିଲାଣି । ଏପରିସ୍ଥଳେ, ଦିନ ରାତି ନିଜ ଧାନକୁ ଜଗି ରହିଛନ୍ତି ଚାଷୀ । ହେଲେ ଆଜିଯାଏଁ ଚାଷୀଙ୍କ ଧାନ ବିକ୍ରି ହେଉ ନଥିବା ଅଭିଯୋଗ ହୋଇଛି ।